ବରଗଡ଼ : ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ନେତୃତ୍ବରେ ବିସ୍ଥାପିତମାନେ ଗୁରୁବାର ବରଗଡ଼ ଠାରେ ଆନ୍ଦୋଳନ କରିଛନ୍ତି। ୬୪ ବର୍ଷ ପରେ ବି ହୀରାକୁଦର ବିସ୍ଥାପିତମାନେ କ୍ଷତିପୂରଣ ପାଇନଥିବା ସମିତି ଅଭିଯୋଗ କରିଛି। ବନ୍ଧ ନିର୍ମାଣ ବେଳେ ୨୬,୫୦୧ ପରିବାର ବିସ୍ଥାପିତ ହୋଇଥିଲେ। କିନ୍ତୁ କିଏ କେଉଁଠି ରହୁଛନ୍ତି, ସରକାରଙ୍କ ପାଖରେ ତା’ର ହିସାବ ନାହିଁ। ରାଜ୍ୟ ରାଜସ୍ବ ବିଭାଗ ପକ୍ଷରୁ ୨୦୦୨ ମସିହା ଜାନୁଆରି ୩୦ ତାରିଖ ସମସ୍ତ ବିସ୍ଥାପିତ ପରିବାର ପିଛା ୧୦ଡିସିମିଲ୍ ଘରଡ଼ିହ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଥିରୁ ମାତ୍ର ୨ହଜାର ପରିବାରଙ୍କୁ ଘରଡିହ ମିଳିଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ତହସିଲରେ ୨୫ହଜାରଟି ଆବେଦେନ ଫର୍ମ ପଡ଼ିଛି। କିନ୍ତୁ ଏହାର ପ୍ରକ୍ରିୟା କିଛି ଆଗେଇ ନାହିଁ।
ଏନେଇ ଜାତୀୟ ମାନବାଧିକାର କମିସନ ନିକଟରେ ଅଭିଯୋଗ ପରେ କମିସନ୍ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବାସଚ୍ୟୁତଙ୍କ କ୍ଷତିପୂରଣ ଏବଂ ଥଇଥାନ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ତଥ୍ୟ କମିସନ ପାଖକୁ ପହଂଚୁନାହିଁ। ତୁରନ୍ତ ପରିବାର ପିଛା ୧୦ଡିସିମିଲ୍ ଘରଡିହ, ସୁନ୍ଦରଗଡ଼ ଓ ଛତିଶଗଡ଼ର ରାୟଗଡ଼ରେ ଥିବା ବିସ୍ଥାପିତଙ୍କୁ ଯୋଜନାରେ ସାମିଲ, ବାସଚ୍ୟୁତ ପରିବାରଙ୍କୁ ପ୍ରମାଣପତ୍ର, ୩୪ଟି ଅଣରାଜସ୍ବ ଗ୍ରାମକୁ ରାଜସ୍ବ ମାନତ୍ୟା ଦେବାକୁ ସମିତିର ସଭାନେତ୍ରୀ ଶୈଳବାଳା ପ୍ରଧାନ, ସଂପାଦକ ପ୍ରଫୁଲ୍ଲ ବକ୍ସି, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପାଢ଼ୀ, ଉପଦେଷ୍ଟା ଲୋକନାଥ ସାହୁ, ବରିଷ୍ଠ ଚାଷୀନେତା ଲିଂଗରାଜ ପ୍ରମୁଖ ଦାବି ରଖିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ୭୨ଜଣ ବିସ୍ଥାପିତଙ୍କୁ ନିୟମାନୁସାରେ ଥଇଥାନ ଏବଂ କ୍ଷତିପୂରଣ ଦିଆଯାଇଛି। ଆଗାମୀ ନିର୍ଦ୍ଦେଶ ଅନୁସାରେ ସ୍ଥିତିର ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/hirakud-1.jpg)