ବିଧାନସଭାରେ ଶୋକ 

ଭୁବନେଶ୍ୱର : ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୩ ଜଣ ପୂର୍ବତନ ମନ୍ତ୍ରୀ, ୬ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ବିୟୋଗରେ ଶୁକ୍ରବାର ଦିନ ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି। ଦିବଂଗତ ପୂର୍ବତନ ମନ୍ତ୍ରୀ ହେଲେ ରାମକୃଷ୍ଣ ପଟ୍ଟନାୟକ, ଦୁର୍ଯ୍ୟୋଧନ ମାଝୀ ଓ ଦେବରାଜ ସାହୁ, ପୂର୍ବତନ ବିଧାୟକମାନେ ହେଲେ ଉଦୟ ନାରାୟଣ ଦେବ, ବିଜୟ କୁମାର ଜେନା, କାଙ୍ଗାଳି ଚରଣ ପଣ୍ଡା, ରାଜୀବ ଲୋଚନ ହୋତା, ଅଜିତ ଦାସ ଓ ରୋଶନୀ ସିଂହଦେଓ। ସେହିପରି ରାଜ୍ୟରେ କରୋନା ମୁକାବିଲା ସମୟରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା।

ରାଜ୍ୟପାଳଙ୍କ ଅଭିଭା‌ଷଣ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦିବଂଗତ ସଦସ୍ୟମାନଙ୍କ ସଦସ୍ୟଙ୍କ ସଂକ୍ଷିପ୍ତ ରାଜନୈତିକ ଜୀବନୀ ବିଷୟରେ ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତ ସଦସ୍ୟମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର