ମୁଁ ଚକିତ ଓ ବିବ୍ରତ: ରାଷ୍ଟ୍ରପତି
ଏକ ଭୟଙ୍କର ହିଂସାରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁରେ ମୁଁ ଚକିତ ଓ ବିବ୍ରତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟୁଇଟ୍ କରି ଶୋକବାର୍ତ୍ତାରେ କହିଛନ୍ତି। ଏହାସହ ରାଷ୍ଟ୍ରପତି ସ୍ବର୍ଗତ ଦାସଙ୍କ ପରିବାର ଏବଂ ଶୁଭେଚ୍ଛୁମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ନବଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ: ପ୍ରଧାନମନ୍ତ୍ରୀ
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା। ଓଁ ଶାନ୍ତି।
ତାଙ୍କ କାର୍ଯ୍ୟ ସ୍ମରଣୀୟ: ସମୀର
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଶୋକ ପ୍ରକାଶ କରି କହିଛନ୍ତି ଯେ, ନବ ଦାସଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜେଣ ଜନପ୍ରତିନିଧି ତଥା ଦକ୍ଷ ରାଜନେତା ଭାବେ ତାଙ୍କ କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି: ଜୟନାରାୟଣ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର ଶୋକବାର୍ତ୍ତାରେ କହିଛନ୍ତି ଯେ, ଏହି ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ଭଗବାନ ତାଙ୍କର ପବିତ୍ର ଆତ୍ମାକୁ ଶାନ୍ତି ଓ ସଦ୍ଗତି ପ୍ରଦାନ କରନ୍ତୁ। ଏହି ଦୁଃଖଦ ଓ ଘଡ଼ିସନ୍ଧି ସମୟକୁ ସାମ୍ନା କରିବାକୁ ମା ସମଲେଶ୍ବରୀ ଶୋକସନ୍ତପ୍ତ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।
ବିଚାର ବିଭାଗୀୟ ତଦନ୍ତ ହେଉ: ସିପିଆଇ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ମୃତ୍ୟୁରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ପରିଷଦ ସଦସ୍ୟ କ୍ଷୀରୋଦ ସିଂହଦେଓ ଆପୋଲୋ ହସ୍ପିଟାଲରେ ଶ୍ରୀ ଦାସଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଅଭୟ ସାହୁ, ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକ, ଆଶିଷ କାନୁନ୍ଗୋ, ପ୍ରଶାନ୍ତ ପାଟ୍ଟଯୋଶୀ, ଅଶୋକ ଦାଶ, କ୍ଷୀରୋଦ ସିଂହଦେଓ, ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ପ୍ରକାଶ ଚନ୍ଦ୍ର ପାତ୍ର, ନବ କିଶୋର ଦାସ ପ୍ରମୁଖ ଶୋକସଭା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନା କରିଥିଲେ। ଏହାସହ ଏହି ଘଟଣାରେ ହାଇକୋର୍ଟଙ୍କ ଦ୍ବାରା ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରାଯାଇଛି।
ଅପୂରଣୀୟ କ୍ଷତି: ସମାଜବାଦୀ ପାର୍ଟି
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ସମାଜବାଦୀ ପାର୍ଟି, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ପୁଲିସ ଗୁଳିରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିେୟାଗ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ତାଙ୍କର ବିୟୋଗ ସାଧାରଣ ଜନତାଙ୍କ ଜୀବନ ପ୍ରତି ପୁଲିସ୍ର ନିଷ୍କ୍ରିୟତା ଓ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ଯେତିକି ଦୁଃଖଦାୟକ, ସେତିକି ଚିନ୍ତାଜନକ: ଶରତ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁଲିସ ଅଧିକାରୀଙ୍କ ଗୁଳିମାଡ଼ରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିବା ଓଡ଼ିଶାରେ ପ୍ରଥମ। ଏପରି ଏକ ଉନ୍ମତ୍ତ କାଣ୍ଡ ଯେତିକି ଦୁଃଖଦାୟକ ସେତିକି ଚିନ୍ତାଜନକ। ଏହି ଅଭାବନୀୟ ଘଟଣାର ତଦନ୍ତ କାର୍ଯ୍ୟ ସରକାର ଅବିଳମ୍ବେ ଶେଷ କରନ୍ତୁ ଓ ତଦନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରନ୍ତୁ। ଏଥିସହ ଗୃହ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି ପିସିସି ସଭାପତି ଆହ୍ୱାନ ଦେଇଛନ୍ତି।
ବାଚସ୍ପତି ଓ ମନ୍ତ୍ରୀଙ୍କ ଶୋକ
ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ,ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।