ବାରିପଦା: ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ କାହିଁକି ଅଚାନକ ଇସ୍ତଫା ଦେଲେ, ସେ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନା ଆସିଛି। ସାଂସଦ ପାଣ୍ଠିକୁ ନେଇ ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କ ସହ ବିବାଦ କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମମତା ମହାନ୍ତଙ୍କ ସାଂସଦ ପାଣ୍ଠିକୁ ଯାଜପୁର ଜିଲ୍ଲାର କେତେକ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ଅନୁମୋଦନ କରାଯାଇଥିଲା। ଏ ସମ୍ପର୍କରେ ଯାଜପୁର ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଜିଲ୍ଲା ପ୍ଲାନିଂ ଆଣ୍ଡ୍‌ ମନିଟରିଂ ୟୁନିଟ୍‌ (ଡିପିଏମ୍‌ୟୁ)ର ମତାମତ ଲୋଡ଼ିଥିଲା। ମୟୂରଭଞ୍ଜ ଡିପିଏମ୍‌ୟୁର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ)ଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ଲେଖାଯାଇଥିବା ପତ୍ର(ନମ୍ବର୭୮/୦୯/୦୧/୨୪)ରେ ସ୍ପଷ୍ଟ କରାଯାଇଥିଲା ଯେ ସାଂସଦ ମମତା ମହାନ୍ତ ଏହି ଅନୁମୋଦିତ ପ୍ରକଳ୍ପକୁ ବାତିଲ୍‌ କରିଦେଇଛନ୍ତି। ସେହିପରି, ଯାଜପୁର ଡିପିଏମ୍‌ୟୁ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ପଠାଯାଇଥିବା ଆଉ ଏକ ପତ୍ରରେ ମମତା ମହାନ୍ତଙ୍କ ସାଂସଦ ପାଣ୍ଠି ବାବଦ ଟଙ୍କାକୁ ପଠାଇବାକୁ କୁହାଯାଇଥିଲା।

Advertisment

ନିଜ ଇଚ୍ଛା ମୁତାବକ ଖର୍ଚ୍ଚ କରିବାକୁ ଚାହୁଁଥିଲେ ବିଜେଡି ନେତା
ଯେଉଁଠି କୁହାଯାଉଥିଲା ମୁଁ ସେଇଠି ଦସ୍ତଖତ ମାରୁଥିଲି: ମମତା

ଏହି ଘଟଣାକୁ ନେଇ ବିଜେଡିର ଏହି ବରିଷ୍ଠ ନେତା ଏବଂ ମମତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଶୁଣିବାକୁ ମିଳୁଛି ଯେ, ସେ ସାଂସଦ ପାଣ୍ଠିକୁ ନିଜ ମନମୁତାବକ ଖର୍ଚ୍ଚ କରିବାକୁ ଜିଦ୍‌ ଧରିଥିଲେ। ଏଥିପାଇଁ ବାରମ୍ବାର ଚାପ ପକାଉଥିଲେ ଏବଂ ଧମକ ମଧ୍ୟ ଦେଉଥିଲେ। ଏପରିକି ଅଗଷ୍ଟ ୪ ତାରିଖ ସୁଦ୍ଧା ହିସାବନିକାଶ ହେବ ବୋଲି ସାଂସଦଙ୍କୁ କୁଆଡ଼େ ଚେତାବନୀ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ରାଜ୍ୟସଭା ସାଂସଦ ତଥା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମମତା ଇସ୍ତଫା ଦେଇଥିବା କୁହାଯାଉଛି। ନିଜ ପ୍ରତିକ୍ରିୟାରେ ମମତା କହିଛନ୍ତି, ‘ସାଂସଦ ପାଣ୍ଠି ଖର୍ଚ୍ଚ କରିବାରେ ମୋର କୌଣସି ଭୂମିକା ରହୁନଥିଲା। ମୋତେ ଯେଉଁଠି ଦସ୍ତଖତ କରିବାକୁ କୁହାଯାଉଥିଲା ମୁଁ କରୁଥିଲି।’ ବିଜେଡିର ଏହି ପ୍ରଭାବଶାଳୀ ନେତା ଚାପ ପକାଇଥିବା ପ୍ରସଙ୍ଗ ପଦାକୁ ଆସିବା ପରେ ମୟୂରଭଞ୍ଜ ରାଜନୀତି ସରଗରମ ହୋଇଛି। ଚାପ ଆଗରେ ମମତା ମୁଣ୍ଡ ନ ନୁଆଁଇ ସ୍ବାଭିମାନ ରକ୍ଷା କରିବାକୁ ଦଳରୁ ଇସ୍ତଫା ଦେଇଥିଲେ ବୋଲି ବହୁ ରାଜନୈତିକ ବ୍ୟକ୍ତିବିଶେଷ ମତ ରଖିଛନ୍ତି।