ପ୍ରକାଶ ରାଓଙ୍କ ବିୟୋଗରେ ଶୋକ

ତାଙ୍କ କାମ ସବୁବେଳେ ପ୍ରେରଣା ଦେବ: ପ୍ରଧାନମନ୍ତ୍ରୀ
ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବି‌ୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ନିଜ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ରାଓ କରିଥିବା ଉଲ୍ଲେଖନୀୟ କାମ ସବୁ‌ ସମୟରେ ଲୋକମାନଙ୍କୁ ପ୍ରେରଣା ଯୋଗାଇବ। ସେ ଭଲ ଭାବେ ଜାଣିପାରିଥିଲେ ଯେ ସଶକ୍ତୀକରଣ ପାଇଁ ଶିକ୍ଷା ହିଁ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଏହି ଅବସରରେ କଟକରେ ତାଙ୍କ ସହ ହୋଇଥିବା ସାକ୍ଷାତକାରଙ୍କୁ ମୋଦୀ ମନେ ପକାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

ଗରିବ ପିଲାଙ୍କ ଜୀବନ ବଦଳାଇ ଦେଇଥିଲେ: ଓଡ଼ିଶା ରାଜ୍ୟପାଳ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ‌େଶାକ ପ୍ରକାଶ କରି କହିଛନ୍ତି ଯେ ଡି ପ୍ରକାଶ ରାଓ ତାଙ୍କ ନିଃସ୍ବାର୍ଥପର ସେବା ପାଇଁ ସବୁ‌େବଳେ ମନେ ରହିବେ। ନିଜ ସ୍କୁଲ୍‌ ‘ଆଶା ଓ ଆଶ୍ବାସନା’ ମାଧ୍ୟମରେ ସେ ହଜାର ହଜାର ଗରିବ ପିଲାଙ୍କ ଜୀବନ ବଦଳାଇବାକୁ ଉଦ୍ୟମ ଜାରି ରଖିଥିଲେ।

ବସ୍ତିବାସିନ୍ଦାଙ୍କର ଥିଲେ ଭଗବାନ: ଆନ୍ଧ୍ର ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରି କହିଛନ୍ତି, ଡି ପ୍ରକାଶ ରାଓ ଜଣେ କଟକର ଜଣେ ଚା’ ଦୋକାନୀ ହୋଇ ମଧ୍ୟ ସମାଜରେ ଶିକ୍ଷାର ଉନ୍ନତି ପାଇଁ ଚା’ ଦୋକାନରୁ ଉପାର୍ଜିତ ଅର୍ଥରୁ ବସ୍ତି ପିଲାଙ୍କ ପାଇଁ ସ୍କୁଲ୍‌ ତିଆରି କରିଥିଲେ। ବସ୍ତିବାସିନ୍ଦାଙ୍କ ପାଇଁ ସେ ଥିଲେ ଭଗବାନ। କେବଳ ସ୍କୁଲ୍‌ ତିଆରି କରି ନ ଥିଲେ, ଚା’ ଦୋକାନରୁ ସମୟ କାଢ଼ି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଥିଲେ।ଅନେକ ରକ୍ତଦାନ ଶିବିର ମାଧ୍ୟମରେ ଗରିବ ଲୋକମାନଙ୍କୁ ରକ୍ତ ଯୋଗାଇ ଦେବା ସହିତ ସେ ନିଜେ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି।

ଅବହେଳିତଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ରହିବେ: ମୁଖ୍ୟମନ୍ତ୍ରୀ
ସମାଜସେବୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଅ‌ାତ୍ମାର ସଦ୍‌ଗତି କାମନା କରିଛନ୍ତି।

ନିଃସ୍ବାର୍ଥପର ଭାବେ କାମ କରୁଥିଲେ: ଅମିତ ଶାହ
ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଟ୍ବିଟ୍‌ କରି ତାଙ୍କ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ପ୍ରକାଶ ରାଓ ଜୀଙ୍କ ପରଲୋକରେ ମୁଁ ଗଭୀର ଦୁଃଖିତ। ତାଙ୍କର ପରଲୋକରେ ଆମେ ଜଣେ ମହାନ ମଣିଷ ଓ ସମାଜସେବୀଙ୍କୁ ହରାଇଲୁ। ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ପାଇଁ ସେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ମାନବବାଦୀ କାର୍ଯ୍ୟ ପାଇଁ ଆମେ ତାଙ୍କୁ ସବୁବେଳେ ମନେ ରଖିବୁ।

ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ: ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ପଦ୍ମଶ୍ରୀ ଡି ପ୍ରକାଶ ରାଓ ସମାଜର ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ କାର୍ଯ୍ୟ ବିଷୟରେ ଅବଗତ ଥିଲେ। ୨୦୧୮ରେ ତାଙ୍କ କଟକ ଗସ୍ତ ସମୟରେ ବିଶେଷ ଭାବରେ ପ୍ରକାଶ ବାବୁଙ୍କୁ ଆମନ୍ତ୍ରିତ କରି ତାଙ୍କ ସହ ଆଲୋଚନା କରିଥିଲେ। ସ୍ବର୍ଗତ ପ୍ରକାଶ ରାଓ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ।

ଗରିବଙ୍କ ପାଇଁ ନିରନ୍ତର କାମ କରୁଥିଲେ: ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଡି ପ୍ରକାଶ ରାଓ ଜଣେ ଚା ବିକାଳି ଥିଲେ ଓ ଗରିବର ଦୁଃଖକଷ୍ଟକୁ ବୁଝିପାରିଥିଲେ। ସେ ତାଙ୍କ ଜୀବନ ସାରା ଗରିବ ଓ ତଳ ସ୍ତରର ଲୋକଙ୍କ ଉତ୍‌ଥାନ ପାଇଁ ନିରନ୍ତର କାମ କରୁଥିଲେ।

ଡି ପ୍ରକାଶ ରାଓଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର