ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ

ବିଷ୍ଣୁ ସେଠୀଙ୍କ ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର: ରାଷ୍ଟ୍ରପତି
ଓଡ଼ିଶାର ଜଣେ ବିଶିଷ୍ଟ ରାଜନେତା ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଖବର ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ସେ ଜଣେ ଦକ୍ଷ ବିଧାୟକ, ପ୍ରବୀଣ ଲେଖକ ଥିଲେ। ତାଙ୍କ ମୃତ୍ୟୁ ଦ୍ବାରା ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର। ତାଙ୍କ ପରିବାର, ଶୁଭେଚ୍ଛୁ ଏବଂ ଅନୁଗାମୀମାନଙ୍କୁ ମୋର ହୃଦୟରୁ ସମବେଦନା।

ଓଡ଼ିଶାର ପ୍ରଗତି ପାଇଁ ତା‌ଙ୍କ ଅବଦାନ ଅତୁଳନୀୟ: ପ୍ରଧାନମନ୍ତ୍ରୀ
ଓଡ଼ିଶାର ପ୍ରଗତି ପାଇଁ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ। ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତୀକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା। ଓଁ ଶାନ୍ତି।

ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସ୍ମରଣୀୟ ରହିବ: ମୁଖ୍ୟମନ୍ତ୍ରୀ
ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ଦଳର ସଂଗଠନକୁ ମଜବୁତ୍‌ କରିବାରେ ତାଙ୍କ ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର
ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା। ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି। ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ। ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜବୁତ୍‌ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି।

ଓଡ଼ିଶା ବିଜେପି ପାଇଁ ଅପୂରଣୀୟ କ୍ଷତି: ବୈଜୟନ୍ତ
ବିଷ୍ଣୁ ସେଠୀଙ୍କ ବିୟୋଗ ଓଡ଼ିଶା ବିଜେପି ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ରାଜ୍ୟ ରାଜନୀତିକୁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାର ଓ ବନ୍ଧୁ ପରିଜନଙ୍କୁ ମୋର ସମବେଦନା।

ଜଣେ ଭଦ୍ର ଓ ମିଷ୍ଟଭାଷୀ ରାଜ‌ନେତା ଥିଲେ: ଶରତ ପଟ୍ଟନାୟକ
ସ୍ୱର୍ଗତ ସେଠୀ ଜଣେ ଭଦ୍ର ଓ ମିଷ୍ଟଭାଷୀ ରାଜନେତା ଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା।

ବିଷ୍ଣୁ ବାବୁ ଜଣେ ଅନୁଷ୍ଠାନ ଥିଲେ: ତାରା
ବିଧାନସଭାରେ ଓଡ଼ିଆ ସାହିତ୍ୟ, ଭାଷା, ମାଟି, ସଂସ୍କୃତି ଓ ପୂର୍ବପୁରୁଷଙ୍କ ଇତିହାସ ଉପରେ ସେ ବକ୍ତବ୍ୟ ରଖିଥାନ୍ତି। ତାଙ୍କ ଦେହ ଖରାପ ଶୁଣିବା ପରେ ତାଙ୍କୁ କିଡ୍‌ନି ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଥିଲି। ବିଷ୍ଣୁ ବାବୁ ଜଣେ ଅନୁଷ୍ଠାନ, କୌଣସି ନିର୍ଦ୍ଦିଷ୍ଟ ଦଳରେ ନୁହନ୍ତି। ତାଙ୍କ ଅମର ଆତ୍ମାକୁ ଶାନ୍ତି ଓ ପରିବାରଙ୍କୁ ଧୈର୍ଯ୍ୟ ଦେବା ଲାଗି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ତାଙ୍କ କଥାରେ ମନ ଖୁସି ହୋଇଯାଏ: ସୁର
ବିଷ୍ଣୁ ଜଣେ ମଜାଳିଆ ସ୍ବଭାବର ଲୋକ ଥିଲା। ମନରେ ଦୁଃଖ ଥିଲେ ବି ତାଙ୍କ କଥାରେ ମନ ଖୁସି ହୋଇଯାଏ। ବିଧାନସଭାରେ ଆଲୋଚନା ସମୟରେ ଗୀତ ଆକାରରେ ରାଜ୍ୟର ସମସ୍ୟାକୁ ରଖିଥାନ୍ତି। ରାଜ୍ୟର ବିକାଶ ନେଇ ବିଭିନ୍ନ ବିଷୟବସ୍ତୁ ଉପରେ ଅତି ଉଚ୍ଚକୋଟିର ବକ୍ତବ୍ୟ ରଖନ୍ତି। ବିଧାନସଭାରେ ସମାଲୋଚନା କରନ୍ତି, ହେଲେ ପରବର୍ତୀ ସମୟରେ ଖୁସିରେ ମିଶିଥାନ୍ତି। ରାଜ୍ୟ ଜଣେ ଭଲ, ସରଳ, କବି ବିଧାୟକଙ୍କୁ ହରାଇଲା। ତାଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଦେଇଛି।

ସମ୍ବନ୍ଧିତ ଖବର