ଭୁବନେଶ୍ବର : ୧୯ ଦଫା ଦାବିରେ ଆସନ୍ତା ଅକ୍ଟୋବର ୧୪ରୁ ସାରାଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗଣ ସତ୍ୟାଗ୍ରହ କରାଯିବ। ଆଜି ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ଏନେଇ ସୂଚନା ଦେଇଛନ୍ତି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ୧୨ ବର୍ଷ ହେଲା ଚାଷୀମାନଙ୍କ ନ୍ୟାଯ୍ୟ ଦାବି ନେଇ ଅହିଂସା ଉପାୟରେ ଗଣତାନ୍ତ୍ରିକ ଭାଷାରେ ଆନ୍ଦୋଳନ କରାଯାଉଛି। ଆନ୍ଦୋଳନର ଏକମାତ୍ର ଲକ୍ଷ୍ୟ ହେଲା ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦନ ପାଇଁ ଉଚିତ୍ ମୂଲ୍ୟ ପାଇବେ ଓ ପ୍ରତ୍ୟେକ ସ୍ତରରେ ସମ୍ମାନ ସହ ସୁରକ୍ଷା ଭତ୍ତା ପାଇବେ। ୨୦୧୮ ଅକ୍ଟୋବରରେ ଐତିହାସିକ ପଦଯାତ୍ରା ଓ ସତ୍ୟାଗ୍ରହ ପରେ ସରକାର ବାଧ୍ୟ ହୋଇ ଚାଷୀଙ୍କ ପେନସନ୍ ବାବଦରେ ବିଜ୍ଞପ୍ତି ଜାରିକଲେ। କିନ୍ତୁ ନିର୍ବାଚନ ସମୟରେ ଚାଷୀ ସୁରକ୍ଷା ଭତ୍ତାକୁ ଏଡ଼ାଇ ଦେଇ କାଳିଆ ଯୋଜନା ନାଁରେ ଚାଷୀଙ୍କୁ ଭଣ୍ଡେଇଦେଲେ। ଏଣୁ ଆସନ୍ତା ଅକ୍ଟୋବର ୧୪ରୁ ସାରା ଓଡ଼ିଶାରେ ଗଣ ସତ୍ୟାଗ୍ରହ ଆରମ୍ଭ କରାଯିବ। ଚାଷୀଙ୍କୁ ସର୍ବନିମ୍ନ ସୁରକ୍ଷା ଭତ୍ତା ବାବଦରେ ମାସିକ ୫ହଜାର ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କା ବଦଳରେ ୨ ହଜାର ଟଙ୍କାକୁ ବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ୨୩ଟି ଫସଲର ଏମ୍ଏସ୍ପି ଧାର୍ଯ୍ୟ, ଦୁଗ୍ଧ ଲିଟରକୁ ୬୦ ଟଙ୍କା ଧାର୍ଯ୍ୟ କରିବା, କରୋନାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ଚାଷୀଙ୍କୁ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଆଦି ୧୯ଦଫା ଦାବି ରଖି ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ।
ଏହି ସମ୍ବାଦିକ ସମ୍ମିଳନୀର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ ଓ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନ୍ୱର୍ ଅଲ୍ଲୀ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/nabanirmana-krushaka-sangathana-pakhyari-jila-palanku-dabipatra-15.jpg)