ସରପଞ୍ଚ ସ୍ବାମୀଙ୍କୁ ଗୁଳି ବେଳେ ମାଉଜର୍‌ ଲକ୍: ୩ ବନ୍ଧା ହେଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ଖଣ୍ଡଦେଉଳି ସରପଞ୍ଚଙ୍କ ସ୍ବାମୀ ନୀଳାମ୍ବର ସ୍ବାଇଁଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି। ତେବେ ଟ୍ରିଗର୍‌ ଦବାଇଲା ବେଳକୁ ବନ୍ଧୁକଟି ଲକ୍ ହୋଇଯିବା କାରଣରୁ ନୀଳାମ୍ବର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ‌ଏନେଇ ନଂ. ୭୯୫/୨୧ ଅନୁସା‌ରେ ମାମଲା ରୁଜୁ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ, କର୍ଣ୍ଣୋଳି ଗ୍ରାମର ଶିବରାମ ଗୌଡ଼, ବିଚିତ୍ରାନନ୍ଦ ବିଷୋୟୀ ଓ ଚିଣ୍ଟୁନ୍ ସ୍ଵାଇଁ। ସେମାନଙ୍କଠୁ ବାଇକ୍ ଓ ମାଉଜର୍ ଜବତ ହୋଇଥିବା ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରି ନଥିବା ବେଳେ ତଦନ୍ତ ଜାରି ରହିଛି।

ଆଜି ଅପରାହ୍‌ଣ ୨ଟାରେ ନୀଳାମ୍ବର ବାଇକ୍‌ରେ ବେଲପଦା ଯାଉଥିବା ସମୟରେ କର୍ଣ୍ଣୋଳି ଗ୍ରାମଠୁ କିଛି ଦୂର‌ରେ ତିନିଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ। ଆଉ ଅତି ନିକଟରୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ। ‌ହେଲେ ‌ସୌଭାଗ୍ୟବଶତଃ ମାଉଜର୍ ଲକ୍ ହୋଇଯିବାରୁ ଗୁଳି ଆଉ ଫୁଟି ନଥିଲା। ନୀଳାମ୍ବରଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ କିଛି ‌ଲୋକ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଥାନାରେ ଅଭିଯୋଗ କରିବା ପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ୩ଜଣଙ୍କୁ ଗିରଫ କରିଛି। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଚି।

ସମ୍ବନ୍ଧିତ ଖବର