ବିଜେଡି ଛାଡ଼ିଲେ ବୈଜୟନ୍ତ : ଲୋକସଭାରୁ ମଧ୍ୟ ଇସ୍ତଫା ଦେବେ, ଇସ୍ତଫାର କାରଣ ନେଇ ବୈଜୟନ୍ତଙ୍କ ତିନି ପୃଷ୍ଠାର ସଫେଇ

ଶୁଦ୍ଧିକ୍ରିୟା ଭଳି ଦୁଃସମୟରେ ମତାମତ ଦେବାକୁ ଚାହୁଁନୁ: ବିଜେଡି

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ଟାଣି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଆଜି ଶ୍ରୀ ପଣ୍ଡା ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଦଳ ଛାଡିବା ସଂପର୍କରେ ନିଷ୍ପତ୍ତି ଜଣାଇଛନ୍ତି। କେବଳ ସେତିକି ନୁହେଁ, ଖୁବ୍‌ଶୀଘ୍ର ସେ ଲୋକସଭା ସଭ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି। ପିତାଙ୍କ ମୃତ୍ୟୁଜନିତ ଶୋକପ୍ରକ୍ରିୟାର ଧାର୍ମିକ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ସେ ଏ ନେଇ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଅବଗତ କରାଇବେ। ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ତିନି ପୃଷ୍ଠାର ଲମ୍ବା ଚିଠିର ଅନ୍ତିମ ଧାଡ଼ିରେ ଏହି ସୂଚନା ଦେଇଛନ୍ତି।

ଇସ୍ତଫାର କାରଣ ସଂପର୍କରେ ସୂଚାଇବାକୁ ଯାଇ ବୈଜୟନ୍ତ କହିଛନ୍ତି, ମୋ ପିତା ବଂଶୀଧର ପଣ୍ଡା, ବିଜୁ ଅଙ୍କଲଙ୍କ ନିକଟତର ଥିବା ସମସ୍ତେ ଜାଣନ୍ତି। ତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବା ବିଜେଡିରୁ କେହି ଶେଷ ଦର୍ଶନକୁ ନଯିବା ଅମାନବିକତା। ଏପରିକି ଶେଷ ଦର୍ଶନ ପାଇଁ ଚାହୁଁଥିବା ନେତାଙ୍କୁ ବାରଣ କରାଯିବା ସଂପର୍କରେ ଅନେକ ନେତା ସୂଚନା ଦେବା ତାଙ୍କୁ ମର୍ମାହତ କରିଛି।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର କିଛି ସମର୍ଥକ ବିଜେଡି ଛାଡିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍‌ ପୂର୍ବତନ ସଭାପତି ସଲିମ ଖାନ୍‌, ରାଜ୍ୟ ଛାତ୍ର ବିଜେଡି ସଂଗଠନ ସଂପାଦକ ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଇସ୍ତଫା ଦେଇଥିବା କୁହାଯାଇଛି।

ବୈଜୟନ୍ତଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି କଣ ହେବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେହି କେହି ବୈଜୟନ୍ତ ବିଜେପି ଆଡକୁ ମୁହାଁଇବା ସମ୍ଭାବନା ଅଧିକ ବୋଲି ଏବେଠାରୁ ଭବିଷ୍ୟବାଣୀ କରୁଛନ୍ତି। ବୈଜୟନ୍ତ ଯଦି ତାଙ୍କ ସୂଚନା ମୁତାବକ ସଂସଦରୁ ଇସ୍ତଫା ଦିଅନ୍ତି, ତେବେ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀକୁ ଆଉ ଏକ ଉପନିର୍ବାଚନ ସାମ୍ନା କରିବାକୁ ପଡିପାରେ।

ସୂଚନାଯୋଗ୍ୟ ଯେ ଗତ ଜାନୁଆରି ୨୪ ତାରିଖରେ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସେତେବେଳେ ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ଆଜି ବୈଜୟନ୍ତଙ୍କ ଇସ୍ତଫା ପରେ ବିଜେଡି ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗତ କିଛିଦିନ ହେବ ସେ ନିଆରା ଢଙ୍ଗରେ ଚାଲିଛନ୍ତି ଓ ନିଆରା ପ୍ରତିକ୍ରିୟା ଦେଉଛନ୍ତି। ତେବେ ଦଳର ସଭାପତିଙ୍କ ପାଖରେ ଇସ୍ତଫା ପତ୍ର ପହଞ୍ଚିଛି। ବୈଜୟନ୍ତଙ୍କ ପିତା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଛି। ସ୍ୱର୍ଗତ ପଣ୍ଡାଙ୍କ ପରିବାର ଏ ସମୟରେ ଶୋକାକୁଳ ପରିସ୍ଥିତିରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ମର୍ମାହତ ହୋଇ ଗଭୀର ଶୋକ ବ୍ୟକ୍ତ କରିଥିଲେ। ଆମ ପରମ୍ପରା ଅନୁଯାୟୀ ୧୧ ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କରାଯାଏ। ତେଣୁ ଏଭଳି ଏକ ଦୁଃସମୟରେ ତାଙ୍କ ଇସ୍ତଫା ଉପରେ ବିଜେଡି କୌଣସି ମତାମତ ଦେବା ଉଚିତ୍‌ ମଣୁନାହିଁ। ଉଚିତ୍‌ ସମୟରେ ଦଳ ଏ ସଂପର୍କରେ ନିଜର ମତାମତ ରଖିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ କହିଛନ୍ତି, ଇସ୍ତଫା ଦେବା ବୈଜୟନ୍ତ ପଣ୍ଡାଙ୍କ ବ୍ୟକ୍ତିଗତ କଥା। ତା ସତ୍ତ୍ୱେ ରାଜନୈତିକ କାରଣରୁ ବୈଜୟନ୍ତ ବାବୁ ଇସ୍ତଫା ଦେଇଥିଲେ ସେ ପ୍ରତିକ୍ରିୟା ଦେଇଥାନ୍ତେ। କାହାର ଶେଷ ଦର୍ଶନକୁ କିଏ ଯିବ, ନଯିବ ତାଙ୍କ ନିଜ ବ୍ୟାପାର ଓ ସେମାନଙ୍କ ବିବେକ ଉପରେ ନିର୍ଭର କରେ। ଏହାକୁ ନେଇ ମୋର କିଛି କହିବାର ନାହିଁ। ତେବେ ବିଜେଡି ନେତାଙ୍କୁ ନଯିବାକୁ କୁହାଯାଇଥିବା କଥା ମୁଁ ଜାଣିନାହିଁ। ମୋତେ ତ କେହି ନଯିବାକୁ କହି ନଥିଲେ। ମୁଁ ଭୁବନେଶ୍ୱରରେ ନଥିଲି, ତେଣୁ ଯାଇପାରିଲି ନାହିଁ।

ଉଲ୍ଲେଖଯୋଗ୍ୟ, ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ରରେ କିଛି ପ୍ରସଙ୍ଗ ଉଠାଇଛନ୍ତି। କହିଛନ୍ତି, ଆମ ବିଜେଡିରେ ଗତ ୪ ବର୍ଷ ଧରି ପରିସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତି କରିଛି। ମୁଁ ହୃଦବୋଧ କଲି ଯେ, ବିଜେଡି ମତେ ଆଉ ଚାହୁଁନି। ଦଳ ମତେ କାଢି ଦେବାକୁ ଚାହୁଁଛି। ଏହା ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିଛି। ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ମୁଁ ନିଜର ଆତ୍ମସମ୍ମାନକୁ ବଳି ଦେବାକୁ ଚାହୁଁନି।

୨୦୧୪ ମସିହାରୁ ଦଳ ଭିତରେ ତାଙ୍କ ବିରୋଧରେ କିଭଳି ଷଡ଼୍‌ଯନ୍ତ୍ର କରାଯାଉଥିଲା, କେଉଁ ପରିସ୍ଥିତିରେ ଏକ ଦୈନିକ ଖବରକାଗଜରେ ସେ ଏକ ସ୍ତମ୍ଭ ଲେଖିଲେ, ସେ ସଂପର୍କରେ ଢେର୍‌ ସଫେଇ ଦେଇଛନ୍ତି ବୈଜୟନ୍ତ। ତାଙ୍କୁ ମାହାଙ୍ଗାରେ କିଭଳି ଇଟା ଓ ଅଣ୍ଡା ମାଡ଼ ହେଲା, ଦଳର ସାମ୍ବିଧାନିକ କମିଟିରୁ କିଭଳି ଦୂରେଇ ଦିଆଗଲା, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ, ମିଥ୍ୟା ଅଭିଯୋଗ ଅଣାଯାଇ ନିଲମ୍ବନ କରାଯିବା ପର୍ଯ୍ୟନ୍ତ ଟିକିନିଖି ତଥ୍ୟ ରଖି ନିଜକୁ ନିର୍ଦୋଷ ପ୍ରମାଣ କରିବାକୁ ଢେର୍‌ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର