ଭବାନୀପାଟଣା : ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଅଧ୍ୟକ୍ଷତାରେ ସାଂସଦ ଆଦର୍ଶଗ୍ରାମ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟସଭା ସାଂସଦ ସୁଜିତ କୁମାର ଭବାନୀପାଟଣା ସଦର ବ୍ଲକ୍ର ଶଗଡ଼ା ପଞ୍ଚାୟତ ଏବଂ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତକୁ ପୋଷ୍ୟ ଗ୍ରାମପଞ୍ଚାୟତ ରୂପେ ଗ୍ରହଣ କରିଛନ୍ତି। ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମ୍ପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ପିଡି ଡିଆର୍ଡିଏ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଡିପିଏମ୍ୟୁ ଶ୍ରୀକାନ୍ତ ଦଳେଇ ଏହି ଦୁଇ ପଞ୍ଚାୟତକୁ ଏକ ଆଦର୍ଶ ଓ ଉଦାହରଣ ମୋଡେଲ ରୂପେ ଗଢ଼ିବାକୁ ଏକ ଯୋଜନାର ରୂପରେଖ ଉପସ୍ଥାପନ କରିଥିଲେ। ମୁଖ୍ୟତଃ ଏହି ପଞ୍ଚାୟତ ପାଇଁ କୌଣସି ଅର୍ଥ ଅନୁଦାନ ଏହି ସ୍କିମ୍ରେ ଆସିନାହିଁ କିନ୍ତୁ ଏହାକୁ ଏକ ଆଦର୍ଶ ଓ ବିକଶିତ ପଞ୍ଚାୟତ ପାଇଁ ଉତ୍ତମ ପ୍ରଶାସନ, ସାମାଜିକ ସୁରକ୍ଷା, ପରିବେଶ ଉନ୍ନତି, ସାମାଜିକ ସ୍ଥିରତା, ଆର୍ଥିକ ଉନ୍ନତି, ମାନବ ସମ୍ବଳ ବିକାଶ, ବ୍ୟକ୍ତିଗତ ଉନ୍ନତି, ମୌଳିକ ସୁବିଧାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ଅଧିକାରୀକୁ ସାଂସଦ ଆହ୍ବାନ ଦେଇଥିଲେ। ଏଥିପାଇଁ ଏକ ବିଧିବଦ୍ଧ ଯୋଜନାକୁ କାର୍ଯ୍ୟକାରୀ କରି ପଞ୍ଚାୟତରେ ସର୍ବନିମ୍ନ ମୈାଳିକ ସୁବିଧା, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟୁତ ସେବା, ଏସ୍ଏଚ୍ଜି ଗଠନ, ମୃତ୍ତିକା ସ୍ବାସ୍ଥ୍ୟକାର୍ଡ଼, ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା, ବିଏସ୍କେୱାଇ, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା, ଏମ୍ଡ଼ିଏମ୍, ପ୍ରତିଷେଧକ ଟିକାକରଣ, ଗମନାଗମନ, ଛାତ୍ରଛାତ୍ରୀ ଉପସ୍ଥାନ, ଜୀବିକା ମିସନ, ଆତ୍ମନିଯୁକ୍ତି, ଜଳସେଚନ, ଇଣ୍ଟରନେଟ ସୁବିଧା, ଇ-ପଞ୍ଚାୟତ ଉପରେ ବିସ୍ତୃତ ଭାବେ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀଙ୍କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସାଂସଦ ପ୍ରତିମାସରେ ଏହି ୨ ପଞ୍ଚାୟତର ବିକାଶର ଅଗ୍ରଗତିକୁ ସମୀକ୍ଷା କରିବେ ଏବଂ ଏହି ଦୁଇ ପଞ୍ଚାୟତ ଯେଭଳି ଜାତୀୟସ୍ତରରେ ବିକଶିତ ଗ୍ରାମପଞ୍ଚାୟତ ରୂପେ ପୁରସ୍କାର ପାଇବାକୁ ଲକ୍ଷ୍ୟ ରଖିବ ତାହା ଅନୁଧ୍ୟାନ କରିବେ। ସଭାରେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଉତ୍ତର ବନଖଣ୍ଡ ଡିଏଫଓ, ପିଏଆଇଟିଡିଏ, ଭବାନୀପାଟଣା ଓ ଲାଞ୍ଜିଗଡ଼ ବିଡିଓ, ସିଡିଏମ୍ଓ, ଡିଡିଏଚ୍, ଡିଡବ୍ଲ୍ୟୁଓ, ଡିଏମ୍ଡବ୍ଲ୍ୟୁଓ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଆର୍ଡବ୍ଲ୍ୟୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ, ସିଇଓ ଓରମାସ, ଶଗଡ଼ା ଓ ଭଟ୍ଟାଙ୍ଗପଦର ସରପଞ୍ଚ, ଡିଆଇପିଆରଓ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/e5235e92-be57-4df5-8bb8-6bcf7b424658.jpg)