ଖୋର୍ଦ୍ଧାରେ ବିନିଯୋଗ ହୋଇପାରୁନି ସାଂସଦ ପାଣ୍ଠି

ଖୋର୍ଦ୍ଧା: ୨୦୧୪ ଲୋକସଭା ନିର୍ବାଚନ ପରଠାରୁ ୩ବର୍ଷ ୪ ମାସ ଅତିବାହିତ ହୋଇଯାଇଛି । ଏକଦା ବିଜେଡିର ଗଡ଼ କୁହାଯାଉଥିବା ରାଜ୍ୟ ରାଜଧାନୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶାସକ ବିଜେଡିକୁ ବାଜିମାତ କରି ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ସାଂସଦ ଭାବେ ଜିତିଥିଲେ । ଲୋକଙ୍କ ଆଶାଥିଲା, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗ୍ରାମାଂଚଳରେ ପୂର୍ବଭଳି ଦଳୀୟ ଠିକାଦାରଙ୍କୁ ସୁହାଇବା ଭଳି ବିକାଶ ନୁହେଁ ସୁବ୍ୟବସ୍ଥିତ ଭାବେ ବିକାଶ ପହଂଚିବ, କିନ୍ତୁ ଗତ ତିନି ବର୍ଷର ସାଂସଦଙ୍କ ପାଣ୍ଠୀ ବିନିଯୋଗର ପରିସଂଖ୍ୟାନକୁ ଦେଖିଲେ ମୋଟ ଅନୁଦାନର ୫୯ ପ୍ରତିଶତ ଖର୍ଚ୍ଚ ହୋଇପାରିଛି ।
ଲୋକସଭାର ସାଂସଦଙ୍କ ପାଣ୍ଠୀ ବିନିଯୋଗର ତଥ୍ୟାନୁସାରେ, ସାଂସଦଙ୍କ ଆଂଚଳିକ ବିକାଶ ପାଣ୍ଠି (ଏମ୍ପି ଲାଡ୍)ରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଷାଣୀଙ୍କୁ ୨୦୧୪-୧୯ ମଧ୍ୟରେ ୨୨ କୋଟି ୫୦ଲକ୍ଷ ଟଙ୍କା ଦିଆଯାଇଥିଲା । ଏହାମଧ୍ୟରୁ ୨୨ କୋଟି ୪୯ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା । କିନ୍ତୁ ବିନିଯୋଗ ଅନୁଦାନ ବାବଦରେ ଅନୁଦିତ ହୋଇଥିବା ୧୦୩୨ଟି ପ୍ରକଳ୍ପ ମଧ୍ୟରୁ ୩୪୧ଟି କାମ ହିଁ ସଂପୂର୍ଣ୍ଣ ହୋଇପାଥିଲା ।

ଅପରପକ୍ଷରେ, ସାଂସଦ ଅପରାଜିତାଙ୍କୁ ୯ ସେପ୍ଟମ୍ବର ସୁଦ୍ଧା ୧୨କୋଟି ଟଙ୍କା ଏମ୍ପି ଲାଡ୍ରୁ ୨୦୧୯-୨୦ ଓ ୨୦୨୦-୨୦୨୧ରେ ଆର୍ଥିକ ବର୍ଷରେ ୨କୋଟି ୫ଲକ୍ଷ ଲେଖାଏଁ ଓ ୨୦୨୧-୨୨ରେ ୨ କୋଟି ଟଙ୍କା, ଏଭଳି ମୋଟ ୭ କୋଟି ଟଙ୍କା ମିଳିଥିଲା । ପର୍ଯ୍ୟାୟକ୍ରମେ ୪ କୋଟି ୨୨ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୨କୋଟି ୮୭ଲକ୍ଷ ଟଙ୍କା ବିନିଯୋଗ ନହୋଇ ପଡ଼ିରହିଛି ।

ଆକଳନରେ ମୋଟ ଅନୁଦାନରୁ ୩ଟି ଆର୍ଥିକ ବର୍ଷରେ ୫୯ ପ୍ରତିଶତ ଏମପି-ଲାଡ୍ ଖର୍ଚ୍ଚ ହୋଇଛି । ଯଦିଓ ଏହି ଟଙ୍କା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନିକଟବର୍ତୀ ସଂସଦୀୟ କ୍ଷେତ୍ରର ସାଂସଦଙ୍କ ଏମ୍ପି-ଲାଡ୍ ବିନିଯୋଗ ଠାରୁ ଅପେକ୍ଷାକୃତ ଭାବେ ଅଧିକ ଅଟେ । ଉଦାହରଣ ସ୍ୱରୂପ, ପଡ଼ୋଶୀ ପୁରୀ ସଂସଦୀୟ କ୍ଷେତ୍ରର ଏକାଧିକ ଥର ସାଂସଦ ହୋଇଥିବା ପିନାକୀ ମିଶ୍ରଙ୍କ ବିନିଯୋଗ ପରିମାଣ ୪୩ ପ୍ରତିଶତ ଥିବା ବେଳେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ବିନିଯୋଗ ପରିମାଣ ୩୮ ପ୍ରତିଶତ । ୬ ଥର ସାଂସଦ ଭାବେ ଜିତିଥିବା ପଡ଼ୋଶୀ କଟକ ସଂସଦୀୟ କ୍ଷେତ୍ରର ସାଂସଦ ଭତୃହରି ମହତାବଙ୍କ ସାଂସଦ ଉନ୍ନୟନ ପାଣ୍ଠିର ବିନିଯୋଗ ୩୬ ପ୍ରତିଶତ ରହିଛି । କିନ୍ତୁ ଖୋର୍ଦ୍ଧାର ଗ୍ରାମାଂଚଳରେ ଯେଉଁଭଳି ପରିମାଣରେ ସାଂସଦଙ୍କ ଉନ୍ନୟନ ପାଣ୍ଠି ବିନିଯୋଗ ହେବା କଥା ସେଇଭଳି ହୋଇପାରିନାହିଁ ।

ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠୀର ନିୟମାନୁସାରେ, ପ୍ରକଳ୍ପଗୁଡ଼ିକର ଅନୁମୋଦନ କରିବା କାମ କେବଳ ସାଂସଦଙ୍କର ଅଟେ । ପରବର୍ତୀ ଅନୁଦାନ ଦେବା, ଏହାକୁ କାର୍ଯ୍ୟକାରୀ କରିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ କରିବା କାର୍ଯ୍ୟ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ଅଟେ । ସାଂସଦଙ୍କ ଏମ୍ପି-ଲାଡ୍ ଅନୁଦାନର ବିନିଯୋଗକୁ ନେଇ ଜିଲ୍ଲାରେ ନିୟମିତ ସମୀକ୍ଷା ହେଉଥିଲେ ମଧ୍ୟ ଅନୁଦାନ ଟଙ୍କା ଖର୍ଚ୍ଚ ହୋଇନପାରିବା ପ୍ରଶାସନର ଅପରାଗତା କିମ୍ବା ସାଂସଦଙ୍କ ସୀମିତ ପ୍ରଭାବ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର