ରାଉରକେଲାରେ ରେଳ ଡିଭିଜନ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାଉରକେଲା: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତି ଓ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ଝାରସୁଗୁଡା ସର୍କିଟ ହାଉସ୍ ଠାରେ ବିଭିନ୍ନ ଦାବି ନେଇ ସ୍ମାରକପତ୍ର ମାନ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ଗୁଡିକରେ ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରକୁ ନେଇ ରାଉରକେଲାରେ ରେଳ ଡିଭିଜନ, ତାଳଚେର ବିମଳାଗଡ ରେଳପଥକୁ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ, ରାଜାରାଣୀ ଏକ୍ସପ୍ରେସକୁ ୩ଦିନ ବଦଳରେ ସବୁଦିନ ଚାଲୁ କରିବା, ରାଉରକେଲାରୁ ପାରାଦ୍ବୀପ ଯିବା ପାଇଁ ଏକ ରାତ୍ରିକାଳୀନ ଟ୍ରେନ କେନ୍ଦୁଝର ଭାୟା ଦେଇ ପ୍ରଚଳନ କରିବା, ଇଣ୍ଟରସିଟିରେ ଅଧିକ ବଗି ଯୋଡିବା ସହ ଭାୟା କଟକ ଦେଇ ଚଳାଚଳ କରିବା ଇତ୍ୟାଦି ଦାବି ରହିଛି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀଙ୍କ ସ୍ବାକ୍ଷର ସମ୍ବଳିତ ସ୍ମାରକପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ଚକ୍ରଧରପୁର ଡିଭିଜନରେ ସୁନ୍ଦରଗଡ ଜିଲ୍ଲାରେ ଯେତେ କଳକାରଖାନା ଅଛି ତନ୍ମଧ୍ଧରୁ ୭୦ ଭାଗ ରାଜସ୍ୱ ଆଦାୟ ଏହି ଠାରୁହିଁ ହେଉଛି। ଚକଧରପୁର ରୁଟରେ ୭୪୧ କିଲୋମିଟର ରେଳପଥ ଓ ୮୮ଟି ଷ୍ଟେସନ ଥିବାବେଳେ ସେଥିମଧ୍ୟରୁ ସୁନ୍ଦରଗଡରେ ୪୦୫ କିଲୋମିଟର ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ଭିତରେ ୬୩ଟି ଷ୍ଟେସନ ରହିଛି। ଅନ୍ୟ ପକ୍ଷରେ ବନ୍ଧମୁଣ୍ଡାଠାରେ ଆବଶ୍ୟକୀୟ ହେଉଥିବା ସ୍ଥାନ ତଥା ମୂଳ ଭିତ୍ତିଭୂମିର ଅନୁକୂଳ ବାତାବରଣ ମଧ୍ୟ ରହିଛି। ରାଉରକେଲାରେ ରେଳ ଡିଭିଜନ ହେଲେ ରେଳବାଇକୁ ଅଧିକ ଖର୍ଚ୍ଚାନ୍ତ କରିବାକୁ ପଡିବ ନାହିଁ।

ସେହିପରି ଚକ୍ରଧରପୁର ଓ ଝାରସୁଗୁଡ଼ା ମଧ୍ୟରେ ରାଉରକେଲା ଷ୍ଟେସନ ଅଛି। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ତଥା ଅନୁକୂଳ ପରିବେଶ ସହ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଏଠାରେ ରେଳ ଡିଭିଜନ କରିବାକୁ ଦାବି କରାଯାଇଛି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ବିଷୟ ଅବଗତ ହେଲାପରେ ଏ ସଂପର୍କରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ମହାନ୍ତି, ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ ଦତ୍ତ, କୁଞ୍ଜବିହାରୀ ରାଉତ, ରାଜେନ୍ଦ୍ର କୁଜୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର