ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଶୋକ

ଓଡ଼ିଶାବାସୀ ଚିରକାଳ ମନେ ରଖିବେ : ରାଜ୍ୟପାଳ
ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ସିନେଜଗତକୁ ୬୦ ବର୍ଷ ଧରି ନିଜ ସଂଗୀତ ଦ୍ୱାରା ବାନ୍ଧି ରଖିଥିବା ଶ୍ରୀ ମହାପାତ୍ରଙ୍କୁ ଓଡ଼ିଶାବାସୀ ଚିରକାଳ ମନେ ରଖିବେ ବୋଲି ରାଜ୍ୟପାଳ କହିଛନ୍ତି। ସେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସଙ୍ଗୀତ ଦୁନିଆର ଥିଲେ ମାଇଲିଖୁଣ୍ଟ : ଆନ୍ଧ୍ର ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରି କହିଛନ୍ତି, ସ୍ବର୍ଗତ ମହାପାତ୍ର ସଙ୍ଗୀତ ଦୁନିଆର ଏକ ମାଇଲ ଖୁଣ୍ଟ ଥିଲେ। ତାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି। ସେ ସରକାରୀ ଚାକିରି ସହିତ ସଙ୍ଗୀତ ନିର୍ଦ୍ଦେଶନା ଉଭୟ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିଥିଲେ। ସେ ଏକମାତ୍ର ଓଡ଼ିଆ ଯେ କି ବହୁଭାଷୀ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଜାତୀୟ ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଏବେ ଆମେ ଜଣେ ମହାନ ସଙ୍ଗୀତ ସାଧକଙ୍କୁ ଚିରଦିନ ପାଇଁ ହରାଇ ବସିଲୁ।

ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମୁଖ୍ୟମନ୍ତ୍ରୀ
ଶାନ୍ତନୁ ମହାପାତ୍ରଙ୍କୁ ଭାରତୀୟ ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଜଣେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ସଙ୍ଗୀତ ପ୍ରତି ସେ ସାରା ଜୀବନ ସମର୍ପିତ ଥିଲେ। ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ହିଁ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମ‌େବଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ଓଡ଼ିଆ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସ୍ବର୍ଗତ ମହାପାତ୍ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ସଙ୍ଗୀତ ଜଗତ ପାଇଁ ବିରାଟ କ୍ଷତି : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକାବାର୍ତ୍ତାରେ କହିଛନ୍ତି ଯେ ଶାନ୍ତନୁ ମହାପାତ୍ରଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ବିରାଟ କ୍ଷତି। ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଚିଲିକା ତୀରେ ଆଦି ଓଡ଼ିଆ ଚଳଚ୍ଚିିତ୍ରରେ ତାଙ୍କର ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଶାନ୍ତନୁ ମହାପାତ୍ରଙ୍କ ବି‌ୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର