ଖଣ୍ଡଗିରି : ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିବା ମୟୂରଭଂଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସ୍ଦା ଏବେ ଆମ୍ରି ହସ୍ପିଟାଲରେ ଭର୍ତି ହୋଇଛନ୍ତି। ତାଙ୍କ ମେରୁଦଣ୍ଡରେ ଅସ୍ତ୍ରପୋଚାର କରାଯାଇଥିବା ସୂଚନା ମିଳିଛି। ଅସ୍ତ୍ରପୋଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ସୂଚନା ମିଳିଛି। ଏମିତିକି ତାଙ୍କୁ ଆଉ ୩ ଦିନ ପରେ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇପାରେ ବୋଲି ଜଣାପଡ଼ିଛି। ପୂର୍ବରୁ ତାଙ୍କ ମେରୁଦଣ୍ଡ(ସ୍ପାଇନାଲ୍ କର୍ଡ)ରେ ସମସ୍ୟା ଥିଲା ଓ ଜରୁରୀ ପଡ଼ିବାରୁ ଅସ୍ତ୍ରୋପଚାର କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୪ ନଭେମ୍ବର ୪ ତାରିଖରୁ ସିବିଆଇ ସାଂସଦ ଶ୍ରୀ ହାଁସ୍ଦାଙ୍କୁ ଗିରଫ କରିଛି ଓ ସେହିଦିନଠାରୁ ସେ ଝାରପଡ଼ା ଜେଲ୍ରେ ବିଚାରଧୀନ ବନ୍ଦୀଭାବେ ରହିଛନ୍ତି। ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥାକୁ ସହଯୋଗ କରିବା ଓ ସଂସ୍ଥାଠାରୁ ଟଙ୍କା ନେଇଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ସାଂସଦ ଶ୍ରୀ ହାଁସ୍ଦାଙ୍କ ସହ ପୂର୍ବତନ ବିଧାୟକ ସୁବର୍ଣ ନାଏକ ଓ ହିତେଶ ବଗର୍ତ୍ତି ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ।
ସାଂସଦ ଶ୍ରୀ ହାଁସ୍ଦାଙ୍କ ମୟୂରଭଂଜସ୍ଥିତ ଘରେ ସିବିଆଇ ଚଢ଼ାଉ କଲାବେଳେ ନଗଦ ୨୮ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସିବିଆଇକୁ ସେ ଏହି ଟଙ୍କାର ହିସାବ ଦେଇପାରି ନଥିଲେ। ସିବିଆଇ ତାଙ୍କୁ ଗିରଫ କରିବା ପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ଓ ଏବେ ବି ଦଳ ତାଙ୍କ ଉପରୁ ନିଲମ୍ବନ ଉଠାଇନାହିଁ। ନବିଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍ ଓଡ଼ିଶାରୁ କୋଟି କୋଟି ଟଙ୍କା ଠକି ନେଇଛି। ଏହାର ନିର୍ଦେଶକମାନେ ଏବେ ଜେଲ୍ରେ ଅଛନ୍ତି।