ସମ୍ବଲପୁର: ଦୂରଦର୍ଶନ କେନ୍ଦ୍ର ମାମଲାରେ ହସ୍ତକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଲେ ସୁରେଶ ପୂଜାରୀ। ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ କିଛି ଦିନ ହେଲା ଦାବି କରାଯାଉଥିବା ବେଳେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ନରେନ୍ଦ୍ର ମୋଦୀଙ୍କୁ ଏନେଇ ଚିଠି ଲେଖିଛନ୍ତି।
ଚିଠିରେ ସେ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନାକୁ ଆଖି ଆଗରେ ରଖି ଏହାକୁ ଏକ ପୂର୍ଣ୍ଣାଙ୍ଗ ଦୂରଦର୍ଶନ କେନ୍ଦ୍ରରେ ପରିଣତ କରିବା, ସପ୍ତାହକୁ ୭ ଦିନ ୨୪ ଘଣ୍ଟା କାର୍ଯ୍ୟକ୍ରମ ପ୍ରସାରଣ କରିବା, ଡିଜିଟାଲ୍ ସାଟେଲାଇଟ୍ ନ୍ୟୁଜ୍ ଭ୍ୟାନ୍ ବ୍ୟବସ୍ଥା କରିବା, ସମସ୍ତ ଖାଲି ପଦ ପୂରଣ କରି ପୁଣିଥରେ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି।
ଗତକାଲି ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇ ରଖିବା ପାଇଁ ଏକାଠି ହୋଇଥିଲେ କଳାକାର, ବୁଦ୍ଧିଜୀବୀ, ରାଜନୈତିକ ନେତା ଓ ସାଧାରଣ ଜନତା। ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ଦ୍ବାରା ଆହୂତ ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବରଗଡ଼ ଧନୁଯାତ୍ରାର କଂସ ଭୁବନେଶ୍ବର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ କଳାକାର, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନର ପ୍ରତିନିଧି, ରାଜନୈତିକ ଦଳର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।
ପାରଂପରିକ ସମ୍ବଲପୁରୀ ପୋଷାକ ପନ୍ଧି, ଦୁଲଦୁଲି ବାଜାର ତାଳେତାଳେ ଗତକାଲି ଭିନ୍ନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେଠାରେ ଉପସ୍ଥିତ ସାଂସଦ ଶ୍ରୀ ପୂଜାରୀ ତଥା ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରା ଯାଇଥିଲା।