ବିଜେପି ଜାତୀୟ ସମ୍ପାଦକ ହେଲେ ସାଂସଦ ବିଶ୍ୱେଶ୍ୱର

ବାରିପଦା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କେନ୍ଦ୍ରୀୟ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ଶ୍ରୀ ଟୁଡୁ’ଙ୍କୁ ନୂତନ ଭାବେ ରାଷ୍ଟୀୟ ସମ୍ପାଦକ ଦାୟିତ୍ଵ ପ୍ରଦାନ କରାଯାଇଛି । ଶ୍ରୀ ଟୁଡୁ ବର୍ତ୍ତମାନ ରାଜ୍ୟ ବିଜେପି ଅନୁସୂଚୀତ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଘୋଷଣା ହୋଇଥିବା ଜାତୀୟ ଟିମ୍‌ରେ ରାଜ୍ୟରୁ ୪ଜଣ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରେ ଜାତୀୟ ସ୍ତରରେ ମୟୂରଭଞ୍ଜର ପ୍ରତିନିଧିତ୍ବ ମିଳିଥିବାରୁ ଜିଲ୍ଲା ବିଜେପିରେ ଖୁସିର ଲହରୀ ଖେଳି ଯାଇଛି । ଜିଲ୍ଲାର ବିଭିନ୍ନ ବର୍ଗରୁ ସାଂସଦ’ଙ୍କୁ ଶୁଭେଚ୍ଛା ଦିଆଯାଇଛି ।

ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଧାୟକ ପ୍ରକାଶ ସୋରେନ, ବୁଢାନ ମୁର୍ମୁ, ଭାସ୍କର ମଢ଼େଇ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ,ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ବିଜେପି ନେତା ଛୋଟେଲାଲ ମହାନ୍ତ, ଜୀବନ ସାହୁ, ଲକ୍ଷ୍ମୀଧର ହାୱଡା, କୁମାର ମଙ୍ଗଳମ, ଦେବବ୍ରତ ସାମଲ, କୌଶଲ୍ୟା ନାୟକ ପ୍ରମୁଖ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ଟୁଡୁଙ୍କୁ ଜାତୀୟ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରି ମୟୂରଭଞ୍ଜ ଭଳି ଏକ ବୃହତ୍ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ସବୁ କ୍ଷେତ୍ରରେ ଗୁରୁତ୍ଵ ଦେଉଥିବାରୁ ଜିଲ୍ଲା ବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର