ଭୁବନେଶ୍ବର: ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ପ୍ରଫୁଲ୍ଲ କର ଆଉ ନାହାନ୍ତି। ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ୮୩ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। କିନ୍ତୁ ପରିଣତ ବୟସ ପର୍ଯ୍ୟନ୍ତ ସେ ସଂଗୀତ ସାଧନାରେ ବ୍ରତୀ ଥିଲେ। ତାଙ୍କ ମୃତ୍ୟୁ ସାଂସ୍କୃତିକ ଜଗତ ପ୍ରତି ଧକ୍କା ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି କହିଛନ୍ତି। ଏ ସଂକ୍ରାନ୍ତରେ ଶୋକ ବ୍ୟକ୍ତ କରି ବିଶିଷ୍ଟ ସଂଗୀତଜ୍ଞ ତଥା କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ କହିଛନ୍ତି ଯେ, ପ୍ରଫୁଲ୍ଲ କର ଥିଲେ ଜଣେ ନିଆରା ବ୍ୟକ୍ତିତ୍ବ। ସଂଗୀତ ଜଗତରେ ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତିଙ୍କ ପଛକୁ ତାଙ୍କ ନାମ ଆସିବ। କାରଣ ନିଜେ ଗାଇବା, ନିଜେ ଲେଖିବା ଓ ସ୍ବର ସଂଯୋଜନା କରିବା ଏ ୩ଟି କ୍ଷେତ୍ରରେ ବାଳକୃଷ୍ଣ ଦାସ ଓ ଅକ୍ଷୟ ମହାନ୍ତି ପାରଦର୍ଶିତା ହାସଲ କରିଥିଲେ। ପ୍ରଫୁଲ୍ଲ କର ମଧ୍ୟ ଉକ୍ତ ୩ କ୍ଷେତ୍ରରେ ନିଜକୁ ସଫଳ ବୋଲି ପ୍ରତିପାଦିତ କରିଛନ୍ତି। ଏଥି ସହିତ ସ୍ତମ୍ଭକାର ଓ ଲେଖକ ହିସାବରେ ତାଙ୍କର ବହୁ ପ୍ରତିଭା ଯୋଗୁ ଆଜି ସେ ଜନମାନସରେ ପରିଚିତ। ତାଙ୍କ ସହିତ ପାରିବାରିକ ସମ୍ପର୍କ ଥିଲା।

Advertisment

ଆଜି ଲକ୍ଷ୍ମୀକାନ୍ତ ପାଲିତଙ୍କୁ ଏତେ ଶୀର୍ଷକୁ ନେବାରେ ତାଙ୍କର ବହୁ ଅବଦାନ ଥିଲା। ଖାଲି ସେ ନୁହଁନ୍ତି, ସଂଗୀତ ଜଗତରେ ଅନେକ ନୂଆ ନୂଆ ସଂଗୀତକାର ସୃଷ୍ଟି କରିବାରେ ମଧ୍ୟ ତାଙ୍କର ପ୍ରୟାସ ଜାରି ରହିଥିଲା। ତେଣୁ ତାଙ୍କ ପରଲୋକ ଉପରୋକ୍ତ କ୍ଷେତ୍ର ପାଇଁ ସବୁଦିନ ଲାଗି ଏକ ଶୂନ୍ୟସ୍ଥାନ ସୃଷ୍ଟି କଲା। ସେହିପରି ସ୍ବର୍ଗତ ସିକନ୍ଦର ଆଲାମଙ୍କ ଝିଅ ତଥା କଣ୍ଠଶିଳ୍ପୀ ନାଜିଆ ଆଲାମ କହିଛନ୍ତି ଯେ, ସେ ବାପାଙ୍କ ସମସାମୟିକ ଥିଲେ। ବାପାଙ୍କ ସହିତ ତାଙ୍କର ଘନିଷ୍ଠତା ଥିଲା। ସେ କଣ୍ଠଶିଳ୍ପୀ ସୃଷ୍ଟି କରିବାରେ ଧୂରୀଣ ଥିଲେ। ନିର୍ଭୟରେ ‌ଷ୍ଟେଜରେ ଗାଇବା ପାଇଁ ପ୍ରେରଣା ଯୋଗାଇ ଦେଉଥିଲେ। ଉଣା ଅଧିକେ ତାଙ୍କର ପ୍ରେରଣା ପାଇଛି। ଯାହାକି ସବୁଦିନ ପାଇଁ ମନେ ରହିବ। ସଂଗୀତ ଜଗତ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ଏହା ସବୁ ଦିନ ପାଇଁ ଅପୂରଣୀୟ ହୋଇ ରହିବ ବୋଲି ନାଜିଆ କହିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଂଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ। ତାଙ୍କ ସହ ମୋର ଅନେକ ସାକ୍ଷାତ ହୋଇଛି। ସେ ଜଣେ ଅମାୟିକ ଓ ସ୍ନେହୀ ସ୍ବଭାବର ଥିଲେ। ସଙ୍ଗୀତ ଜଗତ ପ୍ରତି ତାଙ୍କର ଭଲ ପାଇବା ଓ ଏକାଗ୍ରତା ଥିଲା ବିରଳ।

ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ। ଅନେକ ସମ୍ମାନର ଅଧିକାରୀ ଶ୍ରୀ କରଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତର ଏକ ଯୁଗର ଅବସାନ ଘଟିଲା। ସ୍ବର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ‌ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ସେହିପରି ବିଶିଷ୍ଟ ବିଜେପି ନେତା ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ବିଶିଷ୍ଟ ସଂଗୀତକାର, ଗାଳ୍ପିକ ତଥା ସ୍ତମ୍ଭକାର, କମଳ ଦେଶର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କହିଛନ୍ତି।