ରଜତ କରଙ୍କ ବିୟୋଗରେ ଶୋକ

ସାଂସ୍କୃତିକ ଦୁନିଆର ସମ୍ରାଟ ଥିଲେ : ପ୍ରଧାନମନ୍ତ୍ରୀ
ବିଶିଷ୍ଟ ବାଗ୍ମୀ, ଲେଖକ ତଥା ଶିକ୍ଷାବିତ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକାବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରଜତ କୁମାର କର ସାଂସ୍କୃତିକ ଦୁନିଆର ଜଣେ ସମ୍ରାଟ ଥିଲେ। ରଥଯାତ୍ରାର ସେ ଯେପରି ଧାରାବିବରଣୀ ଦିଅନ୍ତି, ସେଥିରୁ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ବ ବାରି ହୋଇପଡ଼େ। ସେ ବହୁ ବିଷୟରେ ପୁସ୍ତକ ରଚନା କରିଛନ୍ତି ଓ ପାଲା ସଂସ୍କୃତିର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିଛନ୍ତି। ତାଙ୍କ ଶୋକସନ୍ତପ୍ତ ପରିବାର ଓ ଶୁଭେଚ୍ଛୁମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ଚିର ସ୍ମରଣୀୟ ‌ହୋଇ ରହିବେ: ରାଜ୍ୟପାଳ
ରଜତ କରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ବର୍ଗତ କର ନିଜର ଅନନ୍ୟ ବାଗ୍ମୀତା, ପାଣ୍ଡିତ୍ୟ ଓ ସୃଜନ କୃତୀ ପାଇଁ ଚିର ସ୍ମରଣୀୟ ରହିବେ ବୋଲି ସେ କହିଛନ୍ତି।

ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା : ମୁଖ୍ୟମନ୍ତ୍ରୀ
ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି। ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା। ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଜଣେ ଉଚ୍ଚକୋଟୀର ଗବେଷକଙ୍କୁ ହରାଇଲୁ: ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସ୍ବର୍ଗତ କରଙ୍କ ଅବଦାନ ଅକଳ୍ପନୀୟ। ସାହିତ୍ୟ କ୍ଷେତ୍ରରେ ନିଜର ଅନନ୍ୟ ସାଧନା ପାଇଁ ସେ ଓଡ଼ିଆ ପାଠକଙ୍କ ନିକଟରେ ଯଶସ୍ୱୀ ହୋଇପାରିଥିଲେ। ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଟିଭି ଓ ରେଡ଼ିଓରେ ରଥଯାତ୍ରାର ଭାଷ୍ୟକାର ଭାବେ ଓଡ଼ିଆ ଜନମାନସରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଜଣେ ଉଚ୍ଚକୋଟୀର ଗବେଷକ ଓ ସୁବକ୍ତାଙ୍କୁ ହରାଇଲା।

ସାହିତ୍ୟ ଜଗତର ଉଜ୍ଜ୍ବଳ ଜ୍ୟୋତିଷ୍କ ଚାଲିଗଲେ: ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ କର ଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଥିଲେ। ତାଙ୍କ ପରଲୋକରେ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଜଗତର ଜଣେ ଉଜ୍ଜ୍ବଳ ଜ୍ୟୋତିଷ୍କଙ୍କୁ ହରାଇଲା।

ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ କାରୀଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କିଟ୍‌ ଗୋପବନ୍ଧୁ ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ, ସାହିତ୍ୟିକ ଗୋବିନ୍ଦ ଭୂୟାଁ, ସଂସ୍କୃତି ଓ ସଂସ୍କୃତିର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି, ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଜାତୀୟ ଚେତନା ସମ୍ପାଦକ ତପନ ବିହାରୀ ଭଞ୍ଜ ପ୍ରମୁଖ ରଜତ କରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ଶୋକାବାର୍ତ୍ତାରେ କହିଛନ୍ତି ଯେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅକଳ୍ପନୀୟ ପ୍ରତିଭା ତଥା ସୃଷ୍ଟି ସମୂହର ଜଣେ ଗବେଷକ ଭାବରେ ସ୍ବର୍ଗତ କରଙ୍କ ପ୍ରଜ୍ଞା ପ୍ରତିଫଳିତ ହୋଇଥିଲା। ଠିକ୍ ସେହିପରି ପାଲା ସାହିତ୍ୟ ସଂସ୍କୃତିର ଜଣେ ସମର୍ପିତ ଉପାସକ ଭାବେ ସେ ସୁପରିଚିତ ଥିଲେ।

ସମ୍ବନ୍ଧିତ ଖବର