ଭୁବନେଶ୍ବର : ଗ୍ୟାସ୍‌ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଜୁ ମହିଳା ଜନତା‌ ଦଳ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହି ବିକ୍ଷୋଭରେ ମହିଳାମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ରାସ୍ତାରେ ଚୁଲି ଜାଳିବା ସହ ଗ୍ୟାସ୍‌ ସିଲିଣ୍ଡର୍‌ ଗଡ଼ାଇଥିଲେ। ଗ୍ୟାସ୍‌ ଦର ବଢ଼ାଇ କେନ୍ଦ୍ର ସରକାର ଓଡ଼ିଶାର ଗରିବ ଜନସାଧାରଣଙ୍କ ହାଣ୍ଡିଶାଳ ଉପରେ କୁଠାରଘାତ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

Advertisment

ବିଜେଡି ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ୨୦୧୪ରେ ମୋଦୀଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଉଜ୍ଜ୍ବଳା ଯୋଜନା ଆରମ୍ଭ ହୋଇଥିଲା। ରିହାତି ଦରରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯୋଗାଇ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏବେ ତାହାର ଦର ଆକାଶ ଛୁଇଁଲାଣି। କ୍ରମାଗତ ଭାବେ ଗ୍ୟାସ୍‌ ଦର ବଢ଼ିବା ଯୋଗୁଁ ମା’ ଭଉଣୀଙ୍କ ଆଖିରେ ଲୁହ ଆସିଛି। ଏହା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ‌ସଦୃଶ ହୋଇଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏବେ ଗ୍ୟାସ୍‌ ଦର ବଢ଼ାଇ ଆହୁରି ଆର୍ଥିକ ବୋଝ ଲଦିଛନ୍ତି। ରାଜ୍ୟ ସରକାର ସବୁବେଳେ ମହିଳାମାନଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି। ପଞ୍ଚାୟତଠାରୁ ବିଧାନସଭା ପର୍ଯ୍ୟନ୍ତ ମହିଳାଙ୍କ ପ୍ରତିନିଧିତ୍ବ ବଢ଼ୁଛି, ଯାହାକୁ କେନ୍ଦ୍ର ସରକାର ସହି ପାରୁନାହାନ୍ତି। ତେଣୁ ଏଭଳି ଦରଦାମ ବୃଦ୍ଧି କରି ମହିଳାମାନଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିବା ଓଡ଼ିଶାବାସୀ ଜାଣିସାରିଲେଣି ବୋଲି ସେ କହିଥିଲେ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର
ମା’ ଭଉଣୀଙ୍କ ଆଖିରେ ଲୁହ ଆଣିଛି: ସୌମ୍ୟରଞ୍ଜନ
‘ଉଜ୍ଜ୍ବଳା’ ଏବେ ଉଜୁଡ଼ା ଯୋଜନା: ଅରୁଣ ସାହୁ

ବିଧାୟକ ଅରୁଣ ସାହୁ କହିଲେ, ନିର୍ବାଚନ ପୂର୍ବରୁ ଦରଦାମ୍‌ ନିୟନ୍ତ୍ରଣରେ ରହୁଛି। ମାତ୍ର ଫଳ ପ୍ରକାଶ ପାଇବା ପୂର୍ବରୁ ଦର ବଢ଼ାଇ ଦେଉଛନ୍ତି। ଦରଦାମ ନିୟନ୍ତ୍ରଣ ଦାୟିତ୍ବ କେନ୍ଦ୍ର ସରକାରଙ୍କର ହୋଇଥିଲେ ମଧ୍ୟ ସେମାନେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ କରି ଶାସନରେ ରହିବାକୁ ଏଭଳି ଚକ୍ରାନ୍ତ କରୁଛନ୍ତି। ଦର ନ କମିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ପଲ୍ଲୀରୁ ଦିଲ୍ଲୀ ଯାଏ ବିଜେଡି ଆନ୍ଦୋଳନ ଜାରି ରଖିବ। ଉଜ୍ଜ୍ବଳା ମାଧ୍ୟମ‌ରେ ମହିଳାମାନଙ୍କ ମୁହଁରେ ହସ ଫୁଟାଇବାକୁ ଯେଉଁ ଯୋଜନା କରିଥିଲେ, ତାହା ଏବେ ଉଜୁଡ଼ା ଯୋଜନାରେ ପରିଣତ ହୋଇଛି ବୋଲି ସେ କଟାକ୍ଷ କରିଥିଲେ।

publive-image

ସାଂସଦ ସୁଲତା ଦେଓ କହିଲେ, ୨୦୧୪ରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍‌ ଦର ୪୧୦ ଟଙ୍କା ଥିଲା। ଏବେ ତାହା ତିନିଗୁଣ ବୃଦ୍ଧି ପାଇ ୧୧୦୦ ଟଙ୍କାରେ ପହଞ୍ଚିଛି। ଏହାଦ୍ବାରା ମହିଳାମାନେ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଗ୍ୟାସ୍‌ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ଜାରି ରହିବ।

ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର କହିଲେ, ଶାସନକୁ ଆସିବା ସମୟରେ କେନ୍ଦ୍ର ସରକାର ବିଭିନ୍ନ ଲୋଭ ଦେଖାଇଥିଲେ। ମାତ୍ର ଏବେ ମା’, ଭଉଣୀମାନଙ୍କୁ କନ୍ଦାଉଛନ୍ତି। ସବ୍‌ସିଡ୍‌ କାଟିବା ସହ ନିୟମିତ ଭା‌ବେ ଦରବୃଦ୍ଧି କରି ଚାଲିଛନ୍ତି। ପେଟ୍ରୋଲ ୧୦୦ ଟଙ୍କା ଉପରେ ଥିବା ବେଳେ ଗ୍ୟାସ୍‌ ଦର ଏବେ ୧୧୦୩ରେ ପହଞ୍ଚିଲାଣି। ଏଥିରେ ମା’ମାନେ କେମିତି ପରିବାର ଚଳାଇବେ ସେ ପ୍ରଶ୍ନ କରିଥିଲେ। ବିଏମ୍‌ସି ମେୟର ସୁଲୋଚନା ଦାସ ଯୋଗଦେଇ ଗ୍ୟାସ୍‌ ଦରବୃଦ୍ଧିକୁ ବିରୋଧ କରିବା ସହ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ।

ଏହି ପ୍ରତିବାଦ ସଭାରେ ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ମହିଳା ନେତ୍ରୀ କସ୍ତୁରୀ ମହାପାତ୍ର, ଶାଶ୍ବତୀ ମିଶ୍ର, ମହାମାୟା ସ୍ବାଇଁ, ସନ୍ଧ୍ୟା ବିଶ୍ବାଳ, ଜ୍ୟୋତ୍ସ୍ନା ପରିଡ଼ା, ଆସିଆ ବେଗମ୍‌, ମୋନାଲିସା ବେହେରା, ପୂଜା ମହାରଣା, ଜୟନ୍ତୀ ସାହୁ, ଇତିଶ୍ରୀ ଦାସ, ଦେବସ୍ମିତା ଦାସଙ୍କ ସମେତ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା, ‌ଖୋର୍ଦ୍ଧା, ଜଟଣୀ, ପିପିଲି, ବେଗୁନିଆ, କଟକ ସଦର, ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟକ ମହିଳାମାନେ ସାମିଲ ହୋଇଥିଲେ।