ଜଣେ ଦକ୍ଷ ମନ୍ତ୍ରୀ ଓ ବିଧାୟକ ଭାବେ ମନେ ରହିବେ : ରାଜ୍ୟପାଳ
ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଣେ ଦାୟିତ୍ବସମ୍ପନ୍ନ ମନ୍ତ୍ରୀ ଓ ଦକ୍ଷ ବିଧାୟକ ଭାବେ ସେ ମନେ ରହିବେ ବୋଲି ରାଜ୍ୟପାଳ କହିଛନ୍ତି। ତାଙ୍କ ପରିବାର ସଦସ୍ୟ ଓ ନିର୍ବାଚନମଣ୍ଡଳୀର ଜନତାଙ୍କୁ ସେ ସମବେଦନା ଜଣାଇଛନ୍ତି।
ଜଣେ ଲୋକପ୍ରିୟ ରାଜନେତାଙ୍କୁ ହରାଇଲୁ : ମୁଖ୍ୟମନ୍ତ୍ରୀ
ବିଜଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ରାଉତରାୟ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଥିଲେ। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଭାବେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଦକ୍ଷତାର ସହ ନିର୍ବାହ କରିଥିଲେ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ ସ୍ବର୍ଗତ ରାଉତରାୟଙ୍କ ପୁଅ ତଥା ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ।
ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ। ସେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ରାଜନୈତିକ ଜୀବନରେ ସ୍ବର୍ଗତ ରାଉତରାୟଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଶ୍ରୀ ପ୍ରଧାନ ତାଙ୍କ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଜୟଶ୍ରୀ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ। ତାଙ୍କ ବିୟୋଗ ମୋତେ ମର୍ମାହତ କରିବା ସହ ଦୁଃଖ ଦେଇଛି। ସ୍ବର୍ଗତ ରାଉତରାୟ ଜଣେ ବନ୍ଧୁବତ୍ସଳ, ମିଷ୍ଟଭାଷୀ, ଭଦ୍ର ଓ ବାସ୍ତବବାଦୀ ନେତା ଭାବେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ପରିଚିତ ଥିଲେ। ଦୀର୍ଘ ବର୍ଷ ଧରି ସ୍ବର୍ଗତ ରାଉତରାୟ ରାଜନୀତିରେ ରହି ୬ ଥର ବିଧାୟକ ହୋଇ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଅନେକ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଜନମାନସରେ ସଦାସର୍ବଦା ରହିବେ। ତାଙ୍କ ବିୟୋଗ ରାଜ୍ୟ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି।
ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରଘୁନନ୍ଦନ ଦାସ, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ସୁର ନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଧାୟକ ଅମର ଶତପଥୀ ଓ ସୁରେଶ ରାଉତରାୟ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ଯୁଧିଷ୍ଠିର ଜେନା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Bijayshree-Routray-Odisha-Ujaley.jpg)