ଭୁବନେଶ୍ବର: କରୋନା ମୁକାବିଲା ପାଇଁ ପର୍ବତାରୋହୀରୁ ପରିବା ବିକାଳି ସାଜି ଚର୍ଚ୍ଚା ପାଲଟିଛନ୍ତି ଓଡ଼ିଆ ପୁଅ ନୀଳାଚଳ ପରିଡ଼ା। ପରିବା ବିକ୍ରି କରି ମେ ଶେଷ ସୁଦ୍ଧା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ୫ ହଜାର ଟଙ୍କା ସଞ୍ଚୟ କରି ସାରିଲେଣି ନୀଳାଚଳ।
ନୀଳାଚଳ ୟୁରୋପ, ରୁଷିଆର ବଡ଼ ବଡ଼ ପର୍ବତ ଶିଖର ଆରୋହଣ କରି ନାଁ କରିଛନ୍ତି। ଅନ୍ୟମାନଙ୍କ ପରି ୨୪ ବର୍ଷିଅ ନୀଳାଚଳ ମଧ୍ୟ ଏପରି କରୋନା ଭାଇରସ୍ ପରି ମହାମାରୀ ବିରୋଧରେ ଲଢ଼ିବା ପାଇଁ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ସହାୟତା ଦେବାକୁ ଚିନ୍ତା କରିଛନ୍ତି।
ପ୍ରାୟ ୮ ବର୍ଷ ଧରି ସେ ଜଣେ ପାର୍ଟ-ଟାଇମ୍ ଡ୍ରାଇଭର୍ ଭାବେ କାମ କରି ଆସୁଛନ୍ତି। ସେ ଏବେ ସୁଦ୍ଧା ସମୁଦାୟ ୧.୮ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି। ନୀଳାଚଳ ଏପ୍ରିଲ୍ ପ୍ରଥମ ସପ୍ତାହରେ ପର୍ବତାରୋହଣ ଲାଗି ଦିଲ୍ଲୀରୁ ଋଷିଆ ଯିବାକୁ ଯୋଜନା କରିଥିଲେ। ଟିକେଟ୍ ପାଇଁ ୫୨ ହଜାର ଟଙ୍କା ଲାଗିଥାନ୍ତା। ସେଥିପାଇଁ ସେ ତାଙ୍କ ବନ୍ଧୁଙ୍କଠାରୁ ୨୦ ହଜାର ଟଙ୍କା କରଜ ମଧ୍ୟ ଆଣିଥିଲେ।
ମାତ୍ର ଲକ୍ଡାଉନ୍ ଘୋଷଣା ହେବା ପରେ ସେ ତାଙ୍କ ଭାଇଙ୍କ ସହ ମିଶି ପରିବା ବିକ୍ରି କରିବା ଆରମ୍ଭ କରିଛନ୍ତି। ଦୋକାନ ସାମ୍ନାରେ ଏକ ବାର୍ତ୍ତା ଲେଖାଯାଇଛି ‘ମାସ୍କ ନାହିଁ ତ ପରିବା ନାହିଁ’(ନୋ ମାସ୍କ ନୋ ଭେଜିଟେବଲ୍)। ଗ୍ରାହକମାନେ ତାଙ୍କ ଦୋକାନ ସାମ୍ନାରେ ଧାଡ଼ି ଲଗାଇ ଛିଡ଼ା ହେଉଛନ୍ତି। ପ୍ରଥମେ ସାନିଟାଜର୍ରେ ସେମାନେ ନିଜ ହାତ ସଫା କରିବା ପରେ ନୀଳାଚଳ ସେମାନଙ୍କୁ ପରିବା ଦେଉଛନ୍ତି।’ ୨୦୧୨ ମସିହାରୁ ସେ ପର୍ବତ ଚଢ଼ିବା ଆରମ୍ଭ କରିଛନ୍ତି।