ଜନପ୍ରତିନିଧି ଭାବେ କରିଯାଇଥିବା କାର୍ଯ୍ୟ ସ୍ମରଣୀୟ ରହିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ‌ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ଶ୍ରୀ ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

Advertisment

ଜନସେବା କାର୍ଯ୍ୟଗୁଡ଼ିକ ସ୍ମରଣୀୟ ରହିବ: ଧର୍ମେନ୍ଦ୍ର
ମୋହନ ଜେନାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମ ଦଳର ନେତା ତଥା ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶା ରାଜନୀତି କ୍ଷେତ୍ରରେ ସେ କରିଥିବା ବିକାଶମୂଳକ ଓ ଜନସେବା କାର୍ଯ୍ୟ ଗୁଡ଼ିକ ସର୍ବଦା ସ୍ମରଣୀୟ ହୋଇ ରହିବ। ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୋହନ ଜେନାଙ୍କ ବିୟୋଗରେ ‌େଶାକ ପ୍ରକାଶ କରି କହିଛନ୍ତି ଯେ, ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି। ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତ ଜେନାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।