କୋଣାର୍କ ଜମିଜମା ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: କଂଗ୍ରେସ

ଭୁବନେଶ୍ବର : ବିଶ୍ବ ପର୍ଯ୍ୟଟନ କେନ୍ଦ୍ର କୋଣାର୍କକୁ ବିଶ୍ବସ୍ତରୀୟ ବିକାଶ କରିବା ସହିତ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଯାହା ସ୍ବାଗତଯୋଗ୍ୟ। କିନ୍ତୁ ୧୯୨୭ ମସିହାରୁ କୋଣାର୍କ ଅଞ୍ଚଳର ୯ଟି ମୌଜାର ଜନସାଧାରଣଙ୍କ ଜମିଜମା ସମସ୍ୟା ସମାଧାନ ଦିଗରେ ସରକାର ଆଦୌ ପଦକ୍ଷେପ ନେଉନାହାନ୍ତି। ଫଳରେ ପ୍ରମାଣପତ୍ର ଅଭାବରୁ ଏସବୁ ମୌଜାର ଗରିବ ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁନାହାନ୍ତି। ଏପରିକି ଆବାସ ଯୋଜନା, ମଣ୍ଡିରେ ଧାନ ବିକ୍ରି ଓ ସର୍ବୋପରି ନିଯୁକ୍ତିରୁ ଏଠାକାର ସ୍ଥାନୀୟ ଜନସାଧାରଣ ବଞ୍ଚିତ ହେଉଛନ୍ତି। ଆଜି ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଜିତ ମଙ୍ଗରାଜ ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଏହି ଅଭିଯୋଗ କରିଛନ୍ତି। ଯଦି ଆଗାମୀ ଦିନରେ ଏହି ଅଞ୍ଚଳରେ ଲାଗିରହିଥିବା ଜମିଜମା ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନ ନିଅନ୍ତି ତାହେଲେ, ଦଳ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଶ୍ରୀ ମଙ୍ଗରାଜ କହିଥିଲେ, ଚନ୍ଦ୍ରଭାଗା ପୁଷ୍କରିଣୀର ପରିଷ୍କାର ପରିଚ୍ଛନ୍ନତା ଓ ପରିବେଶ ଦିଗରେ ଗୁରୁତ୍ବ ଦିଆଯାଉନାହିଁ। ଅଭିଯୋଗ ଶୁଣାଣି ପାଇଁ ଆଉ ୧ ମାସ ସମୟ ବୃଦ୍ଧି କରିବା ସହିତ ଉଠା ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କ ପାଇଁ ସରକାର ସ୍ଥାୟୀ ଥଇଥାନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। କାକାଟପୁରକୁ ତୁରନ୍ତ ଏନ୍‌.ଏ.ସି ଘୋଷଣା କରିବା ସହିତ ଅସନ୍ତରଙ୍ଗ ବେଳାଭୂମି, ପୀର ଜାହାନିଆ ପୀଠକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପିସିସି କିଷାନ୍‌ ସେଲ୍‌ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଦାବି କରିଥିଲେ।

ସମ୍ବନ୍ଧିତ ଖବର