ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀଙ୍କ ପରଲୋକରେ ଶୋକ

ଶୋକ ବ୍ୟକ୍ତ କଲେ ରାଜ୍ୟପାଳ
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଗଭୀର ଶୋକ ବ୍ୟକ୍ତି କରିଛନ୍ତି। ଟ୍ବିଟ୍‌ ଯୋଗେ ପ୍ରଫେସର ଲାଲ୍‌ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତ ଅଲ୍ଲୀଙ୍କ ବିୟୋଗ ରାଜ୍ୟପାଇଁ ବଡ଼ କ୍ଷତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ରାଜ୍ୟପାଳ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶେକ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ବିଟ୍‌ ଯୋଗେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତ ଅଲ୍ଲୀଙ୍କ ଦେହାନ୍ତ ବିଷୟରେ ଜାଣି ସେ ଅତ୍ୟନ୍ତ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଜୟନ୍ତୀ ପଟ୍ଟନାୟକଙ୍କ ଶୋକ
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ମତଲୁବ ଅଲ୍ଲୀଙ୍କ ବିୟୋଗରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକବାର୍ତ୍ତା‌‌‌‌‌‌‌ରେ ସେ କହିଛନ୍ତି, ସ୍ବର୍ଗତ ଅଲ୍ଲୀ ଓଡ଼ିଶା କଂଗ୍ରେସର ଆଗଧାଡ଼ିର ନେତା ଥିଲେ। ତାଙ୍କ ଦୃଢ଼ ସଂଗଠନ ଯୋଗୁଁ ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ବହୁବାର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଲୋକମାନଙ୍କର ସୁଖଦୁଃଖରେ ନିଜକୁ ସାମିଲ କରୁଥ‌ିଲେ। ସେ କର୍ମୀମାନଙ୍କ ସହ ନିଜକୁ ସାମିଲ କରି ଅତି ବିଶ୍ବାସଭାଜନ ହୋଇପାରିଥିଲେ। ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ ଓ ସ୍ବର୍ଗୀୟ ପଟ୍ଟନାୟକଙ୍କର ଅତି ବିଶ୍ବସ୍ତ ଥିଲେ। ତାଙ୍କ ମୃତ୍ୟୁରେ କଂଗ୍ରେସର ଅପୂରଣୀୟ କ୍ଷତି ଘଟିଲା। ମୁଁ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଆନ୍ତରିକ ସମବେଦନା ଜଣାଉଛି।

ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ ଅଲ୍ଲୀଙ୍କ ବିୟୋଗରେ ରାଜ୍ୟର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର