ରାଇମୋହନଙ୍କ ବିୟୋଗରେ ଶୋକ

ଅମର ଆତ୍ମାର ସଦ୍‌ଗତି ହେଉ: ରାଜ୍ୟପାଳ
ଓଡ଼ିଆ ଚଳଚ୍ଚିତ୍ର, ମେଗା ଧାରାବାହିକ ଓ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଦୁଃଖଦ ବିୟୋଗକୁ ନେଇ ରାଜ୍ୟପାଳ ପ୍ର‌ଫେସର ଗଣେଶୀ ଲାଲ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି।

ତାଙ୍କ ଅନୁପସ୍ଥିତି ଅନୁଭବ ହେବ: ମୁଖ୍ୟମନ୍ତ୍ରୀ
ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରିଛନ୍ତି, ତାଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠାରୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ‌ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସନ୍‌ଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି।

ରାଇମୋହନଙ୍କ ଅଭିନୟର ସ୍ଥାନ କେହି ନେଇପାରିବେ ନାହିଁ: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ଲୋକପ୍ରିୟ କଳାକାର ତଥା ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ୍ତ ଓ ବିରଳ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଓଡ଼ିଶା ସିନେ ଓ ଯାତ୍ରା ଜଗତରେ ତାଙ୍କ ଭଳି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନାହିଁ। ଅଭିନୟ କ୍ଷେତ୍ରରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱତନ୍ତ୍ର ସ୍ଥାନ କେହି ନେଇପାରିବେ ନାହିଁ।

ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ଅତୁଳନୀୟ: ବୈଜୟନ୍ତ
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକପ୍ରକାଶ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଅତୁଳନୀୟ ଅବଦାନ ପାଇଁ ରାଇମୋହନ ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି।

ତାଙ୍କ ଜୀବନ୍ତ ଅଭିନୟ ତାଙ୍କୁ ପରିଚିତି ଦେଇଥିଲା: ସମୀର ମହାନ୍ତି
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ବିଟ୍‌ କରି କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଓଡ଼ିଶାର ଘରେ ଘରେ ଅଭିନୟ କ୍ଷେତ୍ରରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱତନ୍ତ୍ର ସ୍ଥାନ ଚିରସ୍ମରଣୀୟ ହୋଇରହିବ।

ଶୂନ୍ୟସ୍ଥାନ ଅପୂରଣୀୟ: ସଂସ୍କୃତି ନି‌ର୍ଦ୍ଦେଶକ
ରାଇମୋହନଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଇମୋହନଙ୍କ ବିୟୋଗରେ ଓଡ଼ିଶାର ଅଭିନୟ ଜଗତରେ ଯେଉଁ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ତାହା ଅପୂରଣୀୟ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର