ଅଜିତ୍‌ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ସେ ଜଣେ ବିଶିଷ୍ଟ କଳାକାର ଥିଲେ: ରାଜ୍ୟପାଳ
ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ ତାରକା ଅଜିତ ଦାସଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକ ବ୍ୟକ୍ତ କରିଛନ୍ତି। ଟ୍ବିଟ୍‌ ଜରିଆରେ ଫ୍ରଫେସର୍‌ ଲାଲ୍‌ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ଦାସ ଓଡ଼ିଶାର ଜଣେ ବିଶିଷ୍ଟ କଳାକାର ଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ରାଜ୍ୟପାଳ ସମବେଦନା ପ୍ରକାଶ କରିଛନ୍ତି।

ଅସାଧାରଣ ପ୍ରତିଭା ସମ୍ପନ୍ନ କଳାକାର ଥିଲେ: ମୁଖ୍ୟମନ୍ତ୍ରୀ
ବର୍ଷିୟାନ୍‌ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ଦାସ ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ କଳାକାର ଥିଲେ। ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ସମୃଦ୍ଧ କରିବାରେ ସ୍ବର୍ଗତଃ ଦାସଙ୍କ ଯେଉଁ ଅଲିଭା ଅବଦାନ ରହିଛି ତାକୁ ଚିରକାଳ ରାଜ୍ୟବାସୀ ମନେ ରଖିବେ। ସେ ଏକାଧାରାରେ ଜଣେ ସଫଳ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅନେକ ସୁଖ୍ୟାତି ଅର୍ଜନ କରିପାରିଛନ୍ତି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭାବେ ସେ ବହୁ ଅଭିନେତା ତିଆରି କରିବାରେ ସଫଳ ହୋଇଥିଲେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅଗଣିତ ଓଡ଼ିଆ ସିନେପ୍ରମୀଙ୍କ ହୃଦୟରେ ସେ ସବୁଦିନ ପାଇଁ ଅମର ହୋଇ ରହିବେ। ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ଶ୍ରୀ ପଟ୍ଟନାୟକ ସମବେଦନା ଜଣାଇଛନ୍ତି।

ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା: ଆନ୍ଧ୍ର ରାଜ୍ୟପାଳ
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ନିଖୁଣ ଅଭିନୟ କରି ମନ ଜିଣିବା ସହ ନାଟ୍ୟଗୁରୁ ଭାବରେ ଅନେକ ଛାତ୍ର ତିଆରି କରିଛନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାର ସଦ୍‌ଗତି ପ୍ରଦାନ ସହ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ।

ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ହେଲା: ଧର୍ମେନ୍ଦ୍ର ପ୍ରଧାନ
ଏକ ଶୋକବାର୍ତ୍ତାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ଅଭିନେତା ଅଜିତ୍ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ। ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା। ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଉଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି: ପିସିସି ସଭାପତି
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ୍‌ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତଃ ଦାସଙ୍କ ଦେହାନ୍ତ ଓଡ଼ିଶାବାସୀ ଓ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ଦୀର୍ଘ ୫ ଦଶନ୍ଧି ଧରି ୬୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର, ଅନେକ ମଞ୍ଚ ନାଟକ ଓ ଧାରାବାହିକରେ ବିଭିନ୍ନ ଭୂମିକାରେ ଅଭିନୟ କରି ସେ ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ। ସେ ନିଜେ କେବଳ ଜଣେ ଅଭିନେତା ନଥିଲେ, ବହୁ ସଫଳ କଳାକାର ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ। ସ୍ବର୍ଗତଃ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଇଛନ୍ତି।

ବିଭିନ୍ନ ରାଜନେତାଙ୍କ ଶୋକ
ବର୍ଷିୟାନ୍‌ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ୬୦ରୁ ଅଧିକ ଚଳଚ୍ଚିତ୍ରରେ ଯେଭଳି ନିଖୁଣ ଅଭିନୟ କରିଥିବା ସ୍ବର୍ଗତ ଦାସଙ୍କୁ ଚିରକାଳ ଓଡ଼ିଶାବାସୀ ମନେ ରଖିବେ। ମଞ୍ଚ ନାଟକ ଅଭିନୟରେ ସ୍ବର୍ଗତଃ ଦାସ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କର ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ମହାପ୍ରଭୁ ଜଗନ୍ନାଥ ଶାହା ହୁଅନ୍ତୁ ବୋଲି ରାଜନେତାମାନେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର