ସାମ୍ବାଦିକଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣା: ନିନ୍ଦା କଲେ ଢେଙ୍କାନାଳ ସାଂସଦ

କାମାକ୍ଷାନଗର: ବାଲେଶ୍ୱରର ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ସାମ୍ବାଦିକଙ୍କୁ ମାଡ଼ ଓ ବେଡ଼ି ପକାଇବା ଘଟଣାରେ ପ୍ରତିକ୍ରିୟ‌ା ପ୍ରକାଶ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ସେ କହିଛନ୍ତି, ସାମ୍ବାଦିକଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବାକୁ ପଡ଼େ। କିନ୍ତୁ ଏକ କୁଖ୍ୟାତ ଅପରାଧୀ ଭଳି ଜଣେ ସାମ୍ବାଦିକଙ୍କୁ ବେଡ଼ି ପକାଯିବା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।ଏହି ଘଟଣାକୁ ନେଇ ଆଜି କାମାକ୍ଷାନଗରଠାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ନିନ୍ଦା କରିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ତୁରନ୍ତ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରି ସବୁ ନିୟମକୁ ଦଳିମକଚି ଦେଇଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ। ପୂର୍ବ ଆକ୍ରୋଶରୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ମାରପିଟ୍ କରି ଗିରଫ କରିବା‌ପରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଭଳି ତାଙ୍କ ଗୋଡ଼ରେ ବେଡ଼ି ପକାଇ ମାନବିକତାର ସମସ୍ତ ସୀମା ‌ଉଲ୍ଲଂଘନ କରିଛନ୍ତି। ପୁଲିସ ଅଧିକାରୀଙ୍କ ଏହି କାରନାମା ଆଜି ପଦାକୁ ଆସିବାପରେ ବୁଦ୍ଧିଜୀବୀ, ଆଇନଜୀବୀ, ରାଜନେତା, ସାଧାରଣ ଜନତା ପୁଲିସକୁ ଖାଲି ଭର୍ତ୍ସନା କରିନାହାନ୍ତି; ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ସୁକାନ୍ତ ନାୟକ, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସମେତ ଗଣମାଧ୍ୟମ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର