କୋରାପୁଟ: ଗୋଟିଏ ନୁହେଁକି ୧୦୦ ନୁହେଁ ପୋଡି ନଷ୍ଟ ହୋଇଯାଇଛି ୧୦ହଜାରରୁ ଅଧିକ ଗଛ। କୋରାପୁଟ ବ୍ଲକ ଡାଙ୍ଗଦେଉଳା ଗ୍ରାମ ନିକଟ କୁସୁମା ଡଣ୍ଡର ପୋଡି ନଷ୍ଟ ହୋଇଯାଇଛି। ଠିକଣା ସମୟରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ପଞ୍ଚି ନିଆକୁ ଆୟତ୍ତ କରିଥିଲେ ବି ଅଧା ଡଙ୍ଗର ପୋଡି ଧ୍ବଂସ ହୋଇଯାଇଛି। ଅସାବଧାନତା ନା, ଜାଣି ଶୁଣି ନଷ୍ଟ କରାହୋଇଛି କୁସୁମା ନୂତନ ଜଙ୍ଗଲ? କିଛି ଅର୍ଥ ଆଶାରେ ନୂଆ କରି ଛନ ଛନ ହୋଇ ବଢୁଥିବା ଜଙ୍ଘଲରେ ନିଆଁ ଲାଗାଯାଇନାହିଁ ତ? କେମିତି ନିଆଁ ଲାଗିଲା ୨୦୧୮ରୁ ସୃଷ୍ଟି ହୋଇଥିବା ପାହାଡିଆ ଜଙ୍ଘଲ? କିପରି ଦାୟିତ୍ବରେ ରହିଥିବା କର୍ମଚାରୀ ଜାଣି ପାରିଲେନି? ଏପରି ବହୁ ଅସମାହିତ ପ୍ରଶ୍ନ ଏବେ କୋରାପୁଟ ସହର ଉପକଣ୍ଠରେ ରହିଥିବା କୁସୁମା ଜଙ୍ଗଲ ପୋଡିକୁ ନେଇ ଉଠିଛି।
କୋରାପୁଟ ବନାଞ୍ଚଳ ପକ୍ଷରୁ ୨୦୧୮-୧୯ ବର୍ଷରେ ଡାଙ୍ଗଦେଉଳା ଗ୍ରାମ ପାହାଡରେ ୨୫ହଜାରରୁ ଅଧିକ ଗଛ ରୋପଣ କରାଯାଇଥିଲା। ଏଥଇପାଇଁ ବନ ବିଭାଗ ପକ୍ଷରୁ ପାଣି ପରି ଅର୍ଥ ବ୍ୟୟ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଏହି ଅନାବାଦୀ ପାହାଡରେ ପ୍ରାୟ ୧୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିଲା। ଏହିଠାରେ ମୋହଗାନୀ, ଚମ୍ପା, ସିଲଭର ଓକ, ଜାମୁକୋଳି, ଆମଲା, ତାଲା, ମହିଶୁରୀ କୁଇନ୍ ରାଧାଚୁଡା, ବିଷ୍ଣୁଚୂଡା, କଦମ୍ବ, ପାଇନ୍, ବିଜା, ତେଭେଟିଆ, କଲିଟ୍ରିସ, ଆମ୍ବ, ପାତୁଲି, ଦୋଲିଚନ୍ଦ୍ରନ୍, ଓଉ ଓ ପିଜୁଳି ଆଦି ଗଛ ରୋପଣ କରାଯାଇଥିଲା। ସପ୍ତାହେ ତଳେ ଏହି ଡଙ୍ଗରର ଅଧା ଜଳି ଯିବାରୁ ନଷ୍ଟ ହୋଇଯାଇଛି ୧୦ହଜାରରୁ ଅଧିକ ମୂଲ୍ୟବାନ ଗଛ। ସବୁ ଗଛ ବୟସ ପ୍ରାୟ ତିନିବର୍ଷ ହୋଇଥିବାବେଳେ ଏହି ଚାରାକୁ ଯତ୍ନ ନେବାକୁ ୨ଜଣ ବନ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିଲା। କିନ୍ତୁ କେଜାଣି କିପରି ସପ୍ତାହେ ତଳେ ଏହି ପାହାଡରେ ନିଆଁ ଲାଗି ଗଛ ନଷ୍ଟ ହୋଇଯାଇଥିବାବେଳେ ବିଛାଯାଇଥିବା ପାଣି ପାଇପ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ଚାହିଁଲେ ବି ଏବେ ଏହି ଗଛକୁ ଜୀବନ ଦେଇ ହେବ ନାହିଁ। କାହିଁକି ନା ଏହିଠା ପୋଡି ହୋଇଥିବା ଗଛ ସଂଖ୍ୟାକୁ ଦେଖିଲେ ପୁଣି ଏହିଠାରେ ଜଙ୍ଗଲ ସୃଷ୍ଟି କରିବାକୁ କାଠିକର ପାଠ ବୋଲି ଜଣାପଡିଛି।
କିନ୍ତୁ ୫ ଦିନ ତଳେ ଏହି ଠାରେ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ଭୟଭୀତ ହୋଇ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଲାଗିଥିବା ନିଆଁକୁ ବିଭାଗ ଯାଇ ପହଞ୍ଚିଲାବେଳେକୁ ଅଧା ପାହାଡ ପୋଡି ନଷ୍ଟ ହୋଇସାରିଥିଲା। ଏହିସମୟରେ ଯଦି ବିଭାଗ ପହଞ୍ଚି ନ ଥାନ୍ତା ତେବେ ଏହି ପାହାଡରେ ରହିଥିବା ୨୫ ହଜାରରୁ ଅଧିକ ଗଛ ପୋଡି ପାଉଁଷ ହୋଇଯାଇଥାନ୍ତା।
ଏନେଇ ରେଞ୍ଜରଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ କେଉଁମାନେ ଏହି ଜଙ୍ଘଲରେ ନିଆଁ ଲଗଇେଲେ ତାହା ଆମକୁ ଜଣାନାହିଁ। କିନ୍ତୁ ଯେତେବେଳେ ନିଆଁ ଲାଗିଥିଲା ସେହି ସମୟରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନୂଆ ଜଙ୍ଘଲରେ ରହିଥିବା ଶତାଧିକ ଗଛ ପୋଡି ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।