ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ଅଲିଭା କ୍ଷତ ସୃଷ୍ଟି ହେଲା : ଆନ୍ଧ୍ର ରାଜ୍ୟପାଳ
ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଯେ ସ୍ବର୍ଗତ ମିଶ୍ର ଅନେକଗୁଡ଼ିଏ ସୁପର୍‌ହିଟ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଓଡ଼ିଶାର ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ଚଳଚ୍ଚିତ୍ରରେ ସମାଜର ନିଖୁଣ ଛବି ଆଙ୍କି ପାରୁଥିଲେ। ଫଳରେ ସିନେପ୍ରେମୀମାନେ ପରିବାର ତଥା ସମାଜ ପାଇଁ ସଂସ୍କାରମୂଳକ ଶିକ୍ଷା ଲାଭ କରିପାରୁଥିଲେ। ତାଙ୍କ ବିୟୋଗ ଚଳଚ୍ଚିତ୍ରପ୍ରେମୀଙ୍କ ହୃଦୟରେ ଅଲିଭା କ୍ଷତ ସୃଷ୍ଟି କରିଛି। ଶ୍ରୀ ହରିଚନ୍ଦନ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।

Advertisment

ସର୍ବଦା ସ୍ମରଣୀୟ ରହିବେ : ମୁଖ୍ୟମନ୍ତ୍ରୀ
ରାଜୁ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଚକାଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ସାଗର ଗଙ୍ଗା ପରି ଚଳଚ୍ଚିତ୍ର ନିର୍ମାଣ କରି ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଓଡ଼ିଆ ଫିଲ୍ମ ଶିଳ୍ପରେ ଅପୂରଣୀୟ କ୍ଷତି : ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଖ୍ୟାତାନାମା ଚଳଚ୍ଚିତ୍ର ନି‌େର୍ଦ୍ଦଶକ ରାଜୁ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବିଶେଷତଃ ନବେ ଦଶକରେ ଅନେକ ସୁପର୍‌ହିଟ୍‌ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଶିଳ୍ପରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି ହୋଇଛି।

ଚଳଚ୍ଚିତ୍ର ଶିଳ୍ପ ପାଇଁ ଅବଦାନ ଅତୁଳନୀୟ : ନିରଞ୍ଜନ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ରାଜୁ ମିଶ୍ରଙ୍କ ଅବଦାନ ଅତୁଳନୀୟ। ଚଳଚ୍ଚିତ୍ରର ବିଭିନ୍ନ ବିଭାଗରେ ସେ ନିଜର ସ୍ବାତନ୍ତ୍ରୢ ପ୍ରତିପାଦିତ କରିପାରିଥିଲେ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟତା ସାଉଁଟି ପାରୁଥିଲା। ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଜଣେ କୃତୀ ସନ୍ତାନଙ୍କ ହରାଇଲା।