ମହାରଥୀଙ୍କ ବିୟୋଗରେ ଶୋକ

ମହାରଥୀ ଜଣେ ଲୋକପ୍ରିୟ ନେତା ଥିଲେ: ରାଜ୍ୟପାଳ
ଭୁବନେଶ୍ୱର : ପ୍ରଦୀପ ମହାରଥୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ରାଜ୍ୟପାଳ କହିଛନ୍ତି ଯେ ସେ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ବିଧାୟକ ଥିଲେ। ତାଙ୍କ ପରଲୋକ ରାଜନୀତି ପାଇଁ ଏକ ବଡ଼ କ୍ଷତି। ରାଜ୍ୟପାଳ ତାଙ୍କ ପରିବାର ସଦସ୍ୟ ଓ ନିର୍ବାଚନୀମଣ୍ଡଳୀର ଜନତାଙ୍କୁ ସମବେଦନା ଜଣାଇଛନ୍ତି।

ମହାରଥୀ ଲୋକଙ୍କ ନେତା ଥିଲେ: ନବୀନ
ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାରଥୀଙ୍କୁ ବିଜେଡିର ଜଣେ ଟାଣୁଆ ନେତା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ବିଜୁ ବାବୁଙ୍କ ଦୀର୍ଘ ଦିନ ଧରି ଘନିଷ୍ଠ ସହଯୋଗୀ ଥିଲେ। ନିଜର ଅସାଧାରଣ ସାଂଗଠନିକ ଦକ୍ଷତା ପାଇଁ ସେ ବେଶ୍‌ ପରିଚିତ ଥିଲେ ଓ ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବାସ୍ତବରେ ସେ ସାଧାରଣ ଲୋକଙ୍କ ନେତା ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟ ଓ ପିପିଲିର ଜନସାଧାରଣଙ୍କୁ ସମବେଦନା ଜଣାଇଛନ୍ତି।

ରାଜନୈତିକ, ସାମାଜିକ ଜୀବନରେ ଅପୂରଣୀୟ କ୍ଷତି : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ମହାରଥୀ ଜଣେ ଖୁସି ମିଜାଜ୍‌ର ବ୍ୟକ୍ତି ଥିଲେ। କୌଣସି ପ୍ରସଙ୍ଗରେ ରୋକ୍‌ଠୋକ୍ ଭାବେ ନିଜର ମତ ରଖିବା ସହ ସ୍ବତନ୍ତ୍ର ଉପସ୍ଥାପନା ଶୈଳୀ ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ। ସବୁବେଳେ ଲୋକଙ୍କ ସାଙ୍ଗରେ ରହୁଥିଲେ ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗୁଥିଲେ। ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ତଥା ସାମାଜିକ ଜୀବନରେ ଅପୂରଣୀୟ କ୍ଷତି ହେଲା।

ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ନେତା ଥିଲେ : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ‌ଶୋକ ବାର୍ତ୍ତାରେ କହିଛନ୍ତି ଯେ ପ୍ରଦୀପ ବାବୁ ଆମ୍ଭମାନଙ୍କୁ ଅକାଳରେ ଛାଡ଼ି ଚାଲିଯାଇଛନ୍ତି। ଦଳ, ମତ ନିର୍ବିଶେଷରେ ସମସ୍ତଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲା। ସାଧାରଣ ଲୋକଙ୍କ ପାଇଁ କାମ କରିବା ଥିଲା ତାଙ୍କର ଧର୍ମ। ଓଡ଼ିଶା ରାଜନୀତିରେ ସେ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ନେତା ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଯେଉଁ ଅପୂରଣୀୟ କ୍ଷତି ହେଲା, ତାହା ପୂରଣ ହେବା ସହଜ ନୁହେଁ।

ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ, ଅରୁଣ ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସମୀର ଦାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସାଂସଦ ପିନାକୀ ମିଶ୍ର, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଣବପ୍ରକାଶ ଦାସ, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚ୍ଚୀ ନାୟକ, ସୌଭିକ ବିଶ୍ବାଳ, ସୁବ୍ରତ ତରାଇ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ପୂର୍ବତନ ବିଧାୟକ ସରୋଜ ସାମଲ, ପ୍ରଭାତ ବିଶ୍ବାଳ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା, ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ସାହୁ, ଓଡ଼ିଶା ରାଜ୍ୟ ସରକାରୀ ଅଣ ରେଗୁଲାର୍‌ କର୍ମଚାରୀ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଗଗନ ଭଞ୍ଜ, ବିଦ୍ୟାଧର ବାରିକ ମେ‌ମୋରିଆଲ୍‌ ଟ୍ରଷ୍ଟର ଅଧ୍ୟକ୍ଷ ଖଗେନ୍ଦ୍ର ବେହେରା ଓ ମ୍ୟାନେଜିଂ ଟ୍ରଷ୍ଟି ମନୋଜ ବାରିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଭୋ ଭୋ କାନ୍ଦିଲେ ରାନୀ ପଣ୍ଡା
ପ୍ରଦୀପ ମହାରଥୀଙ୍କ ବିୟୋଗ କଥା ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଅଭିନେତ୍ରୀ ରାନୀ ପଣ୍ଡା। ରାନୀ କହିଛନ୍ତି, ତାଙ୍କ ପାଇଁ ମୁଁ ଆଜି ଓଡ଼ିଶା ଯାତ୍ରା ଜଗତରେ ଆଇଟମ୍ କୁଇନ୍ ଭାବରେ ପରିଚିତ। ତାଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠିତ ନାଟକ ସଂସ୍ଥାନରେ କାମ କରିବାର ସୁଯୋଗ ମିଳିଥିଲା। ରାନୀ ନିକଟରେ ଗଣମାଧ୍ୟମ ଆଗରେ କହିଥିଲେ, ‘ପ୍ରଦୀପ ମହାରଥୀଙ୍କ ଭଳି ଟୋକା ମିଳିଲେ ମୁଁ ବାହାହେବି’। ସେ ମୋତେ କହିଥିଲେ ‘ତେ‌ତେ ଯିଏ ଯାହା କହୁଛି କିଛି ନ ଶୁଣି କାମରେ ଧ୍ୟାନ ଦେ। ଆଗକୁ ବଢ଼। ମୋତେ କଳିଙ୍ଗ ଗଣନଟ୍ୟରେ କାମ କରିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଅନେକଥର ତାଙ୍କ ଅପେରାରେ ନିମନ୍ତ୍ରିତ କଳାକାର ଭାବେ କାମ କରିଛି। ତାଙ୍କ ଭଳି ଆମାୟିକ, କଳାପ୍ରେମୀ ଓ ହୃଦୟ ଗ୍ରାହୀ ବ୍ୟକ୍ତିଙ୍କୁ ହରାଇ ମୁଁ ମୋ ଗଡ୍‌ ଫାଦରଙ୍କୁ ହରାଇଛି।

ସମ୍ବନ୍ଧିତ ଖବର