ବିଏମସିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି: କ୍ଷତିପୂରଣ ସହ ୭ ଦିନରେ ବ୍ୟବସାୟ ଉପଯୋଗୀ ଜାଗା ଯୋଗାଇବାକୁ ଦାବି

ଭୁବନେଶ୍ବର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି। ଆଗେ ଥଇଥାନ ଏବଂ ପରେ ଉଚ୍ଛେଦ ହେବା କଥା, ମାତ୍ର ଏଠି ବିପରୀତ କଥା ଦେଖିବାକୁ ମିଳିଛି।

କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା ପରେ ବିଏମ୍‌ସିକୁ ସାଂସଦ  ଅପରାଜିତା ଷଡ଼ଙ୍ଗୀ ଏକ ଚିଠି ଲେଖିଛନ୍ତି। କ୍ଷତିପୂରଣ ସହ ୭ ଦିନରେ ବ୍ୟବସାୟ ଉପଯୋଗୀ ଜାଗା ଯୋଗାଇ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ମାର୍କେଟ କଂପ୍ଲେକ୍ସ ତିଆରି ହେଲେ କ୍ଷତିଗ୍ରସ୍ତ ୪୩୦ ଦୋକାନୀଙ୍କୁ ପ୍ରଥମେ ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସୂଚନାଯୋଗ୍ୟ, ଗତ ୮ ତାରିଖ ଦିନ ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। କିଛି ନୋଟିସ ନ ଦେଇ ୮ ତାରିଖ ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଥିଲେ। ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଥିଲା। ଏଠାରେ ଥିବା ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଇଥିଲା। ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇନଥିଲେ। ଏହାଫଳରେ ଅନେକ ବ୍ୟବସାୟୀଙ୍କର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିଲା।

ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ।। ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଥିଲେ। ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର