ଘୁମୁସର ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନ; ଭଞ୍ଜନଗର ବନ୍ଦ, ଯାନବାହନ ଚଳାଚଳ ଠପ୍

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ସୋମବାରଦିନ ଭଞ୍ଜନଗରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ତେବେ, ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି। ଯାନବାହାନ ଚଳାଚଳ ଠପ୍‌ ହେବା ସରକାରୀ ଓ ବେସରକାରୀ ଅଫିସ୍‌ ଏବଂ ଦୋକାନବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନ ବୁଲି ପିକେଟିଂ କରିବା ସହ ଦୋକାନବଜାର ବନ୍ଦ କରିଥିଲେ। ଏହାସହ ସହରକୁ ପ୍ରବେଶ କରୁଥିବା ସମସ୍ତ ମୁଖ୍ୟରାସ୍ତା ଅବରୋଧ କରିଥିଲେ।

ଭଞ୍ଜନଗରରୁ ଭୁବନେଶ୍ବର ସଂଯୋଗ କରୁଥିବା ବେଲଗୁଣ୍ଠା ରୋଡ଼୍‌, ବ୍ଲକ୍ ଛକରେ ଦଶପଲ୍ଲା ରାସ୍ତା, ଫୁଲବାଣୀ ରାସ୍ତାର ଚକରା ବିଷୋୟୀ ଛକ ଓ ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତା ବଡ଼କୋଦଣ୍ଡା ଛକ ନିକଟରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେବାଆଣିବା ଓ ମେଡିକାଲ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଯାନବାହନକୁ ଅଟକ ରଖାଯାଇଥିଲା। ସେହିପରି, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଡାକ ବିଭାଗ ଏବଂ ବୀମା କାର୍ଯ୍ୟାଳୟ ସମେତ ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିଥିଲା। ଅପରାହ୍ନ ଯାଏ ବନ୍ଦ ବଳବତ୍ତର ରହିଥିଲା। ଏହାପରେ କିଛି କିଛି ଯାନବାହନ ଚଳାଚଳ କରିଥିଲା ବେଳେ ଏହିସମୟରେ କୌଣସି ଅପ୍ରୀତିକର ଘଟଣା ସାମ୍ନାକୁ ଆସିନି।

ଅନ୍ୟପକ୍ଷରେ, ଆଗାମୀଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।
ବରିଷ୍ଠ ନାଗରିକ ମଞ୍ଚ, କଂଗ୍ରେସ, ବିଜେପି‌, ଉତ୍କଳ ସାମ୍ବାଦିକ ସଂଘ, ଅଖିଳ ଭାରତ କିଷାନ୍‌ କ୍ଷେତ ମଜଦୁର ସଭା, ବାର୍ଡ଼ ସଂସ୍ଥା ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର