୯୦ତମ ଓଡ଼ିଶା ଦିବସ ଏକ ନୂତନ ବାର୍ତ୍ତା, ନୂତନ ଉନ୍ମାଦନା ନେଇ ଆସିଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଓଡ଼ିଶା ପାଇଁ କେବଳ ଏକ ଭୌଗୋଳିକ ସୀମାରେଖା ଟାଣି ଏହାକୁ ସେ ସମୟର ବ୍ରିଟିସ-ଇଣ୍ଡିଆର ଆଉ ଏକ ରାଜ୍ୟର ମାନ୍ୟତା ଦେବା ନ ଥିଲା, ସ୍ବତନ୍ତ୍ର ଓଡ଼ିଶାର ଆନ୍ଦୋଳନ ଥିଲା ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟକୁ ବିଲୁପ୍ତ ହେବାରୁ ବଞ୍ଚାଇବାର ପ୍ରୟାସ। ଦୁର୍ଭାଗ୍ୟବଶତଃ, ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶା ନିଜର ସ୍ବତନ୍ତ୍ର ଭୌଗୋଳିକ ସ୍ଥିତି ହରାଇ ବସିଥିଲା। ଏହା ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରଦେଶ, ବିଭିନ୍ନ ସାମ୍ରାଜ୍ୟରେ ନିଜକୁ ସଙ୍କୁଚିତ କରିଦେଇଥିଲା। ଏପରିକି, ଇଂରେଜ ଶାସନ ସମୟରେ ମଧ୍ୟ ଓଡ଼ିଶା ତିନି ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ପ୍ରୋଭିନ୍‌ସ ସହିତ ସମ୍ମିଳିତ ହୋଇଥିଲା। ଶାସନ-ପ୍ରଶାସନର ଦ୍ବାହି ଦେଇ ଏ ପ୍ରକାର ଏକ ଅବାଞ୍ଛିତ ଶାସନ ବ୍ୟବସ୍ଥା ଜୋର୍ ଜବରଦସ୍ତ ଲଦି ଦିଆ ଯାଇଥିଲା। କିନ୍ତୁ, ବିଧିର ବିଧାନ ଥିଲା ଅଲଗା। ସମୟାନୁକ୍ରମେ ବ୍ରିଟିସ ଶାସକମାନେ ଏହି ଐତିହାସିକ ଭୁଲ୍‌କୁ ବୁଝିପାରିଥିଲେ। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ପରେ ସେ ସମୟର ବ୍ରିଟିସ ସଚିବ ସ୍ବୀକାର କରିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ହେଲେ, ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ସଠିକ ଓ ପ୍ରଭାବୀ ଢଙ୍ଗରେ ମୁକାବିଲା କରାଯାଇପାରିବ। ଆଉ ଏକ ପାଦ ଆଗକୁ ଯାଇ ୧୮୮୫ ମସିହାରେ ସେ ସମୟର ଓଡ଼ିଶା ଡିଭିଜନ୍‌ର କମିସନର୍‌ ଭାଷାଗତ ତଥା ସାଂସ୍କୃତିକ ସାମଞ୍ଜସ୍ୟ ଯୋଗୁଁ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ପରବର୍ତ୍ତୀ କମିସନର୍‌ ଏଚ. ଜି. କୁକ୍ ୧୮୯୪-୯୫ ବାର୍ଷିକ ରିପୋର୍ଟରେ ଦୃଢ଼ଭାବେ ଉପସ୍ଥାପିତ କରିଥିଲେ। 
ଓଡ଼ିଶାର ବିଭିନ୍ନ ଅଞ୍ଚଳ ବ୍ରିଟିସ-ଇଣ୍ଡିଆର କେନ୍ଦ୍ରୀୟ ପ୍ରୋଭିନ୍‌ସ, ମାଡ୍ରାସ ପ୍ରେସିଡେନ୍‌ସି ଓ ବେଙ୍ଗଲ ପ୍ରେସିଡେନ୍‌ସି ସହ ସାମିଲ ହୋଇଥିଲା।

Advertisment

ଏହି ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଓଡ଼ିଆ ଭାଷା ତା’ର ଅସ୍ତିତ୍ବ ହରାଇବାର ଆଶଙ୍କା ମଧ୍ୟ ଦେଖାଦେଇଥିଲା। ଅନେକ ବଙ୍ଗୀୟ ବୁଦ୍ଧିଜୀବୀ ସେ ସମୟରେ ଓଡ଼ିଆକୁ ଏକ ଭାଷାର ମାନ୍ୟତା ଦେବାକୁ ମନା କରିଦେଇଥିଲେ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବଙ୍ଗାଳୀ ଭାଷାରେ ପାଠ ପଢ଼ାଇବାକୁ ଚାପ ପ୍ରୟୋଗ କରୁଥିଲେ। ୧୫ ଜାନୁଆରି, ୧୮୯୫ରେ ଏକ ଅଧିସୂଚନା ବଳରେ ସମ୍ବଲପୁର ଅଞ୍ଚଳରେ ଅଫିସ, ବିଚାରାଳୟ ଓ ସ୍କୁଲ ପାଇଁ ହିନ୍ଦୀକୁ ସରକାରୀ ଭାଷା ଭାବେ ଘୋଷଣା କରାଯାଇଥିଲା। ଏହା ବିରୁଦ୍ଧରେ ସ୍ବତଃପ୍ରବୃତ୍ତ ଭାବେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଥିଲା। ଏହି ନିଷ୍ପତ୍ତି ବିରୁଦ୍ଧରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ଧରଣୀଧର ମିଶ୍ର ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ସମ୍ବଲପୁର ଅଞ୍ଚଳରେ ମଧ୍ୟ ବ୍ରଜ ମୋହନ ପଟ୍ଟନାୟକ, ବଳଭଦ୍ର ସୁକର, ମହନ୍ତ ବିହାରୀ ଦାସ, ମଦନ ମୋହନ ଦାଶଙ୍କ ପରି ଅନେକ ଆନ୍ଦୋଳନକାରୀ ଏହାର ନେତୃତ୍ବ ନେଇଥିଲେ। 

ସମସ୍ତେ ଏକସ୍ବରରେ ଏହି ସ୍ବେଚ୍ଛାଚାରୀ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହିତ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାରେ ସମ୍ମିଶ୍ରଣ କରିବା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଫଳସ୍ୱରୂପ, ୧୯୦୫ ମସିହାରେ ଆନ୍ଦୋଳନକାରୀଙ୍କ ଉଭୟ ଦାବି ପୂରଣ କରାଯାଇଥିଲା। ଏହି ନିଷ୍ପତ୍ତିକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ସୋପାନ ଭାବେ ବିଚାର କରାଯାଇପାରେ। କିନ୍ତୁ, ଏହି ଆନନ୍ଦ ବେଶିଦିନ ତିଷ୍ଠି ନ ଥିଲା। ସେ ସମୟର ବ୍ରିଟିସ ସରକାରଙ୍କ ଦ୍ବାରା ହିନ୍ଦୀ ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ବେଙ୍ଗଲ ପ୍ରୋଭିନ୍‌ସରୁ ଅଲଗା କରି ବିହାର-ଓଡ଼ିଶା ପ୍ରୋଭିନ୍‌ସ ୧୯୧୨ ମସିହାରେ ଗଠନ କରାଯାଇଥିଲା। ଗଞ୍ଜାମ ଓ ବିଜୟନଗରମ ମାଡ୍ରାସ ପ୍ରେସିଡେନ୍‌ସିରେ ରହିଲା। କିନ୍ତୁ, ଏହି ନିଷ୍ପତ୍ତି ଓଡ଼ିଶାରେ ତୀବ୍ର ଅସନ୍ତୋଷର ସୂତ୍ରପାତ କରିଥିଲା। ଏହି ‘ଯାଆଁଳା’ ରାଜ୍ୟ ଉତ୍ପନ୍ନ ଫଳରେ ଓଡ଼ିଶାରେ ବିହାରୀ ଓ ତେଲୁଗୁ ଭାଷାଭାଷୀଙ୍କ ଆଧିପତ୍ୟ ରହିବା ଏକ ପ୍ରକାର ନିଶ୍ଚିତ ଥିଲା।

ତେଣୁ, ସେ ସମୟର ନେତୃମଣ୍ଡଳୀଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଓଡ଼ିଆ ଭାଷା ଓ ଓଡ଼ିଶାର ଅସ୍ତିତ୍ବ ବଞ୍ଚାଇବାକୁ ଗୋଟିଏ ମାତ୍ର ବାଟ ଥିଲା। ତାହା ହେଉଛି, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଭାଷାଭିତ୍ତିକ ରାଜ୍ୟ ଗଠନ କରିବା। ଏହା ଏକ ଅଭୂତପୂର୍ବ ନିଷ୍ପତ୍ତି ଥିଲା, କାରଣ ସେ ସମୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ତୀବ୍ରତର ହେଉଥିଲା, ଏବଂ ଏପରି ଏକ ଆନ୍ଦୋଳନ କେହି କେବେ ଚିନ୍ତା କରି ନ ଥିଲେ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦରଖାସ୍ତ, ପିଟିସନ ମାଧ୍ୟମ ଛାଡ଼ି, ଜନଆନ୍ଦୋଳନର ଆବଶ୍ୟକତା ଥିଲା। ଏହି ଭାବନାକୁ ତୃଣମୂଳ ସ୍ତରକୁ ନେବା ପାଇଁ  ୧୯୦୩ ମସିହାରେ ଗଠନ ହୋଇଥିଲା ‘ଉତ୍କଳ ସମ୍ମିଳନୀ’। ଏହାର ମୂଳ ଲକ୍ଷ୍ୟ ଥିଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରି ଏହାର ବିକାଶ କରିବା, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରି ଗୋଟିଏ ପ୍ରଶାସନିକ ଏକକ ଭାବେ ଗଠନ କରିବା ଏବଂ ନୂତନ ଭାବେ ଗଠିତ ରାଜ୍ୟର ବିକାଶ କରିବା।

ଓଡ଼ିଶାର ସୌଭାଗ୍ୟ ଯେ ସେ ସମୟରେ ଏହି ଆନ୍ଦୋଳନକୁ ଜନମାନସରେ ରେଖାଙ୍କିତ କରିବା ପାଇଁ ଥିଲେ ଦୃଢ଼, ବିଜ୍ଞ ଓ ପ୍ରଗାଢ଼ ବୁଦ୍ଧିମତ୍ତା ବିଶିଷ୍ଟ ନେତୃତ୍ବ। ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ଶାସକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସ୍ବଭାବକବି ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀର ଆନ୍ଦୋଳନକୁ ବିସ୍ତାର କରିଥିଲେ। 
ତିନି ଦଶନ୍ଧିରୁ ଅଧିକ କାଳର ସଂଗ୍ରାମରେ ଏହି ଆନ୍ଦୋଳନ ଅନେକ ବାଧବିଘ୍ନ ଦେଇ ଗତି କରିଥିଲା। ୧୯୨୦ ମସିହାର ସଚ୍ଚିଦାନନ୍ଦ ସିହ୍ନାଙ୍କ ପ୍ରସ୍ତାବ, ୧୯୩୦ ମସିହାର ଗୋଲ ଟେବୁଲ ବୈଠକରେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭାବବିହ୍ବଳ ଅଭିଭାଷଣ, ୧୯୩୩ ମସିହାର ସୀମା ନିର୍ଦ୍ଧାରଣ ପାଇଁ ହବାକ କମିସନ ଏବଂ ଶେଷରେ ଏହି ଆନ୍ଦୋଳନର ସୁଖଦ ପରିଣାମ ଥିଲା ଭାରତ ସରକାର ଅଧିନିୟମ, ୧୯୩୫। ଏହି ଅଧିନୟମ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ପରିଚୟ ନେଇ, ନୂତନ ଆଶାର ସମ୍ଭାର ନେଇ ସୃଷ୍ଟି ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ, ଯାହା ଥିଲା ସ୍ବାଧୀନ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଭାଷା-ଆଧାରିତ ରାଜ୍ୟ ଗଠନ ପାଇଁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭୂମିକା ଥିଲା ମହତ୍ତ୍ୱପୂର୍ଣ୍ଣ। 

ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଦିଗ ଥିଲା ଓଡ଼ିଆ ଭାଷା, ସାହିତ୍ୟକୁ ଉଜ୍ଜୀବିତ ଓ ଋଦ୍ଧିମନ୍ତ କରିବା। ତେଣୁ ସେ ସମୟରେ ସ୍ବଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୌରୀଶଙ୍କର ରାୟ ନିଜର କାଳଜୟୀ ରଚନା ବଳରେ ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷାକୁ ନୂତନ ଦିଗନ୍ତ ଦେଇଥିଲେ। ଓଡ଼ିଆ ଅସ୍ମିତାର ପୁରୋଧା ଥିଲେ ଏହି କବି, ଗାଳ୍ପିକ ତଥା ଗଦ୍ୟକାରମାନେ। ଏପରିକି ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିବା ପାଇଁ ସେମାନଙ୍କ ଲେଖନୀ ଚାଳନା କରିଥିଲେ। ଆଜି ସାରା ଓଡ଼ିଆ ଜାତି ଏହି ବରପୁତ୍ରମାନଙ୍କ ପାଖରେ ନତମସ୍ତକ। ଉତ୍କଳ ସମ୍ମିଳନୀର ଆଉ ଗୋଟିଏ ଦିଗ ଥିଲା ଭବିଷ୍ୟତରେ ଯେତେବେଳେ ବି ସ୍ବତନ୍ତ୍ର ଓଡ଼ିଶା ଗଠିତ ହେବ ତାହାର ସର୍ବାଙ୍ଗୀନ ବିକାଶ କରିବା। ଗତ ପ୍ରାୟ ସାଢ଼େ ସାତ ଦଶନ୍ଧିରେ ଓଡ଼ିଶା ଅନେକ ପ୍ରଗତି କରିଛି। କିନ୍ତୁ, କ୍ଷୋଭର ବିଷୟ ଯେ ଓଡ଼ିଶାର ସାମର୍ଥ୍ୟ ଅନୁପାତରେ ସଫଳତା ହାସଲ କରିବାରେ ରାଜ୍ୟ ଅସମର୍ଥ ହୋଇଛି। ସ୍ବାଧୀନତାର ପ୍ରାୟ ସାଢ଼େ ସାତ ଦଶନ୍ଧି ପରେ ବି ରାଜ୍ୟ ଦେଶର ପ୍ରମୁଖ ବିକଶିତ ରାଜ୍ୟ ଶ୍ରେଣୀରେ ପହଞ୍ଚି ପାରିନାହିଁ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳର ଉତ୍ସ, ବନ୍ୟ ସମ୍ପଦ ଇତ୍ୟାଦି ଯାହା ସବୁ ଗୋଟିଏ ରାଜ୍ୟର ବିକାଶ ପାଇଁ ଆବଶ୍ୟକ, ସବୁକିଛି ରହିଛି ଓଡ଼ିଶା ମାଟିରେ। ଯଦି କିଛି ଅଭାବ ଥିଲା, ତାହା ବୋଧହୁଏ ଥିଲା ଦୂରଦୃଷ୍ଟି ଓ ରାଜନୈତିକ ଇଚ୍ଛାଶକ୍ତି। 
କିନ୍ତୁ, ୨୦୨୪ ଜୁନ ୧୨ ତାରିଖରେ ଓଡ଼ିଶାର ସାମାଜିକ, ରାଜନୈତିକ ଚିତ୍ରପଟରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଓଡ଼ିଶାରେ ଲୋକଙ୍କ ସରକାର ଲୋକମାନଙ୍କ ପାଇଁ କାର୍ଯ୍ୟରତ। ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଓ ସହଯୋଗରେ ଓଡ଼ିଶା ସରକାର ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଅଗ୍ରସର ହେଉଛନ୍ତି। କେନ୍ଦ୍ରର ସହଯୋଗ, ଓଡ଼ିଶା ସରକାରଙ୍କ ସ୍ବଚ୍ଛ ଓ ପ୍ରଭାବୀ ଶାସନ ଏବଂ ସର୍ବୋପରି ରାଜ୍ୟବାସୀଙ୍କ କଠିନ ପରିଶ୍ରମ ଫଳରେ ୨୦୩୬ରେ ଯେତେବେଳେ ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରାଯିବ, ସେତେବେଳେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଥିବ ଏବଂ ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ମାନଦଣ୍ଡରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତିନିଟି ଶକ୍ତିର ଉପଯୋଗ ହେବ, ସେଗୁଡ଼ିକ ହେଉଛି- ଅସ୍ମିତା, ଉଚ୍ଚାକାଂକ୍ଷା ଓ ଅବିଶ୍ରାନ୍ତ ଉଦ୍ୟମ।

ସ୍ବତନ୍ତ୍ର ଓଡ଼ିଶାର ଇତିହାସ ଆଲୋଚନା କଲାବେଳେ ଆଉ ଗୋଟିଏ ଦିଗକୁ ଅଣଦେଖା କରାଯାଇପାରିବ ନାହିଁ, ତାହା ହେଉଛି ଆଞ୍ଚଳିକ ବୈଷମ୍ୟ। ଏହା ଅନସ୍ବୀକାର୍ଯ୍ୟ ଯେ ଆମ ରାଜ୍ୟର କିଛି ଅଞ୍ଚଳ ଯେପରିକି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ୟ ଅଞ୍ଚଳ ପରି ବିକାଶର ଧାରାରେ ଆଶାନୁରୂପ ଭାବେ ସାମିଲ ହୋଇ ପାରିନାହିଁ। ଏହା ବେଳେବେଳେ ଜନ ଅସନ୍ତୋଷରେ ପ୍ରତିଫଳିତ ହୋଇଛି। ଏହି ସମସ୍ୟାକୁ ବିଗତ ସରକାରମାନେ ସଠିକ୍‌ ଭାବେ ସମାଧାନ କରିବାର ଆବଶ୍ୟକତା ଥିଲା। କିନ୍ତୁ, ସେହି ଐତିହାସିକ ଭୁଲ୍‌କୁ ସୁଧାରିବା ପାଇଁ ନୂତନ ସରକାର ସଂକଳ୍ପ ନେଇଛନ୍ତି, ଯାହାର ପ୍ରଥମ ନିଦର୍ଶନ ହେଉଛି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ। ଏହି ଦୁଇ ପରିଷଦ ସହିତ ପୂର୍ବ ଗଠିତ ପଶ୍ଚିମ ଓଡ଼ିଶା ପରିଷଦ ରାଜ୍ୟ ବିକାଶର ନୂଆ ଦିଗନ୍ତ ସୃଷ୍ଟି କରିବ। 

ରାଜ୍ୟର ଏକତା, ଅଖଣ୍ଡତା ସର୍ବୋପରି। ବିବିଧତା ଭିତରେ ଏକତା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ। ଭାଷା, ଚଳଣି, ରୀତିନୀତି, ଖାଦ୍ୟପେୟରେ ସାମାନ୍ୟ ବିବିଧତା ଥିଲେ ମଧ୍ୟ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା- ଏହା ହେଉଛି ‘ଓଡ଼ିଆ ଜାତୀୟତା’ ଯେଉଁଥିପାଇଁ ଆମ ପୂର୍ବଜମାନେ ଅନେକ ତ୍ୟାଗ ସ୍ବୀକାର କରିଛନ୍ତି। ତାଙ୍କର ସେହି ତ୍ୟାଗ, ବଳିଦାନ କେବେହେଲେ ବ୍ୟର୍ଥ ଯିବ ନାହିଁ। ତାଙ୍କର ସ୍ବପ୍ନର ଓଡ଼ିଶା ବର୍ତ୍ତମାନର ନୂତନ ସରକାର ନିର୍ମାଣ କରିବେ ଏବଂ ସାଢ଼େ ଚାରିକୋଟି ରାଜ୍ୟବାସୀ ଏହି ଯଜ୍ଞରେ ସ୍ବତଃପ୍ରବୃତ୍ତ ଭାବେ ସାମିଲ ହେଉଛନ୍ତି। ଆଗାମୀ ଦଶନ୍ଧି ହେବ ‘ଓଡ଼ିଶାର ଦଶନ୍ଧି’, ଏଥିରେ ତିଳେ ମାତ୍ର ସଂଶୟ ନାହିଁ।