ସବୁ ପିଢ଼ିକୁ ପ୍ରେରଣା ଦେଉଥିବେ: ରାଜ୍ୟପାଳ
ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍ କରି ସେ କହିଛନ୍ତି ଯେ ମନୋଜ ଦାସ ନିଜ କାଳଜୟୀ ସାହିତ୍ୟ କୃତୀ ମାଧ୍ୟମରେ ସବୁ ପିଢ଼ିକୁ ପ୍ରେରଣା ଦେଇ ଚାଲିଥିବେ। ରାଜ୍ୟପାଳ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟ ଓ ପାଠକମାନଙ୍କୁ ସମବେଦନା ଜଣାଇଛନ୍ତି।
ଉତ୍କଳ ଜନନୀ ସୁଯୋଗ୍ୟ ସନ୍ତାନକୁ ହରାଇଲା : ମୁଖ୍ୟମନ୍ତ୍ରୀ
ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହୋଇ ରହିଥିବ। ତାଙ୍କ ବିୟୋଗରେ ଉତ୍କଳ ଜନନୀ ତା’ର ଅନ୍ୟତମ ସୁଯୋଗ୍ୟ ସନ୍ତାନକୁ ହରାଇଲା। ତାଙ୍କ ବିୟୋଗ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ପରିବାର ସଦସ୍ୟ, ପାଠକ ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଇଛନ୍ତି।
ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଯେ ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଓଡ଼ିଆ ଭାଷା, ଭାରତୀୟ ଓ ବିଦେଶୀୟ ଭାଷାରେ ତାଙ୍କର କାଳଜୟୀ ସୃଷ୍ଟି ପାଇଁ ସେ ଅନେକ ସମ୍ମାନର ଅଧକାରୀ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଶ୍ରୀ ପ୍ରଧାନ ସ୍ବର୍ଗତ ଦାସଙ୍କ ପରିବାର ସଦସ୍ୟା ରଞ୍ଜିତା ଦାସଙ୍କ ସହ ଫୋନ୍ରେ କଥା ହୋଇ ସମବେଦନା ଜଣାଇଥିଲେ।
ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଲି : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ମୁଁ ମୋର ଜଣେ ଭଲ ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ହରାଇଲି। ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗ କେବଳ ମୋ ପାଇଁ ବ୍ୟକ୍ତିଗତ କ୍ଷତି ନୁହେଁ, ରାଜ୍ୟ ତଥା ଦେଶ ପାଇଁ ବଡ଼ କ୍ଷତି। ତାଙ୍କ ପରଲୋକରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଶ୍ରୀ ପଟ୍ଟନାୟକ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିଲା : ନରସିଂହ
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ପଦ୍ମଭୂଷଣ ମନୋଜ ଦାସ ଛାତ୍ର ସମୟରୁ ସାମ୍ୟବାଦ ଆଦର୍ଶରେ ଅନୁପ୍ରେରିତ ହୋଇ ଜଣେ ବିଶିଷ୍ଟ ଛାତ୍ରନେତା ଭାବେ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦିତ କରିଥିଲେ। ସେ କଟକ ଖ୍ରୀଷ୍ଟ କଲେଜରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ମୁଁ ସେଠାରେ ରସାୟନ ବିଜ୍ଞାନ ବିଭାଗ ଲାବରୋଟାରି ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଥିଲି। ପରବର୍ତ୍ତୀ ସମୟରେ ସେ ଶ୍ରୀମାଙ୍କ ଭକ୍ତ ହୋଇ ପୁଡ଼ୁଚେରୀର ଅରବିନ୍ଦ ଆଶ୍ରମରେ ରହୁଥିଲେ। ବର୍ତ୍ତମାନ ସମୟରେ ତାଙ୍କ ପରି ଜଣେ ସାହିତ୍ୟିକ ଜନ୍ମ ନେବା ଆଉ ସମ୍ଭବ ନୁହେଁ।
ତାଙ୍କ କୃତି ସବୁଦିନ ଅମର ରହିବ: କେ. ଶ୍ରୀନିବାସରାଓ
ଖ୍ୟାତନାମା ଲେଖକ, ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଅକାଦେମିର ମହତ୍ତର ସଦସ୍ୟ ମନୋଜ ଦାସ ଆଉ ନାହାନ୍ତି। ମନୋଜ ଦାସ କେବଳ ଜଣେ ପ୍ରସିଦ୍ଧ ସାହିତ୍ୟିକ ନ ଥିଲେ, ସେ ଗଭୀର ଆଧ୍ୟାତ୍ମିକ ଚେତନାର ଜଣେ ଉତ୍ତୁଙ୍ଗ ବ୍ୟକ୍ତି ଥିଲେ। ମୋର ସୌଭାଗ୍ୟ ଯେ, ଦୁଇ ଦଶନ୍ଧି ଧରି ତାଙ୍କ ସହିତ ମୋର ସଂପର୍କ ଥିଲା। ତାଙ୍କର କୃତି ସବୁଦିନ ପାଇଁ ଅମର ରହିବ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ସଚିବ ଶ୍ରୀନିବାସ ରାଓ କହିଛନ୍ତି।
ସାହିତ୍ୟ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା: ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ
ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନୋଜ ବାବୁ ଗତ କିଛି ମାସ ଧରି ଅସୁସ୍ଥ ଥିବା ସମୟରେ ଗୁରୁଜୀଙ୍କୁ ମଝିରେ ମଝିରେ ଫୋନ୍ କରୁଥିଲେ। ଶ୍ରୀ ଦାସଙ୍କ ବିୟୋଗରେ ଗୁରୁଜୀ ଶୋକ ପ୍ରକାଶ କରି କହିଛନ୍ତି ଶ୍ରଦ୍ଧେୟ ମନୋଜ ବାବୁଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା।
ଏ ମାଟି ଜଣେ ଶ୍ରେଷ୍ଠ ସନ୍ତାନକୁ ହରାଇଲା : ବିଜୟ ମହାପାତ୍ର
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶା ମାଟି ଜଣେ ଉଚ୍ଚସଂସ୍କୃତି ସମ୍ପନ୍ନ ଓ ଶ୍ରେଷ୍ଠ ସନ୍ତାନକୁ ହରାଇଲା ରାଜ୍ୟ ପାଇଁ ଏହା ଏକ ବିରାଟ କ୍ଷତି।
ଓଡ଼ିଶାର ସମ୍ମାନକୁ ବିଶ୍ବରେ ପ୍ରତିଷ୍ଠିତ କରାଇଥିଲେ : ରାମକୃଷ୍ଣ ପଣ୍ଡା
ନିଜ ଶୋକବାର୍ତ୍ତାରେ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ଣ ପଣ୍ଡା କହିଛନ୍ତି ଯେ ପ୍ରଥିତଯଶା ସାହିତ୍ୟିକ, ଓଡ଼ିଆ ଭାଷାର ସ୍ପର୍ଦ୍ଧିତ ସ୍ବର, ଛାତ୍ରସଂଘ ନେତା ଓ ଭାଷା ଆନ୍ଦୋଳନର ଅନ୍ୟତମ କାଣ୍ଡାରୀ ମନୋଜ ଦାସଙ୍କ ବିୟୋଗ ଓଡ଼ିଶାର ଭାଷା, ସାହିତ୍ୟ ଜଗତରୁ ଏକ ଉଜ୍ଜଳତମ ନକ୍ଷତ୍ରକୁ ଦୂରେଇ ନେଲା। ତାଙ୍କ ବିୟୋଗରେ ରାଜ୍ୟର ବୌଦ୍ଧିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା।
ମନୋଜ ଦାସଙ୍କ ବିୟୋଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ସାଂସଦ ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଓ ସିପିଆଇର ବରିଷ୍ଠ ନେତା ଦିବାକର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।