ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତେଲକୋଇ ହାଟପଡ଼ିଆରେ ଆଜି ବିଜେଡିର ‘ଆଶୀର୍ବାଦ ଭିକ୍ଷା ସମାବେଶ’ ଅନୁଷ୍ଠିତ ହୋଇଛି। ସମାବେଶ ଅବସରରେ ଏକ ନିଅାରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମଞ୍ଚରେ ଉପସ୍ଥିତ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁ ଓ ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଏକ‌ସଙ୍ଗେ ଆଣ୍ଠୁମାଡ଼ି ମଥା ନୁଅଁାଇ ଭୋଟଭିକ୍ଷା କରିଥିଲେ। ଗତ ନିର୍ବାଚନରେ କେନ୍ଦୁଝରରେ ସେ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ। ଏବେ ଦଳ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରି ତେଲକୋଇରୁ ତାଙ୍କୁ ପ୍ରାର୍ଥୀ କରିଛି ଏବଂ ଦଳୀୟ ନେତାମାନେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା କହି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ‘ମୋତେ ପଛେ ଖଣ୍ଡେ, ଦୁଇଖଣ୍ଡ ଭୋଟ କମ୍‌ ଦିଅ ମାଧବଙ୍କୁ ଅଣଦେଖା କରିବ ନାହିଁ’ ବୋଲି ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁ ଅନୁରୋଧ କରିଥିଲେ।

Advertisment

ତେଲକୋଇ ବ୍ଲକ୍‌ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ‌ଦେଇ କହିଥିଲେ, ବିଗତଦିନରେ ଯେଉଁମାନେ ତେଲକୋଇର ନେତୃତ୍ବ ନେଇଥିଲେ, ସେମାନେ ଏହି ନିର୍ବାଚନମଣ୍ଡଳୀ ପ୍ରତି ଅନ୍ୟାୟ କରିଛନ୍ତି। ଏଥର ଦଳ ଉପଯୁକ୍ତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କାନନ ବିହାରୀ ପହି, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ, ସଂଯୋଜକ ଲଳିତ ମୋହନ ପ୍ରଧାନ, ତେଲକୋଇ ବ୍ଲକ୍‌ ଅଧ୍ୟକ୍ଷ ବିକ୍ରମ ନାୟକ, ଜିଲ୍ଲାପରିଷଦ ସଭ୍ୟ କେଦାର ଚନ୍ଦ୍ର ପ୍ରଧାନ, ଅମରବର କୁଅଁର, ଜିଲ୍ଲା ଏସ୍‌ସି ସେଲ୍ ସଭାପତି ଭରତ ଚନ୍ଦ୍ର ପାତ୍ର, ପୁଷ୍ପାଞ୍ଜଳି ଆପଟ୍ଟ, କମଳାକାନ୍ତ ଥମ୍ବସାମନ୍ତ, ପୂର୍ବତନ ବ୍ଲକ୍‌ ସଭାପତି ବାମଦେବ ରାଉତ, ଯୁଗଳ କିଶୋର ପ୍ରଧାନ, ସୁଶାନ୍ତ କୁମାର ଗିରି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ସଂଯୋଜନା କରିଥିଲେ।