ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଭେଙ୍କିୟା ନାଇଡ଼ୁ, ଉପରାଷ୍ଟ୍ରପତି

Advertisment

ମୂର୍ତ୍ତିକଳାରେ ସ୍ବର୍ଗତ ମହାପାତ୍ର ବିଶ୍ବ ବିଖ୍ୟାତ ଥିଲେ। ଭାରତର ପାରମ୍ପରିକ ଶିଳ୍ପକୁ ବଜାୟ ରଖିବାରେ ତାଙ୍କର ଅବଦାନକୁ କେବେ ବି ଭୁଲି ହେବନାହିଁ। ତାଙ୍କର ଦେହାନ୍ତ କଳା ଏବଂ ସଂସ୍କୃତି ଜଗତ ପାଇଁ ଅପୂରଣୀୟ କ୍ଷତି। ଈଶ୍ବର ଦିବଂଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ।
ଅମିତ ଶାହା, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ଓଡ଼ିଶା ତଥା ଭାରତବର୍ଷ ଜଣେ ଉତ୍କଳ ପ୍ରତିଭାଙ୍କୁ ହରାଇଲା। ଏହା ଦେଶର ଏକ ଅପୂରଣୀୟ କ୍ଷତି। ଶ୍ରୀ ମହାପାତ୍ର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଶିଳ୍ପୀ। ସେ ଜଣେ ଏଭଳି ଶିଳ୍ପୀ ଥିଲେ, ଯିଏକି ଦ୍ବିତୀୟ କୋଣାର୍କ ନିର୍ମାଣ କରିବାର ସ୍ବପ୍ନ ଦେଖୁଥିଲେ। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। ସେ ନିଜର ଶିଳ୍ପ, କଳା ଓ ଭାସ୍କର୍ଯ୍ୟର ଅବଦାନ ପାଇଁ ଭାରତର ସମ୍ମାନଜନକ ପଦ୍ମବିଭୂଷଣ ପୁରସ୍କାର ପାଇଥିଲେ।
ବିଶ୍ବଭୂଷଣ ହରିଚନ୍ଦନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ରଘୁନାଥ ମହାପାତ୍ରଙ୍କ ଦୁଃଖଦ ନିଧନ ଖବର ଶୁଣି ମୁଁ ଗଭୀର ମର୍ମାହତ। ସଂସଦରେ ଅନେକ ଥର ତାଙ୍କ ସହ ଦେଖାହୋଇଛି। ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ କରୋନା ଆମଠାରୁ ଛଡ଼ାଇନେଲା। ଓଡ଼ିଶାର ପ୍ରସ୍ତର ଖୋଦେଇ କାମ ପାଇଁ ତାଙ୍କର ଅବଦାନ ଚିରକାଳ ତାଙ୍କୁ ଅମର କରି ରଖିବ।
ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ

ସ୍ବର୍ଗତ ମହାପାତ୍ର ଭାରତ ବର୍ଷର ଜଣେ ଅମଳିନ ପ୍ରତିଭା ଥିଲେ। ସେଥିପାଇଁ ସ୍ବର୍ଗତ ମହାପାତ୍ର ଚିରକାଳ ସ୍ମରଣୀୟ ହୋଇ ରହିବେ।
ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି

ରଘୁନାଥ ବାବୁଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ ଓ ଦୁଃଖିତ । ସ୍ବର୍ଗତଃ ରଘୁନାଥ ବାବୁ ଜଣେ ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିପାରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟକୁ କରିବା ଦିଗରେ ସ୍ବର୍ଗତଃ ମହାପାତ୍ରଙ୍କ ଅତୁଳନୀୟ ଅବଦାନ ପାଇଁ ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯାହା ସବୁଦିନ ପାଇଁ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବର୍ଗତଃ ରଘୁନାଥ ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରୁଅଛି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ପଥର ଖୋଦେଇ ଶିଳ୍ପ ଜଗତରେ ବିଶ୍ବ ସ୍ତରରେ ଖ୍ୟାତି ଅର୍ଜନ କରି ସ୍ବର୍ଗତ ମହାପାତ୍ର ଓଡ଼ିଶା ପାଇଁ ଗୌରବ ଆଣିପାରିଥିଲେ। ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ପଦ୍ମ ବିଭୂଷଣ ସମ୍ମାନର ଅଧିକାରୀ ରଘୁନାଥ ମହାପାତ୍ରଙ୍କ ବିୟୋଗ ଓଡ଼ିଶାର ଏକ ଅପୂରଣୀୟ କ୍ଷତି। ଦ୍ବିତୀୟ କୋଣାର୍କ ନିର୍ମାଣ କରିବା ଥିଲା ତାଙ୍କର ଏକ ବଡ଼ ସ୍ବପ୍ନ। ଗତ ସଂସଦ ଅଧିବେଶନ ଶେଷ ଯାଏ ସେ ଆମ ସହିତ ରହି ମିଳିମିଶି କାମ କରିଥିଲେ। କିନ୍ତୁ ହଠାତ୍‌ ଏଭଳି ଛାଡ଼ି ଚାଲିଯିବା ଅତ୍ୟନ୍ତ ଦୁଃଖଦ ଘଟଣା।
ସୁବାସ ସିଂହ, ସାଂସଦ

ରାଜ୍ୟସଭା ସାଂସଦ ତଥା ଲବ୍ଧ ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର ଓଡ଼ିଶାର କଳା, ସଂସ୍କୃତିକୁ ପଥର ଖୋଦେଇ ଜରିଆରେ ବିଶ୍ବ ବିଖ୍ୟାତ କରିପାରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର କାହିଁକି ସମଗ୍ର ଦେଶର ଏକ ଅପୂରଣୀୟ କ୍ଷତି ଘଟିଛି।
ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା

ସ୍ବର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳ ପାଇଁ ଏକ ବିରାଟ କ୍ଷତି। ଓଡ଼ିଆ ଜାତିର ଏହି ମହାନ୍ ଶିଳ୍ପୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଉଛି।
ସଞ୍ଜୟ କୁମାର ଦାସବର୍ମା, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ

ଏଭଳି ଶିଳ୍ପୀ ଆଉ ମିଳିବେ ନାହିଁ। ଏହା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି। ସ୍ବର୍ଗତ ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
ମାନସ ମଙ୍ଗରାଜ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା

ସ୍ବର୍ଗତ ମହାପାତ୍ରଙ୍କ ବିୟୋଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, କୃଷି ମନ୍ତ୍ରୀ ଅରୁଣ ସାହୁ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ସଭାପତି ରବି ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଜାଗୁଳାଇପାଟଣା ମନ୍ଦିରର ନୂଆରୂପ ଅଧୁରା ରହିଗଲା
ଭୁବନେଶ୍ବର : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ କଳ୍ପନା କରିହେଉନି, ମୋର ଅନ୍ତରଙ୍ଗ ବନ୍ଧୁ ଏତେ ଶୀଘ୍ର ଆମକୁ ଛାଡ଼ି ଚାଲିଯିବ। ଏଭଳି ପ୍ରତିଭା, ଯିଓ ଓଡ଼ିଶାକୁ ବିଶ୍ବବନ୍ଦିତ କରିଥିଲେ, ମନ୍ଦିରମାଳିନୀ ଭୁବନେଶ୍ବର, ମହାପ୍ରଭୁଙ୍କ କ୍ଷେତ୍ର ପୁରୀଠାରୁ ଆରମ୍ଭକରି ଭାରତ କୋଣ ଅନୁକୋଣ ପର୍ଯ୍ୟନ୍ତ ସବୁଠାରେ ତାଙ୍କର ଛାପ ଛାଡ଼ିଥିଲେ ତାଙ୍କ ଅବର୍ତ୍ତମାନକୁ ବିଶ୍ବାସ କରିହେଉନାହିଁ। ତାଙ୍କ ପରାମର୍ଶରେ ଜାଗୁଳେଇପାଟଣାରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଶୈଳୀରେ ମନ୍ଦିର ନିର୍ମାଣ ପାଇଁ ସେ ପଥର ଗଦା କରିସାରିଥିଲେ, ଆଦିତ୍ୟ ନାରାୟଣଙ୍କ ମନ୍ଦିର ପାଇଁ ସେ ସାକ୍ଷୀଗୋପାଳ ନିକଟରେ ଜମି କିଣି ଶୁଭ ଦେଇସାରିଥିଲେ। ଅନେକ ଯୋଜନା ଥିଲା ତାଙ୍କର। ମହାପ୍ରଭୁଙ୍କର ଏହି ଅନନ୍ୟ ଭକ୍ତଙ୍କର ଏସବୁ କାମ ଅଧାରେ ରହିଗଲା। ତାଙ୍କ ସହିତ ଅନେକ ଥର ମଞ୍ଚରେ ମହାପ୍ରଭୁଙ୍କ ସଂପର୍କରେ ଆଲୋଚନା ହୋଇଛି। ଏଭଳି କଠିନ ସମୟରେ ମହାପ୍ରଭୁ ତାଙ୍କ ଭକ୍ତର ପରିବାର ପ୍ରତି ସଦୟ ହୁଅନ୍ତୁ। ଡ. ପାଟ୍ଟଶାଣୀ ରଘୁନାଥଙ୍କର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଉତ୍କଳମାତାର ଆଖିରେ ଲୁହ
୧୯୬୮ ମସିହାରୁ ରଘୁନାଥ ମହାପାତ୍ରଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ଥିଲା। ସେ ମୋର ଧମରଭାଇ ଥିଲେ। ବଦ୍ରିନାଥରେ ଶ୍ରୀଜଗନ୍ନାଥଙ୍କର ସ୍ମାରକୀ ମନ୍ଦିର କରିବା ପାଇଁ ମୋର ଅନୁରୋଧକୁ ସେ ଗୁରୁତ୍ବ ଦେଇଥିଲେ। ଏମ୍‌ସ୍‌କୁ ଯିବା ପୂର୍ବରୁ ଗତ ମାସ ୨୨ ତାରିଖ ଦିନ ମୋ ସହିତ ତାଙ୍କର ଅନ୍ତିମ ବାର୍ତ୍ତାଳପ ହୋଇଥିଲା। ଆଦିତ୍ୟ ନାରାୟଣ ମନ୍ଦିର ତିଆରି କରିବା ତାଙ୍କର ଅଧୁରା ସ୍ବପ୍ନ ଥିଲା। ତାଙ୍କ ଶିକ୍ଷାକେନ୍ଦ୍ରକୁ ମୋତେ ଆଉ ପ୍ରାକ୍ତନ ପ୍ରଶାସକ ରଘୁନାଥ ମିଶ୍ରଙ୍କୁ ନେଇ ନିର୍ମିତ ହୋଇଥିବା ବିଶାଳ କୋଣାର୍କ ଚକ୍ର ଆଗରେ ଆମ ସହ ଫଟୋ ଉଠାଇଥିଲେ। ତାଙ୍କ ପାଖରେ ଥିବା ଭାସ୍କର୍ଯ୍ୟ ପୋଥି ନେଇ ମୋ’ ସହିତ ବହୁଥର ଆଲୋଚନା କରିଛନ୍ତି। ପଥର ନିର୍ମିତ ଏକ ସୁନ୍ଦର ଶଙ୍ଖକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ। ମୋତେ ମଧ୍ୟ ଦେଇଥିଲେ କମନୀୟ ନୃସିଂହ ଓ ଗରୁଡ଼ମୂର୍ତ୍ତି। ଆଜି ବିଶ୍ବ ମାତୃତ୍ବ ଦିବସରେ ଉତ୍କଳମାତାର ଆଖିରୁ ଲୁହ ଝରିବା ଅବଶ୍ୟମ୍ଭାବୀ। ବ୍ରହ୍ମଦାରୁ ବି ଟିକେ ଥରି ଉଠିଥିବେ ନିଶ୍ଚୟ।
ରାଜକିଶୋର ମିଶ୍ର

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକସଭା
ଭୁବନେଶ୍ବର : ଆଜି ସଂଧ୍ୟାରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାପ୍ତାହିକ ‘ଶ୍ରୀଜଗନ୍ନାଥ କଥାମୃତ’ କାର୍ଯ୍ୟକ୍ରମ ଅବସରରେ ଏହି ଶୋକ ପ୍ରସ୍ତାବ ଆଗତ କରିଥିଲେ ପ୍ରତିଷ୍ଠାନର ମହାସଚିବ ତଥା ବିଶିଷ୍ଟ ପ୍ରବାଚକ ଡକ୍ଟର ନରେଶ ଚନ୍ଦ୍ର ଦାଶ। ଏହି ଓ୍ବେବିନାରରେ ଯୋଡ଼ି ହୋଇଥିବା ସଦସ୍ୟମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂଗଠନ ସଚିବ ପୂର୍ଣ୍ଣଚନ୍ଦ୍ର ଗୋଛିକାର। ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତ ମହାପାତ୍ରଙ୍କୁ ୨୦୧୪ ମସିହାରେ ପ୍ରତିଷ୍ଠାନ ପକ୍ଷରୁ 'ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ' ପ୍ରଦାନ କରାଯାଇଥିଲା।