ଜଗତସିଂହପୁର ଟାଉନ୍: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଗତସିଂହପୁର ଜିଲ୍ଲା ରାଜସ୍ବ ବିଭାଗ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା। କିରାଣିରୁ ପଦୋନ୍ନତି ପାଇ ଓଏଏସ୍ ଅଫିସର ହୋଇଥିବା ଶ୍ରୀ ପିଲ୍ଲାଙ୍କ ସଂପତ୍ତି ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଶ୍ରୀ ପିଲ୍ଲାଙ୍କ ଆୟବହିର୍ଭୂତ ସଂପତ୍ତି ଠାବ କରିବା ପାଇଁ ଆଜି ଭୋରରୁ ୨୨ ଜଣ ଅଫିସରଙ୍କୁ ନେଇ ୯ଟି ଟିମ୍ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ାଉ ସମୟରେ ତାଙ୍କର ସମ୍ପତ୍ତି ଠାବ ହୋଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି, ମଞ୍ଚେଶ୍ବର ଗାଡ଼କଣ ସ୍ପେସ୍ ଟାଉନ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍(ବ୍ଲକ୍ ୩(ବି) ନଂ-୨୦୭), ମଞ୍ଚେଶ୍ବର ରଙ୍ଗମାଟିଆ ହର୍ଷପ୍ରିୟା ଏନ୍କ୍ଲେଭ୍ରେ ଥିବା ଫ୍ଲାଟ୍(ନଂ-୧୦୧), ବାଲେଶ୍ବର ସୁନାହାଟସ୍ଥିତ ଟାଇପ୍-ଏ, ବ୍ଲକ୍-୪ ପ୍ରଥମ ମହଲାରେ ଥିବା ଦୁଇଟି ଫ୍ଲାଟ୍(ନଂ-୧୦୧ ଓ ୧୦୩), ସୋନପୁର ସହରରେ ଥିବା ଦୁଇମହଲା କୋଠା, ଭୁବନେଶ୍ବର ଖଣ୍ଡଗିରି ଆଇଗିଣିଆରେ, ସୋନପୁର
ବୀରମହାରାଜପୁରରେ, ବାଲେଶ୍ବର ବାଲିଆପାଳ ଓ ନାରାୟଣପୁର, ସୋନପୁରରେ ୧୧ଟି ପ୍ଲଟ୍। ଜମି କିଣା ବାବଦରେ ହୋଇଥିବା ୩୦ ଲକ୍ଷ ୫୩ ହଜାର ଟଙ୍କାର କବଲା ବି ଜବତ କରାଯାଇଛି। ଏହାବ୍ୟତୀତ ନଗଦ ୧ ଲକ୍ଷ ୮୫ ହଜାର ଟଙ୍କା, ୪୮ ଲକ୍ଷ ୭୧ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ବୀମା, ୧୩ ଲକ୍ଷ ୬୪ ହଜାର ଟଙ୍କାର ସୁନାଗହଣା ଓ ଆସବାବପତ୍ର, ଦୁଇଟି ଚାରି ଚକିଆ, ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ ଟିମ୍। ଚିତ୍ତରଞ୍ଜନଙ୍କୁ ଭିଜିଲାନ୍ସ ନିଜ ହେପାଜତରେ ରଖି ପଚରାଉଚରା ଚଳାଇଛି।
ଭିଜିଲାନ୍ସ ସୂତ୍ର ଅନୁସାରେ, ୧୯୯୩ ଫେବ୍ରୁଆରି ୧୦ ତାରିଖରେ ଚିତ୍ତରଞ୍ଜନ ବଲାଙ୍ଗିର ପାଟଣାଗଡ଼ ତହସିଲରେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ୧୯୯୪ରେ ରଣପୁର ତହସିଲକୁ ବଦଳି ହୋଇ ଆସିଥିଲେ। ଏହାପରେ ୨୦୦୪ରେ ସୋନପୁର ଡିଆର୍ଡିଏକୁ ବଦଳି ହୋଇ ଆସିଥିଲେ। ସେଠାରେ ୨୦୧୨ ପର୍ଯ୍ୟନ୍ତ ରହିଥିଲେ। ଏହିସମୟରେ ୨୦୦୬ରେ ବରିଷ୍ଠ କିରାଣି ଭାବେ ପଦୋନ୍ନତି ପାଇ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ବିନିକା ବ୍ଲକ୍ରେ ଅବସ୍ଥାପିତ ଥିଲେ। ୨୦୧୮ରେ ଓଆରଏସ୍(ଓଡ଼ିଶା ରାଜସ୍ବ ସେବା) ପାହ୍ୟାକୁ ପଦୋନ୍ନତି ପାଇ ବୌଦ୍ଧ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୯ରେ ଭୁବନେଶ୍ବର ଅତିରିକ୍ତ ତହସିଲଦାର ଭାବେ ବଦଳି ହୋଇ ଆସିଥିଲେ। ୨୦୨୨ ଅକ୍ଟୋବର ୧୯ ତାରିଖରେ ଓଏଏସ୍(ଓଡ଼ିଶା ପ୍ରଶାସନିକ ସେବା) ପାହ୍ୟାକୁ ପଦୋନ୍ନତି ପାଇ ଜଗତସିଂହପୁର ରାଜସ୍ବ ବିଭାଗ ଡେପୁଟି କଲେକ୍ଟର ଓ ଜମି ଅଧିଗ୍ରହଣ ଅଧିକାରୀଭାବେ ନିଯୁକ୍ତ ହୋଇଥିଲେ।
ଚିତ୍ତରଞ୍ଜନଙ୍କ ଚାକିରି କାଳ ଆହୁରି ୧୧ ବର୍ଷ ରହିଥିବା ଜଣାପଡ଼ିଛି। କିନ୍ତୁ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମିଳିବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୨ ଡିଏସପି, ୧୪ ଇନ୍ସପେକ୍ଟର ଓ ୬ ଏଏସଆଇଙ୍କୁ ନେଇ ଗଠିତ ଟିମ୍ ଛାନଭିନ୍ ଆରମ୍ଭ କରିଥିଲେ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଅଫିସ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁରରେ ଦୁଇ ମହଲା କୋଠା, ବାଲିଆପାଳ ନଈଘାଟିରେ ପୈତୃକ ଘରେ ଏକ ସମୟରେ ଚଢଉ କରା ଯାଇଥିଲା।