କେନ୍ଦ୍ରାପଡ଼ା : ପାରିବାରିକ ହି˚ସା ମାମଲାକୁ ନେଇ କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ସାମ୍ନାକୁ ଆସିଛି। କାହାର ନାଁ ନ ନେଇ ନିଜ ଟୁଇଟର୍ରେ ଗତକାଲିଠାରୁ ସା˚ସଦ ଯେଉଁଭଳି ଗୋଟିଏ ପରେ ଗୋଟିଏ ଟୁଇଟ୍ ଓ ଭିଡିଓ ପୋଷ୍ଟ୍ କରି ଚାଲିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଟୁଇଟ୍ରେ କାହାର ନାଁ ନ ନେଇଥିଲେ ବି ସବୁତକ ପୋଷ୍ଟ୍ ଯେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି, ଭିଡିଓ ଦେଖିବା ପରେ ତାହା ସ୍ପଷ୍ଟ ହେଇଯାଉଛି।
ଏକ ସିସି କ୍ୟାମେରା ଫୁଟେଜ୍କୁ ପୋଷ୍ଟ୍ କରି ଅନୁଭବ ଲେଖିଛନ୍ତି ଯେ ଏହି ୧ ମିନିଟ୍ ୧୪ ସେକେଣ୍ତ୍ର ଭିଡିଓ ମୋ ସାଧୁତାର ପ୍ରମାଣ ଦେଉଛି। ଗଲା ବର୍ଷେ ହେବ ଏହି ଭିଡିଓ ପୁଲିସ ପାଖେ ଅଛି। କିନ୍ତୁ ବର୍ଷେରୁ ଅଧିକ ଦିନ ବିତିବା ପରେ ବି ଯେତେବେଳେ ମୋତେ ନ୍ୟାୟ ମିଳୁନାହିଁ, ସେତେବେଳେ ଏହି ଭିଡିଓ ସେୟାର କରୁଛି। ସେହିପରି ଆଉ ଏକ ପୋଷ୍ଟରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବାକୁ ଯାଇ ଅନୁଭବ ଲେଖିଛନ୍ତି ଯେ ଗତବର୍ଷ ଏହି ଦିନ (ଡିସେମ୍ବର ୧୯) ତାରିଖରେ ମୋ ଘର ଭିତରକୁ ଏକ ଜରୁରି କାର୍ଯ୍ୟରେ ମାତ୍ର ଗୋଟିଏ ଦୁଇ ମିନିଟ୍ ଯିବା ପାଇଁ ଜଣଙ୍କୁ ଅନୁରୋଧ କରିଥିଲି। କିନ୍ତୁ ଏ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଚୂଡ଼ାନ୍ତ ରାୟ ନ ଆସିବା ଯାଏଁ ମୁଁ କିମ୍ବା ମୋ ପରିବାର ଲୋକ ତାଙ୍କୁ ଘରୁ ତଡ଼ି ଦେବୁନାହିଁ। ଆଉ ଏକ ଟୁଇଟ୍ରେ ଭିଡିଓ ସେୟାର କରି ଅନୁଭବ ଲେଖିଛନ୍ତି ଯେ ମୁଁ ତାଙ୍କୁ ଘରୁ ତଡ଼ି ଦେଉଥିବାର ଅଭିଯୋଗ ଆସୁଥିବା ବେଳେ ଏହି ଭିଡିଓରେ ଦେଖନ୍ତୁ କିଏ ଘର ଭିତରକୁ ଯିବା ପାଇଁ ପୁଲିସ ପାଖେ ନେହୁରା ହେଉଛି। ପାରିବାରିକ ବିବାଦକୁ ନେଇ ଅନୁଭବଙ୍କ ଏ ପ୍ରକାର ଗୋଟିଏ ପରେ ଗୋଟିଏ ଟୁଇଟ୍ ପୁଣି ଥରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।