କଂଗ୍ରେସ ଭବନରେ ଶୋକସଭା: ପରୋପକାରୀ ଭାବେ ସବୁବେଳେ ମନେ ରହିବେ ନିତ୍ୟାନନ୍ଦ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଆଜି କଂଗ୍ରେସ ଭବନରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମିଶ୍ରଙ୍କୁ ଜଣେ ସରଳ, ନିରାଡ଼ମ୍ବର ଓ ପରୋପକାରୀ ସମାଜସେବୀ ଭାବେ ରାଜ୍ୟବାସୀଙ୍କ ଆଦୃତ ହୋଇଥିବା କହିଥିଲେ। ଜଣେ ଦକ୍ଷ ରାଜନେତା ଭାବେ ବଲାଙ୍ଗୀର ଭଳି ଅନୁନ୍ନତ ଜିଲ୍ଲାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇ ଅନେକ ଉନ୍ନୟନ କାର୍ଯ୍ୟରେ ନିଜର ପରକାଷ୍ଠା ପ୍ରତିପାଦିତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସମୟରେ ବଲାଙ୍ଗୀରରୁ ସାଂସଦ ଭାବେ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ଛାତ୍ର ଜୀବନରୁ ଜନସେବା ପ୍ରତି ବ୍ରତୀ ହୋଇ କଂଗ୍ରେସର ନେତୃବର୍ଗଙ୍କ ନିକଟତର ହୋଇପାରିଥିଲେ। ପରବର୍ତୀ ଅବସ୍ଥାରେ ତାଙ୍କର ବଳିଷ୍ଠ ନେତୃତ୍ବ ପାଇଁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଭାବେ ୧୯୮୩ ମସିହାରେ ନିଯୁକ୍ତ ହୋଇଥିଲେ। ତାଙ୍କର ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି। ଏହି ଅବସରରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି।

ଆଜି ସକାଳ ୧୦ଟାରେ ସ୍ବର୍ଗତ ମିଶ୍ରଙ୍କ ମରଶରୀର କଂଗ୍ରେସ ଭବନରେ ପହଞ୍ଚିଥିଲା। ଦଳ ତରଫରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମରଶରୀର ଉପରେ କଂଗ୍ରେସ ପତାକା ଓ ପଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ। ‌ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ମନୋରଂଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ବିଶ୍ବଜିତ ଦାଶ, ମାନସ ଚୌଧୁରୀ, ହଳଧର ସେଠୀ, ପଦ୍ମାକର ଗୁରୁ, ସ୍ମୃତିରଂଜନ ଲେଙ୍କା, ୟାସିର ନୱାଜ, ଦେବେନ୍ଦ୍ର ପ୍ରସାଦ ସାହୁ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ଏମ୍‌ଡି ଶାହାଦୁଲ୍ଲା, ଜୟକଷ୍ଣ ସୁବୁଦ୍ଧି, ନଳିନୀକାନ୍ତ ନାୟକ, ସଂଜୀବ ମହାନ୍ତି, ସୌମେନ୍ଦ୍ର ମହାନ୍ତି, ଅଜିତ ଜେନା, କୁସୁମ ପ୍ରଧାନ, ଲିଙ୍ଗରାଜ ସାହୁ, କୁଳମଣି ସାହୁ, ଖଗେଶ୍ବର ମଲ୍ଲିକ, ସଂକୁନା କହଁର ଓ ଅନ୍ୟମାନେ ସ୍ମୃତିଚାରଣ କରିଥିଲେ। ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ବିଭୁଦତ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ।

ନିତ୍ୟାନନ୍ଦଙ୍କ ପରିବାର ସହିତ କଥା ହେଲେ ରାହୁଲ ଗାନ୍ଧୀ
ସ୍ବର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗ ଖବର ପାଇ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ତାଙ୍କ ପୁଅ ବିଭୁଦତ୍ତ ମିଶ୍ରଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହାସହ ଓଡ଼ିଶା ପ୍ର‌ଦେଶ କଂଗ୍ରେସର ପ୍ରଭାରୀ ଏ.ଚେଲ୍ଲା କୁମାର ମଧ୍ୟ ସ୍ବର୍ଗତ ମିଶ୍ରଙ୍କ ପରିବାର ସହିତ କଥା ହୋଇଥିଲେ। ସ୍ବର୍ଗତ ମିଶ୍ରଙ୍କ ଲମ୍ବା ରାଜନୈତିକ ଜୀବନ ଓ ରାଜ୍ୟ ଜନସାଧାରଣଙ୍କ ନିରବଚ୍ଛିନ ସେବା ପାଇଁ ସେ ସବୁଦିନ ପାଇ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର