ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କର ଆଜି ଅପରାହ୍ଣରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ନିଜ ଅନ୍ତେ ସ୍ତ୍ରୀ ପ୍ରତିଭା, ଝିଅ ନିବେଦିତା, ପୁଅ ବିଶ୍ବଜିତ, ନଚିକେତା, ଗୀତିମୟଙ୍କୁ ଛାଡ଼ି ଯାଇଛନ୍ତି। ମଙ୍ଗଳବାର ସକାଳ ୧୦ଟାରେ ତାଙ୍କ ପାର୍ଥିବ ଶରୀର ସିପିଆଇ(ଏମ) କାର୍ଯ୍ୟାଳୟକୁ ଅଣାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ଏହାର ପରେ ଅନ୍ତିମ ବିଦାୟର କାର୍ଯ୍ୟକ୍ରମ ରହିଛି।
ଗତକାଲି ତାଙ୍କର ଶରୀରରେ ପଟ୍ଟାସିୟମ୍ ସ୍ତର ହ୍ରାସ ପାଇବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ଣ ୨.୧୦ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ବର୍ଷିଆନ୍ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ ଜଣେ ଦକ୍ଷ ସଂଗଠକ ଥିଲେ। ସେ ତିନି ଥର ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଖୋର୍ଧା ଜିଲ୍ଲା ଓଡ଼ସିଂର ଶିବାଜୀ ପଟନାୟକ ୧୯୩୦ ମସିହାରେ ଜନ୍ମ ନେଇଥିଲେ। ତାଙ୍କ ବାପା ଆଇନଜୀବୀ କୃପାସିନ୍ଧୁ ଏବଂ ମା ଲାବଣ୍ୟମତୀ। ରେଭେନ୍ସା କଲେଜରେ ପଢୁଥିବାବେଳେ ରାଜ୍ୟରେ ବାମପନ୍ଥୀ ଆନ୍ଦୋଳନର ସ୍ବର ଭଗବତୀ ପାଣିଗ୍ରାହୀ, ପ୍ରାଣନାଥ ପଟନାୟକ ଏବଂ ବନମାଳୀ ଦାସଙ୍କ ସଂସ୍ପର୍ଶରେ ଆସି ଏଆଇଏସଏଫରେ ସାମିଲ ହୋଇଥିଲେ। ଏହି ସମୟରେ ବ୍ରିଟିସ ରାଜ ବିରୋଧରେ କମ୍ୟୁନିଷ୍ଟ ଦଳର ଆନ୍ଦୋଳନରେ ଭାଗ ନେଇଥିଲେ। ସ୍ବାଧୀନତା ପରେ ଲଙ୍ଗଳ ଯାହାର ଜମି ତାର ସ୍ଲୋଗାନ ଦେଇ କମ୍ୟୁନିଷ୍ଟ ଦଳ ପକ୍ଷରୁ ଭାଗଚାଷୀଙ୍କ ଅଧିକାର ପାଇଁ ଚାଷୀ ଆନ୍ଦୋଳନ ହୋଇଥିଲା। ଏହାର ପୁରୋଧା ଥିଲେ ଶିବାଜୀ ପଟ୍ଟନାୟକ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଭାଗଚାଷୀଙ୍କୁ ସଙ୍ଗଠିତ କରିଥିଲେ। ଦେଶରେ ସିପିଆଇ ଦଳ ବିଭାଜିତ ହୋଇ ସିପିଆଇ(ଏମ)ର ଜନ୍ମ ହୋଇଥିଲା। ଶିବାଜୀ ପଟ୍ଟନାୟକ ଓଡ଼ିଶାରେ ସିପିଆଇ(ଏମ)ର ପ୍ରତିଷ୍ଠାତା ସଦସ୍ୟ ହେବା ସହିତ ଦୀର୍ଘ ଦିନ ଧରି ଓଡ଼ିଶା ସିପିଆଇ(ଏମ)ର ସମ୍ପାଦକ ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ।
ଇନ୍ଦିରା ଗାନ୍ଧୀ ଶାସନ କାଳରେ ଜାରି ଜରୁରୀକାଳୀନ ସ୍ଥିତିକୁ ବିରୋଧ କରି ଜେଲ ଯାଇଥିଲେ। ଏହାପରେ ମର୍ଯାଦାଜନକ ଭୁବନେଶ୍ବର ଲୋକସଭା ଆସନରେ ୧୯୭୭, ୧୯୮୯ ଏବଂ ୧୯୯୧ ମସିହାରେ ଲଗାତାର ୩ ଥର ସିପିଆଇ(ଏମ)ରୁ ଛିଡ଼ା ହୋଇ ସାଂସଦ ହୋଇଥିଲେ। ୯୦ ଦଶକରେ ଚିଲିକା ମାଫିଆଙ୍କ କବ୍ଜାକୁ ଚାଲିଯିବାକୁ ବସିଥିଲା ଏହା ବିରୋଧରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନକୁ ଶିବାଜୀ ପଟନାୟକ ନେତୃତ୍ବ ନେବା ସହିତ ଏହି ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖୋର୍ଧା-ବଲାଙ୍ଗୀର ରେଳପଥ ପାଇଁ ମଧ୍ୟ ସାଂସଦ ଭାବରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଶେଷ ସମୟ ପର୍ଯ୍ୟନ୍ତ ବିଭିନ୍ନ ଜନ ଆନ୍ଦୋଳନରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ସାମିଲ ହେଉଥିଲେ ଏବଂ ସାମ୍ପ୍ରଦାୟିକତାକୁ ବିରୋଧ କରୁଥିଲେ। ତାଙ୍କ ଲିଖିତ ଆତ୍ମଜୀବନୀ ପୁସ୍ତକ ସଂଗ୍ରାମ ଏବଂ ସଙ୍କଳ୍ପ ବିଶେଷ ଆଦୃତ ଲାଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Shivaji-Pattnaik.jpg)