ନୀଳଗିରି: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଜଣେ ମଦ ବ୍ୟବସାୟୀକୁ ନୈତିକତାର ପାଠ ପଢ଼ାଇଛନ୍ତି। ଫଳରେ ସେ କ୍ଷମା ମାଗିଛି। ଏମିତି କି ଶ୍ରୀ ଷଡ଼ଙ୍ଗୀଙ୍କ ଭଉଣୀଙ୍କ ଗୋଡ଼ ଧରି ଆଉ କେବେ ମଦ କାରବାର କରିବେନି ବୋଲି ଶପଥ ନେଇଛି। ସୂଚନା ଅନୁସାରେ; ନୀଳଗିରି ବ୍ଲକ୍‌ ଧୋବଶିଳା ପଞ୍ଚାୟତ ଗୋପୀନାଥପୁର ଶାସନ ସାହିରେ ୬ ତାରିଖ ଦିନ ଦୋଳ ଉତ୍ସବ ଚାଲିଥିଲା। ସ୍ଥାନୀୟ ଦୁଇଜଣ ମହିଳା ସେଠାକୁ ହାଣ୍ଡିଆ (ଆଦିବାସୀଙ୍କ ପାରମ୍ପରିକ ନିଶାଯୁକ୍ତ ପାନୀୟ) ବିକ୍ରି ପାଇଁ ନେଉଥିଲେ। ଯାହାକୁ ଦେଖି ବାଲେଶ୍ବର ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଭଉଣୀ ବିଳାସିନୀ ଷଡ଼ଙ୍ଗୀ ସେମାନଙ୍କୁ ହାଣ୍ଡିଆ ବିକ୍ରିକୁ ବାରଣ କରିଥିଲେ। ତେବେ ପରେ ବିଳାସିନୀ ଖବର ପାଇଲେ ଯେ ଦୋଳ ପଡ଼ିଆରେ ନୀଳଗିରି ଏନ୍‌ଏସି ଅଧୀନ ୧୩ ନମ୍ବର ୱାର୍ଡ ଗୋପୀନାଥପୁର ଗ୍ରାମର ଜଣେ ଯୁବକ ମଦ ବିକ୍ରି କରୁଛି।

Advertisment

ମାଆଙ୍କଠାରୁ ଖବର ପାଇ ପୁଅ ତଥା ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଭଣଜା ଦେବାଶିଷ ପଣ୍ଡା ପଡ଼ିଆ ନିକଟରେ ପହଞ୍ଚିଥିଲେ। ସେ ସଂପୃକ୍ତ ଯୁବକକୁ ମଦ ବିକ୍ରି ନକରିବାକୁ ତାଗିଦ୍‌ କରିଥିଲେ। ଯାହାକୁ ନେଇ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଯେଉଁଥିରେ ଦେବାଶିଷ ଆହତ ହୋଇଥିଲେ। ତେଣୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏପରି ସମୟରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଜି ଗୋପୀନାଥପୁର ଶାସନ ସାହିସ୍ଥିତ ନିଜ ଘରକୁ କୌଣସି କାମରେ ଯାଇଥିଲେ। ଜାଣିବା ପରେ ସଂପୃକ୍ତ ଯୁବକ ଜଣକ ତାଙ୍କ ଘରେ ପହଞ୍ଚି ଶ୍ରୀ ଷଡ଼ଙ୍ଗୀଙ୍କୁ ଭୁଲ୍‌ ମାଗିଥିଲା। ଏମିତି କି ସେ ବିଳାସିନୀଙ୍କ ଗୋଡ଼ ଧରି ଆଉ କେବେ ମଦ କାରବାର କରିବନି ବୋଲି ଶପଥ ମଧ୍ୟ ନେଇଥିଲା। ସାଂସଦ ଶ୍ରୀ ଷଡ଼ଙ୍ଗୀ ଯୁବକକୁ ପାଖରେ ବସାଇ ନୈତିକତାର ପାଠ ପଢ଼ାଇଥିଲେ। ମଦ ସମାଜ ପାଇଁ କେତେ କ୍ଷତିକାରକ, ସେନେଇ ବୁଝାଇଥିବା ଦେଖିବାକୁ ମିଳିଥିଲା।