ଏହି କାମପାଇଁ ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ ବାବଦରେ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ଲୋକସଭା ସଦସ୍ୟ ତଥା ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ତାଙ୍କର ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ ବାବଦରେ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି। ଅନୁଭବ ମହାନ୍ତି ନିଜର ଟୁଇଟରରେ ଏକଥା ଉଲ୍ଲେଖ କରିଛନ୍ତି।

ସେ ନିଜ ଟୁଇଟରରେ ଲେଖିଛନ୍ତି ‘କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶର କଂସାରିପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାସ୍ତାର ଉନ୍ନତି ପାଇଁ ଏମ୍‌ପିଲାଡରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଲିି। ଏହାକୁ ନେଇ ମୁଁ ଆନନ୍ଦିତ ଯେ ଏକ ବାସ୍ତବ କାମ ଓ ପ୍ରକଳ୍ପରୁ କାର୍ଯ୍ୟ ଆରମ୍ଭ କରିଛି।ଏହି କାର୍ଯ୍ୟ ଶୀଘ୍ରାତିଶୀଘ୍ର ଶେଷ ହେବ ବୋଲି ଆଶା କରୁଛି।ସହାୟତା ଲାଗି କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ଧନ୍ୟବାଦ।

ଅନୁଭବ ସୋସିଆଲ ମିଡିଆରେ କେନ୍ଦ୍ରାପଡ଼ା କଂସାରିପାଟଣା ଗ୍ରାମର ସ୍କୁଲକୁ କୁନିକୁନି ପିଲାମାନେ ଯେଉଁ ପାଦଚଲା ରାସ୍ତାରେ ଆସୁଛନ୍ତି, ସେଥିରେ ଅସୁବିଧା ହେଉଥିବାର ଭିଡିଓ ଦେଖିବାପରେ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି। ଏହି ରାସ୍ତା ନିର୍ମାଣ ଲାଗି ଆବଶ୍ୟକ ବାଲି, ଗୋଡି ଓ ଚିପ୍‌ସ ଆଦି ପହଞ୍ଚିଯାଇଥିବା ନେଇ ସାଂସଦ ଅନୁଭବ ମହାନ୍ତି ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସାଂସଦ ଅନୁଭବ ମହାନ୍ତି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ୧୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର