ବନ୍ୟାଞ୍ଚଳ ମୋଟୁକୁ ପରିଦର୍ଶନ କଲେ ସାଂସଦ ରମେଶ ମାଝି, ଓଡିଶା ସମେତ ଆନ୍ଧ୍ରରେ ମଧ୍ୟ ରିଲିଫ ବାଣ୍ଟିଲେ

ପୋଲାଭରମକୁ ନେଇ ସଂସଦରେ ପ୍ରଶ୍ନ କରିବେ ସାଂସଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳକୁ ସଂପୂର୍ଣ୍ଣ ଛାରଖାର କଲା ଚଳିତ ଲଗାଣ ବର୍ଷା। ପୁରୁଣା ମୋଟୁ ବନ୍ୟାରେ ଉବୁଟୁବୁ ହେଲା। ଚାଳିଶିରୁ ଊର୍ଦ୍ଧ୍ବ ପରିବାର ବେଘର ହେଲେ। ଗୋଦାବରୀର ପଛୁଆ ପାଣି ମାଲକାନଗିରି ସୀମାନ୍ତ ଗ୍ରାମଗୁଡିକକୁ ବିଭିଷିକା ରଚିଲା କିନ୍ତୁ ଓଡିଶା ସରକାରଙ୍କର କୌଣସି ମନ୍ତ୍ରୀ କିମ୍ବା ସଚିବ ବନ୍ୟାଞ୍ଚଳ ଗସ୍ତରେ ଆସିଲେ ନାହିଁ। କିନ୍ତୁ ଅନ୍ୟଦିଗରେ ଛତିଶଗଡ ମନ୍ତ୍ରୀ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ଦୁଃଖସୁଖରେ ଠିଆ ହେବା ସହ ତୁରନ୍ତ ରିଲିଫ ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଥଇଥାନ କରିବାର ନିର୍ଦେଶ ଦେଇଥିଲେ।

ତେବେ ଦୀର୍ଘ ଦିନ ହେଲା ପରେ ମଧ୍ୟ ଗତ ଦୁଇ ଦିନ ତଳେ ବିଜେଡିର ବରିଷ୍ଠ ସଂପାଦକ ପ୍ରଦୀପ ମାଝି ଏବଂ ଆଜି ସାଂସଦ ରମେଶ ଚନ୍ଦ୍ର ମାଝି ମୋଟୁ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁଖ ଦୁଃଖେ ଛିଡା ହୋଇଛନ୍ତି। ଡେରିରେ ହେଲେ ମଧ୍ୟ ସରକାରଙ୍କ ତରଫରୁ ସାଂସଦ ରମେଶ ମାଝି ମୋଟୁ, ପୁରୁଣା ମୋଟୁ, ବିନାୟକପୁର, ମୁଗି ପଏଣ୍ଟ ସମେତ ଆନ୍ଧ୍ରର ଚିନ୍ତୁର ଅଂଚଳ ଗସ୍ତ କରି ସେମାନଙ୍କୁ ରିଲିଭ ପ୍ରଦାନ କରିଥିଲେ। ମୋଟୁ ତହସିଲ କାର୍ଯ୍ୟାଳୟକୁ ଯାଇ କ୍ଷୟକ୍ଷତିର ଆକଳନ ସଂପର୍କରେ ତହସିଲଦାର ଜଗଦିଶ ଦୋରାଙ୍କ ସହ ଆଲୋଚନା କରିଥିଲେ। ଏଥିସହ କାଲିମେଳା ବିଡିଓ ଶ୍ରୀ ଦଳେଇଙ୍କ ସହ ମଧ୍ୟ ଭେଟି ଲୋକଙ୍କୁ କିପରି କ୍ଷତି ପୂରଣ ମିଳିବ ସେନେଇ ବ୍ୟବସ୍ଥା କରିବାକୁ କହିଥିଲେ। ପରେ ଏନେଇ ଏକ ରିପୋର୍ଟ ସେ ରାଜ୍ୟ ସରକାର ସହ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି କହିଥିଲେ।

ପୋଲାଭରମ ଯୋଗୁଁ ଓଡିଶାର ବହୁ ଅଂଚଳର କ୍ଷତି ହେବା ସହ ହଜାର ହଜାର ଲୋକ ବେଘର ହେବେ ବୋଲି ଯାହା କୁହାଯାଉଥିଲା ତାହାର ଏକ ନମୂନା ଚଳିତ ବର୍ଷ ଦେଖାଯାଇଥିବା କହିଥିଲେ। ସଂସଦରେ ପୋଲାଭରମକୁ ନେଇ ପ୍ରଶ୍ନ କରିବେ ବୋଲି ସେ କହିଥିଲେ। ବହୁ ଜଂଗଲ ଜମି ସହ ଚାଷ ଜମି ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଥିବାରୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି କହିଥିଲେ। ତେବେ ସାଂସଦଙ୍କ ଏହି ଗସ୍ତ ପରେ କ୍ଷତି ସହିଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ହୋଇପାରିବ ବୋଲି କୁହାଯାଇଛି।ଆଜିର ଏହି ଗସ୍ତ ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ,ପୌରାଧ୍ୟକ୍ଷ ମନୋଜ ବାରିକ,ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ପାଳ ଓ ଜଗନ୍ନାଥ ମାଝି, ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା, ଗୋପାଳ ପଣ୍ଡା, ବୁନା ଭାଇ, ଶରତ ବିଶ୍ବାଳ,ମଦନ ଖସଲା, ବିଶ୍ବନାଥ ରେଡୀ, ସିଏଚ.ରାବିଡ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର