ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

କଳା ଓ ସଙ୍ଗୀତ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି
ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ କଳା ଓ ସଙ୍ଗୀତ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ହରାଇଲି
ଅମରେନ୍ଦ୍ର ମୋର ଭଲ ବନ୍ଧୁ। ସେ ସାଇକେଲ କି ଗାଡି ଚଲାଇ ଜାଣିନଥିଲା। କଲେଜରେ ପଢ଼ିବା ବ‌େଳେ ମୁଁ ତାଙ୍କୁ ସାଇକେଲ୍‌ରେ ସବୁ ଆଡେ ନେଉଥିଲି। ତା ଠାରୁ ମୁଁ ସାଦାପାନ ଖାଇବା ଶିଖିଛି। ପରେ ଆମେ ସଂଗୀତ କ୍ଷେତ୍ରରେ ମିଶିକି କାମ କଲୁ। ସେ ଭଲ ସଂଗୀତ ନିର୍ଦ୍ଦେଶନା ଦିଏ। ସେ ନିଜେ ଭଲ ଗୀତ ବି ଗାଏ। ତାର ନି‌ର୍ଦ୍ଦେଶନା ଓ ମୋ କଣ୍ଠଦାନରେ ‘ଚନ୍ଦନଯାତ୍ରା’, ଓ ‘ଭଜନ ରଥ’ ଦୁଇଟି କ୍ୟାସେଟ୍ କଲୁ। ଏଥି‌ରେ ଆମେ ଉଭୟ ବହୁ ମାତ୍ରାରେ ସଫଳତା ପାଇଲୁ। ଖାଲି ସେକିତି ନୁହେଁ, ପୂର୍ବରୁ ତଳିତଳାନ୍ତ ହୋଇଥିବା ସଂପୃକ୍ତ ପ୍ରଯୋଜକ ଜଣକ ସେ ଦୁଇଟି କ୍ୟାସେଟ୍‌ରେ ପର୍ଯ୍ୟାପ୍ତ ଆର୍ଥିକ ଫାଇଦା ପାଇଲେ। ଅମରେନ୍ଦ୍ରର ଅବର୍ତ୍ତମାନ ମୋ ପାଇଁ ଏକ ବିରାଟ କ୍ଷତି। ମୁଁ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ହରାଇଲି। ଭଗବାନ ତାଙ୍କୁ ଶାନ୍ତିରେ ନିଜ କୋଳରେ ସ୍ଥାନ ଦିଅନ୍ତୁ।
ସୁବାସ ଦାଶ, କଣ୍ଠଶିଳ୍ପୀ ତଥା ସଂଗୀତ ନ‌ି‌ର୍ଦ୍ଦେଶକ

ମୋ’ ସଫଳତାର ବଡ଼ ଭାଗୀଦାର ଅମରେନ୍ଦ୍ର ମହାନ୍ତି
ମୋର ପ୍ରଥମ ଚଳଚ୍ଚିତ୍ର ‘ଶ୍ରଦ୍ଧାଞ୍ଜଳି’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି। ସେ ସମୟରେ ‘ଶ୍ରଦ୍ଧାଞ୍ଜଳି’ ଚଳଚ୍ଚିତ୍ର ବି ମ୍ୟୁଜିକାଲ୍‌ ହିଟ୍‌ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର କଥା ଯେତେବେଳେ ଉଠେ ସେତେବେଳେ ପୁଚୁକି ଗାଲି ଫେସନ ବାଲି… ଗୀତ ବିନା ଯେମିତି ଆମ ଚଳଚ୍ଚିତ୍ର ଜଗତ ଅଧୁରା। ଏହି ଗୀତ ତଥା ଏହି ଚଳଚ୍ଚିତ୍ର ‘ସୁନା ପଞ୍ଜୁରୀ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ବର୍ଗତ ମହାନ୍ତି। ଆଉ ଏହାପରଠୁ ଓଡ଼ିଆ ଚଳଚ୍ଚିତ୍ରରେ ଗୀତର ଧାରାରେ ବିରାଟ ପରିବର୍ତ୍ତନ ଆସିଥିଲା ଓ ମୁଁ ବି ସୁପରଷ୍ଟାର ହୋଇଯାଇଥିଲି। କହିବାକୁ ଗଲେ ମୋର ଏ ସଫଳତାର ବଡ଼ ଭାଗୀଦାର ହେଉଛନ୍ତି ଅମରେନ୍ଦ୍ର ମହାନ୍ତି। ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଭାରି ନିବିଡ଼। ଏଇ କିଛି ଦିନ ତଳେ ନୂଆ ଏକ ପ୍ରୋଜେକ୍ଟ ନେଇ ଆମେ ଯୋଜନା କରିଥିଲୁ। କିନ୍ତୁ କରୋନାର ଦ୍ବିତୀୟ ଲହର ଯୋଗୁଁ କଥା ବଢ଼ିପାରିନଥିଲା। କିନ୍ତୁ ସେ କହିଥିଲେ ମହାମାରୀ ସରିଲେ ଆମେ ଆଗେଇବା। କିନ୍ତୁ ଏବେ ଅଧାବାଟରେ ଏମିତି ଠକି ଦେଇ ଚାଲିଗଲେ।
ସିଦ୍ଧାନ୍ତ ମହାପାତ୍ର, ବିଶିଷ୍ଟ ଅଭିନେତା, ପୂର୍ବତନ ସାଂସଦ

ଭିକାରି ବଳଙ୍କ ପାଇଁ ଶହ ଶହ ଗୀତ ପ୍ରସ୍ତୁତ କରଥିଲେ
ମାତ୍ର ୧୯ ବର୍ଷ ବୟସରୁ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରି ଦେଇଥିଲେ ସ୍ବର୍ଗତ ମହାନ୍ତି। ସେ ଖାଲି ମେଲୋଡିଅସ୍‌ ସଙ୍ଗୀତ ନୁହେଁ ଭଜନ ଓ ଗଜଲ ପାଇଁ ବି ସୁପ୍ରସିଦ୍ଧ। ଭିକାରି ବଳଙ୍କ ପାଇଁ ସେ ପ୍ରସ୍ତୁତ କରିଥିବା ଭଜନ ଆଲ୍‌ବମ୍‌ ‘ମୁଁ ତ’ ବଡ଼ ଦେଉଳର ପାରା ରେ… ବହୁତ୍‌ ହିଟ୍‌ ଓ ଲୋକପ୍ରିୟ ହୋଇଥିଲା। ଏହା ପରେ ଭିକାରି ବଳଙ୍କ ପାଇଁ ସେ ଶହ ଶହ ଗୀତର ସଂଯୋଜନା କରିଥିଲେ। ଭିକାରି ବଳ ଭଜନ ସମ୍ରାଟ ହେବା ପଛରେ ସ୍ବର୍ଗତ ମହାନ୍ତିଙ୍କର ଅବଦାନ ବହୁତ ଅଧିକ ରହିଛି। ଦୁଇ ବର୍ଷ ତଳେ ସେ ତାଙ୍କ ପତ୍ନୀକୁ ହରାଇଥିଲେ। ଏହାପରେ ସେ କଟକ ଛାଡ଼ି ଭୁବନେଶ୍ବରର ରହିବା ଆରମ୍ଭ କରି ଦେଇଥିଲେ। ଭୁବନେଶ୍ବରସ୍ଥିତ ଶୈଳଶ୍ରୀ ବିହାରରେ ସେ ଅମରେନ୍ଦ୍ର ମହାନ୍ତି ମ୍ୟୁଜିକ୍‌ ଏକାଡେମି ପ୍ରତିଷ୍ଠା କରି ସେଠାରେ ସଙ୍ଗୀତ ଶିକ୍ଷା ଦେଉଥିଲେ। କଟକରେ ବି ତାଙ୍କର ‘ଆଶା ଷ୍ଟୁଡିଓ’ ବୋଲି ଏକ ଷ୍ଟୁଡିଓ ଥିଲା।
ଦେବାଶିଷ ମହାପାତ୍ର, କଣ୍ଠଶିଳ୍ପୀ

ଓଡ଼ିଆ ସଙ୍ଗୀତରେ ଦେଇଥିଲେ ମେଲୋଡି ତଡ୍‌କା
୯୦ ଦଶକରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଯେତେବେଳେ ଅମରେନ୍ଦ୍ର ମହାନ୍ତି ପ୍ରବେଶ କରିଥିଲେ ସେ ସଙ୍ଗୀତର ଚିରାଚରିତ ଧାରାକୁ ପରିବର୍ତ୍ତନ କରି ଦେଇଥିଲେ। ଗୀତର ବିଟ୍‌ ଓ ରିଦିମ୍‌କୁ ସେ ଅଧିକ ଦ୍ରୁତ କରି ଦେବା ସହ ତାଙ୍କ ସଙ୍ଗୀତରେ ମେଲୋଡିର ସମିଶ୍ରଣ ଘଟିଥିଲା। ଫଳରେ ଚିରାଚରିତ ଧାରାରୁ ବଦଳିଥିବା ଏହି ମେଲୋଡିଅସ୍‌ ସଙ୍ଗୀତ ଦର୍ଶକାଦୃତ ହୋଇଥିଲା ଓ ତାଙ୍କର ସବୁ ଚଳଚ୍ଚିତ୍ର ମ୍ୟୁଜିକାଲ୍‌ ହିଟ୍‌ ହେବାରେ ଲାଗିଲା। ଓଡ଼ିଆ ଚଳଚ୍ଚିତ୍ରରେ ମସଲା ଓ ମନୋରଞ୍ଜନଧର୍ମୀ ସଙ୍ଗୀତ ପାଇଁ ସେ ବେଶ୍‌ ଲୋକପ୍ରିୟ ଥିଲେ। ଏଥିସହ ଲୋକଗୀତକୁ ନେଇ ସେ ବହୁ ପରୀକ୍ଷଣ କରିଥିଲେ। ସେ ତାଙ୍କର ପ୍ରଥମ ସଙ୍ଗୀତ ସଂଯୋଜନା ୧୯୭୮ ମସିହାର ଭିକାରି ବଳଙ୍କ ଗୀତ ‘ପଚାରିଲେ ରାଧିକା… ରୁ କରିଥିଲେ। ଅକ୍ଷୟ ମହାନ୍ତି ୧୯୭୭ ମସିହାରେ ସ୍ବର୍ଗତ ଅମରେନ୍ଦ୍ର ମହାନ୍ତିଙ୍କୁ ନେଇ ପ୍ରଥମ ଗୀତ ‘ସହରର ସବୁ କଡ଼େ ରଖିଛି ମୁଁ ଜଣେ ଜଣେ…ରେକର୍ଡ କରିଥିଲେ। ଅକ୍ଷୟ ମହାନ୍ତିଙ୍କ ସହ ସେ ବହୁତ ଅନ୍ତରଙ୍ଗ ଥିଲେ। ଅମରେନ୍ଦ୍ର ମହାନ୍ତିଙ୍କ ଏକ କବିତା ‘ଭୁଲି ମୁଁ ପାରୁନି ତୁମର ସେ ଅସ୍ତରଙ୍ଗର… ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲେ।
ସୂର୍ଯ୍ୟ ଦେଓ; ସିନେ ସମୀକ୍ଷକ

ସେ ସମସ୍ତଙ୍କ ଷ୍ଟ୍ରଙ୍ଗ ପଏଣ୍ଟ୍ ଆଉ ଦୁର୍ବଳତା ଜାଣି ଥିଲେ
ବୁଲୁ ଭାଇ ସମସ୍ତଙ୍କ ଷ୍ଟ୍ରଙ୍ଗ ପଏଣ୍ଟ ଆଉ ସମସ୍ତଙ୍କ ଦୁର୍ବଳତା ଜାଣିଥିଲେ। କାହା କଣ୍ଠରେ କେଉଁ ଗୀତ ହିଟ୍ ହେବ ତାହା ତୁରନ୍ତ ପରଖି ନେବାରେ ସେ ସିଦ୍ଧହସ୍ତ ଥିଲେ। ଉଭୟ ଚଳଚ୍ଚିତ୍ର ଆଉ ଭଜନକୁ ଲୋକପ୍ରିୟ କରିବା, ସଂଗୀତରେ ନୂଆ ଧାରା ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଏମିତି କେହି ହୁଏତ ବିଶିଷ୍ଟ କଣ୍ଠଶିଳ୍ପୀ ନାହାନ୍ତି, ଯିଏ ତାଙ୍କ ନିର୍ଦ୍ଦେଶନାରେ ସଂଗୀତ ଗାଇ ନାହାନ୍ତି। ସେ ତ ମୋର ଅତ୍ୟନ୍ତ ଅନ୍ତରଙ୍ଗ ଆଉ ଘନିଷ୍ଠ ଥିଲେ। ଆଇସିୟୁକୁ ଯିବା ପର୍ଯ୍ୟନ୍ତ ତାଙ୍କ ସହିତ ନିୟମିତ କଥା ହେଉଥିଲି। ସେ ଏମିତି ଛାଡି ଯିବେ ବୋଲି ବିଶ୍ବାସ କରି ହେଉନି। ସେ ଥିଲେ ମୋ’ ବଡ ଭାଇ ଭଳି। ମୋ’ ପାଇଁ ଏହା ଏକ ବ୍ୟକ୍ତିଗତ ଅପୂରଣୀୟ କ୍ଷତି।
ବିଭୁ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ

ଅତ୍ୟନ୍ତ ଖିଆଲି ମଣିଷ, ଅନ୍ୟକୁ ସୁଯୋଗ ଦେଉଥିଲେ
ତାଙ୍କ ଭଳି ଖିଆଲି ଆଉ ପ୍ରତିଭାସଂପନ୍ନ ମଣିଷ ଖୁବ୍ କ୍ବଚିତ ମିଳନ୍ତି। ବଡ଼ ଆଉ ବିଳାସୀ ମନ, ବିଳାସୀ ଚଳଣି, ବେପରୱା, ଆର୍ଥିକ କାରବାରରେ ବେହିସାବି। ଆଉ ସବୁଠୁ ତାଙ୍କର ବିଶେଷ ଗୁଣ ହେଉଛି ଅନ୍ୟ ମାନଙ୍କୁ ସୁଯୋଗ ଦେବା ଆଉ ଅନ୍ୟକୁ ଆଗକୁ ବଢିବା ପାଇଁ ବାଟ ଛାଡ଼ିବା। ସେ ଅତ୍ୟନ୍ତ ସୁନ୍ଦର ଗୀତ ରଚନା କରନ୍ତି। କିନ୍ତୁ ସେ ସବୁ କଥାକୁ ନିଜେ ମାଡ଼ି ନ ବସି, ଅନ୍ୟ ମାନଙ୍କ ଜରିଆରେ କାମ କରନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତରେ ଏକ ଯୁଗର ଅନ୍ତ ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ବିଜୟ ମଲ୍ଲ; ବିଶିଷ୍ଟ ସଂଗୀତକାର

ଅନ୍ୟକୁ ସାହାଯ୍ୟ କରିବାକୁ ସର୍ବଦା ଆଗଭର
ବୁଲୁ ଭାଇ ନିସ୍ବାର୍ଥପର ଭାବେ କାମ କରନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ଆଉ ବନ୍ଧୁବତ୍ସଳ। ତାଙ୍କ ଦିଗଦର୍ଶନରେ ମୁଁ ଗୀତ ଗାଇଛି। ଗୀତ ଶିଖିଛି। ସେ ଆଗକୁ ବଢିବାକୁ ଉତ୍ସାହିତ କରୁଥିଲେ। ସେ ଅନ୍ୟକୁ ସାହଯ୍ୟ କଲା ବେଳେ ଆଗପଛ ଭାବୁ ନଥିଲେ। ତାଙ୍କ ବିୟୋଗରେ ମୁଁ ମୋ’ ମୁରବୀଙ୍କୁ ହରାଇଲି। ଏଭଳି ବୟସରେ ଏଭଳି ମୃତ୍ୟୁ ଅତ୍ୟନ୍ତ ବେଦନା ଦାୟକ।
ଶରତ ନାୟକ, ବରିଷ୍ଠ ପୁଲିସ ଅଧିକାରୀ, କଣ୍ଠଶିଳ୍ପୀ

ସେ ଥିଲେ ମୋ ସଂଘର୍ଷ ଜୀବନର ସାଥୀ
ତାଙ୍କ ଘର ଆମ ତରୁଣ କଳାକାରଙ୍କ ପାଇଁ ଆଖଡ଼ାଘର ଥିଲା। ‘ଶ୍ରୀ ଷ୍ଟୁଡିଓ’ ମାଧ୍ୟମରେ ସେ ବହୁ କଳାକାରଙ୍କୁ ଗଢିଛନ୍ତି। ବହୁ ସଂଗୀତ ନି‌ର୍ଦ୍ଦେଶକ ଥିଲେ ମଧ୍ୟ ଭିକାରି ବଳ ଅମରେନ୍ଦ୍ରଙ୍କୁ ପ୍ରାଧାନ୍ୟ ଦେଉଥିଲେ। ଓଡ଼ିଆ ସିନେମାରେ ‘ପୁଚୁକି ଗାଲି ଫେସନ ବାଲି…’ ଭଳି ସଂଗୀତ ‌ନିର୍ଦ୍ଦେଶନା ଦେଇ ସେ ‌ଓଡ଼ିଆ ସିନେମାରେ ନୂଆ ଟ୍ରେଣ୍ଡ୍‌ ସୃଷ୍ଟି କରିଥିଲେ। ପୂର୍ବରୁ ଲୋକ ଯାତ୍ରା ଦେଖୁଥିଲେ, ଯାତ୍ରା ଗୀତ କେହି ଶୁଣୁନଥିଲେ। କିନ୍ତୁ ‘ସବାରୀ ଚାଲେ‌ ଲୋ ଧୀରେ ଧୀରେ’ ଯାତ୍ରା ପରେ ଲୋକେ ଯାତ୍ରାଗୀତ ଶୁଣିବା ଆରମ୍ଭ କଲେ। ଏହା ହିଁ ସେ ଆରମ୍ଭ କରିଥ‌ିଲେ। ମୋର ଅନେକ ସଂଗୀତରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ମୋ ଗୀତ ‘ତୁ ମୋଦୀ ମୁଁ ଗାନ୍ଧୀ…’ରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏହା ମୋ ସହିତ ତାଙ୍କର ଶେଷ କାର୍ଯ୍ୟ।
ଶରଣାରବିନ୍ଦ, ବିଶିଷ୍ଟ ସଂଳାପ ଲେଖକ ତଥା ଗୀତିକାର

ସେ ଥିଲେ ସଂଗୀତର ଯାଦୁଗର
ଅମରେନ୍ଦ୍ର ମହାନ୍ତି ଥିଲେ ସଂଗୀତର ଯାଦୁଗର। ଯାତ୍ରା, ଭଜନ, ଚଳଚ୍ଚିତ୍ରରେ ସେ ନିଆରା ଶୈଳୀରେ ସେ ସଂଗୀତ ନିର୍ଦ୍ଦେଶନା ଦେଉଥିଲେ। ସେ ଦେଇଥିବା ସ୍ବର ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ଜଣେ ବ୍ୟକ୍ତି ଭାବେ ସେ ଥିଲେ ଉଦାର ଓ ବନ୍ଧୁବତ୍ସଳ। ତାଙ୍କ ପ‌ରଲୋକ ଆମ ଓଡ଼ିଶାର କଳା, ସଂଗୀତ କ୍ଷେତ୍ର ପାଇଁ ଏକ ବଡ଼ କ୍ଷତି।
ଗୀତିକାର ଦିଲ୍ଳୀପ ଜେନା, ସଦସ୍ୟ, ଚଳଚ୍ଚିତ୍ର ସେନ୍‌ସର ବୋର୍ଡ

ତାଙ୍କ ଗୀତରେ ସେ ଅମର ରହିବେ
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ସମଗ୍ର ଓଡ଼ିଶା ଓ ଓଡ଼ିଆ ଶ୍ରୋତାମାନଙ୍କ ମନକୁ ଆନ୍ଦୋଳିତ କରିଛି। ସ୍ବର୍ଗତ ମହାନ୍ତିଙ୍କର ସୁନା ପଞ୍ଜୁରୀ ଚଳଚ୍ଚିତ୍ରର ପୁଚୁକି ଗାଲି ଫେସନବାଲି… ଗୀତ ଓଡ଼ିଶାର ସର୍ବାଧିକ ହିଟ୍‌ ଗୀତ ପ୍ରମାଣିତ ହୋଇଥିଲା। ଏହି ଗୀତ ଯୋଗୁଁ ସିଦ୍ଧାନ୍ତ ମହାମାତ୍ର ସୁପରଷ୍ଟାର ହୋଇପାରିଥିଲେ। ତାଙ୍କର ପ୍ରତିଟି ଗୀତ ଓଡ଼ିଆ ଶ୍ରୋତାଙ୍କ ମନରେ ତାଙ୍କୁ ଜୀବନ୍ତ ରଖିବ।
ଦିଲ୍ଲୀପ ହାଲି, ସିନେ ସମୀକ୍ଷକ

ବିଶ୍ବାସ କରି ହେଉନି…
ବିଶ୍ବାସ କରି ହେଉନି ଯେ, ବିଚକ୍ଷଣ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି। ତାଙ୍କ ସହ ମୋର ଦୀର୍ଘ ଦୀନର ସମ୍ପର୍କ। ସମ୍ରାଟ କ୍ୟାସେଟ୍ରେ ‘ଶ୍ରୀକ୍ଷେତ୍ରମଣି’ରେ ସେ ସଙ୍ଗୀତକାର ଥିଲେ। ମୁଁ ଗାଇଥିବା ଦୁଇଟି ଗୀତ ଭିତରେ ‘ଭୋକ ହେଉଥିଲେ ପେଟେ ଖାଇବୁ ଯା ପୁରୀକୁ… ଶୋଷ ହେଉଥିଲେ ପେଟେ ପିଇବୁ ଯା ପୁରୀକୁ… ଗୀତ ସେତେବେଳେ ବେଶ୍‌ ଚହଳ ପକାଇଥିଲା। ତାଙ୍କ ସହ ସଙ୍ଗୀତ ଗାଇବାର ମଜା ଥିଲା ଖୁବ୍‌ ନିଆରା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ଅଜୟ ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ

ସମ୍ବନ୍ଧିତ ଖବର