ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ସମାଜର ପୂର୍ବତନ ସମ୍ପାଦିକା, ଶିକ୍ଷାବିତ୍‌, ବାଗ୍ମୀ ତଥା ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶା ଜଣେ ବାଗ୍ମୀ ଓ ମହିୟସୀ ମହିଳାଙ୍କୁ ହରାଇଲା। ସମସ୍ତେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ ଲେଖନୀ ଚାଳନା ପାଇଁ ମନୋରମା ସବୁଦିନ ପାଇଁ ମନେରହିବେ ଏବଂ ଗଣମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା ତାଙ୍କୁ ଚିରସ୍ମରଣୀୟ କରି ରଖିବ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ତାଙ୍କୁ ଜଣେ ବିରଳ ବିଦୁଷୀ ଭାବରେ ବର୍ଣ୍ଣନା କରି ତାଙ୍କ ବିୟୋଗରେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଜଣେ ଶିକ୍ଷାବିତ୍‌, ସାହିତ୍ୟିକା ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ବିୟୋଗରେ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା।

ସେହିଭଳି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ତାଙ୍କର ଯୋଗଦାନକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଅନେକ ସମ୍ମାନର ଅଧିକାରୀ ତଥା ଓଜସ୍ବିନୀ ବକ୍ତା ସ୍ବର୍ଗତ ମହାପାତ୍ରଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତା ମହାପାତ୍ର ଓଡ଼ିଆ ସାମ୍ବାଦିକତା ଓ ସାରସ୍ବତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ରାଜ୍ୟ ପାଇଁ ବିଶେଷକରି ସାହିତ୍ୟ ଏବଂ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ ମହାପାତ୍ର ଜଣେ ଶିକ୍ଷାବିତ୍‍, ସାହିତ୍ୟିକା ତଥା ସୁବକ୍ତା ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଶା ଜଣେ ସ୍ୱନାମଧନ୍ୟ ମହିୟସୀ ମହିଳାଙ୍କୁ ହରାଇଲା।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ସାହିତ୍ୟିକା ଭାବେ ତାଙ୍କ ଲେଖା ଅତ୍ୟନ୍ତ ଉଚ୍ଚକୋଟିର। ସାମ୍ବାଦିକା କ୍ଷେତ୍ରରେ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ତାଙ୍କ ଦେହାନ୍ତ ସାହିତ୍ୟ ଓ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି। ସିପିଆଇର ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା ଶୋକ ପ୍ରକାଶ କରି କହିଛନ୍ତି ଯେ, ଶ୍ରୀମତୀ ମହାପାତ୍ରଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ସାହିତ୍ୟ, ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ରହିବେ।

‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶୋକ ବାର୍ତାରେ ସେ କହିଛନ୍ତି, ଓଡ଼ିଶା ଜଣେ ବିଶିଷ୍ଟ ସାହିତ୍ୟିକା, ବାଗ୍ମୀ ସମାଜସେବୀ ଓ ମହିୟସୀ ମହିଳାଙ୍କୁ ହରାଇଲା। ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ।

ସମ୍ବନ୍ଧିତ ଖବର