ଜଣେ ରାଜନେତା ଭାବେ ତାଙ୍କର ଅବଦାନ ସ୍ମରଣୀୟ ରହିବ: ରାଜ୍ୟପାଳ
ଭୁବନେଶ୍ବର : ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ଜଣେ ରାଜନେତା ଓ ବିଧାୟକ ଭାବେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ଜନପ୍ରିୟ ନେତା ଭାବେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ: ମୁଖ୍ୟମନ୍ତ୍ରୀ
କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ମୁଁ ଗଭୀର ଭାବେ ମର୍ମାହତ। ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ। ମନ୍ତ୍ରୀ ତଥା ବିଧାୟକ ଭାବେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ। ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା।
ଓଡିଶା ଜଣେ ସ୍ପଷ୍ଟବାଦୀ ରାଜନେତାଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ
କିଶୋର ମହାନ୍ତିଙ୍କ ବିୟୋଗରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗରେ ଓଡିଶା ଜଣେ ଟାଣୁଆ ଏବଂ ସ୍ପଷ୍ଟବାଦୀ ରାଜନେତାଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
୨୦୦୦ ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। ୨୦୦୪ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ। ନିକଟରେ ଶ୍ରୀମନ୍ଦିର ଦର୍ଶନ କରି ଫେରିବା ସମୟରେ କିଶୋର ଭାଇ ଏବଂ ସପରିବାର ସହ ସାକ୍ଷାତ ହୋଇଥିଲା । ମୁଁ ବିଶ୍ୱାସ କରିପାରୁ ନାହିଁ ଆଜି ସେ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି।
ସେହିପରି ଶ୍ରୀ ମହାନ୍ତିଙ୍କ ବିୟୋଗରେ ମନ୍ତ୍ରି ମଣ୍ଡଳର ଅନ୍ୟ ସଦସ୍ୟ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଭୂପିନ୍ଦର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଆଶିଷ କାନୁନ୍ଗୋ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/kishore-mohanty.jpg)