ଭୁବନେଶ୍ବର: ବୁଥ ଭିତରେ ଇଭିଏମ ଭାଙ୍ଗିବା ଅଭିଯୋଗ ଘଟଣାରେ ସିସିଟିଭି ଚିତ୍ର ସାମ୍ନାକୁ ଆସିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସିସିଟିଭି ଫୁଟେଜ ଜାରି କରିଛନ୍ତି। ଏଥିରେ ବୁଥ ଭିତରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଖିବାକୁ ମିଳୁଛି। ସେହିପରି ଲୋକସଭା ପାଇଁ ଉଦ୍ଧିଷ୍ଠ ମତଦାନ ବଖରାକୁ ଯାଇ ଫେରିଆସି ବିଧାନସଭା ପାଇଁ ଥିବା କ୍ୟାବିନେଟକୁ ଯାଉଛନ୍ତି। କିଛି ସମୟ ପରେ ଇଭିଏମ ପଡ଼ିଯାଉଥିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି।

Advertisment

ତେବେ ଇଭିଏମ ଭଙ୍ଗା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ କୌଣସି ଭୂମିକା ନଥିବା କହି ଏହି ଭିଡିଓ ଜାରି କରିଛନ୍ତି ଅପରାଜିତା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କାଉଁରିପାଟଣା ପୋଲିଂ ବୁଥରେ ଇଭିଏମ ଭାଙ୍ଗିବା ନେଇ ଅଭିଯୋଗ ଆସିଥିଲା। ଆଉ ଏହି ଘଟଣାରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି।

ଏହା ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଥିଲେ।

ଅପରାଜିତା କହିଥିଲେ, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନକୁ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ। ହେଲେ ସେଠାରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ। ଅନ୍ୟପଟେ ଡ୍ରାଇଭର ବନବାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ହେଇଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନାହାଁନ୍ତି। ବନମାଳୀ ବାବୁଙ୍କୁ ୪ ଜଣ ପୁଲିସ୍ ହଇରାଣ କରିଥିଲେ। ସେମାନେ ଚାହୁଁଥିଲେ ସେ କୁହନ୍ତୁ, ପ୍ରଶାନ୍ତ ଜଗଦ୍ଦେବ ସେହି ଇଭିଏମ୍ ଭାଙ୍ଗିଛନ୍ତି ।

ଅପରାଜିତା ଆହୁରି ମଧ୍ୟ କହିଥିଲେ ଯେ, ପ୍ରଶାନ୍ତ ଜଗଦ୍ଦେବ ବାବୁଙ୍କ ଲୋକପ୍ରିୟତାକୁ ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କ ପାଖରେ ସିସିଟିଭି ଫୁଟେଜ୍ ରହିଛି। ସେହି ଫୁଟେଜରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ।