ଭୁବନେଶ୍ୱର : କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ବିଏମ୍ସି ସିଲ୍ କରିବା ପରେ ସାଂସଦ ଆଜିଠାରୁ ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ଉଦ୍ବୋଧନ ଦେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ବିଏମ୍ସି ମୋ ଅଫିସ୍ ସିଲ୍ କରିଥିବାରୁ ମୁଁ ଆସନ୍ତା ୧୫ଦିନ ତିନିଟି ସ୍ଥାନରେ ଜନଶୁଣାଣି କାର୍ଯ୍ୟକ୍ରମ କରିବି। ମୋ ଅଫିସ୍ ସମ୍ମୁଖ, ମୋ ବାସଭବନ ସମ୍ମୁଖ ଏବଂ ରାଜରାସ୍ତା ଉପରେ ଜନଶୁଣାଣି କାର୍ଯ୍ୟକ୍ରମ ହେବ। ଏଠାରେ ସ୍ଥାନୀୟ ଲୋକ ଆସି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏହାର ସମାଧାନ ପାଇଁ ପଦକ୍ଷେପ ନେବି। ଜନଶୁଣାଣିରେ କିଛି ଲୋକ ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ କହିଥିଲେ।
ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, କିପରି ବିଜେଡି ନେତାମାନେ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ କରିଛନ୍ତି ତା’ର ପ୍ରମାଣ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ କେବେ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା। ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/aparajita-meeting.jpg)