ଏମ୍‌ପିସି ସ୍ବୟଂଶାସିତ କଲେଜକୁ ଅଣଦେଖା, ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

୯୬ରୁ ୬୪ ଅଧ୍ୟାପକ ପଦ ଖାଲି
ସାନ୍ତାଳୀ ଭାଷା ବିଭାଗ ଖୋଲିଦେଲେ, ନିଯୁକ୍ତି ଦେଲେନି

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ (ଏମ୍‌ପିସି)। ୧୯୪୮ ମସିହାରେ ବାରିପଦାରେ ପ୍ରତିଷ୍ଠିତ ଏହି କଲେଜ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ସାଜିଥିଲା। ୭୪ ବର୍ଷର ଏହି କଲେଜରେ ପାଠପଢ଼ି ସଫଳତାର ଶିଖର ଛୁଇଁଛନ୍ତି ହଜାର ହଜାର ଛାତ୍ରୀଛାତ୍ରୀ। ଦିନଥିଲା ଏଠାରେ ପାଠ ପଢ଼ିବା ଏକ ଗୌରବର ବିଷୟ ବୋଲି ମନେ କରାଯାଉଥିଲା। ଏମ୍‌ପିସିରେ ସିଟ୍‌ ଖଣ୍ଡେ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିନ୍ଦ୍ବନ୍ଦ୍ବିତା ହେଉଥିଲା। ହେଲେ ଏହି ଶିକ୍ଷାନୁଷ୍ଠାନ ଆଜି ଗାରିମା ହରାଇବାକୁ ବସିଛି। କାମଚଳା ନୀତିରେ ବହୁ ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଦ୍ବାରା ଚାଲିଛି ଶିକ୍ଷାଦାନ। ଏମିତିକି କଲେଜରେ ସ୍ଥାୟୀ ଅଧ୍ୟକ୍ଷ ବି ନାହାନ୍ତି। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ଓ ପରୀକ୍ଷା ଫଳ ନୈରାଶ୍ୟଜନକ ହେବାରେ ଲାଗିଛି।

ଏମ୍‌ପିସି କଲେଜରେ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ ସହ ୧୯ଟି ବିଭାଗରେ ପିଜି ପାଠ୍ୟକ୍ରମ ଓ ବାଣିଜ୍ୟ, ଓଡ଼ିଆ, ରାଜନୀତି ବିଜ୍ଞାନ, ଇଂରାଜୀ‌ରେ ଏମଫିଲ୍ ପଢ଼ିବାର ସୁବିଧା ରହିଛି। ଏବେ ଏଠାରେ ମୋଟ୍‌ ୪,୬୫୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ କଲେଜର ଅଧ୍ୟକ୍ଷଙ୍କୁ ମିଶାଇ ମୋଟ୍‌ ୯୬ ଜଣ ଅଧ୍ୟାପକ ରହିବା କଥା। ହେଲେ ସେଥିରୁ ମାତ୍ର ୨୬ ଜଣ ସ୍ଥାୟୀ ଓ ୬ ଜଣ ଅସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି। ବାକି ୬୪ ପଦବି ବହୁ ବର୍ଷରୁ ଫାଙ୍କା ପଡ଼ିଛି। କାମଚଳା ନୀତିରେ ଅତିଥି ଅଧ୍ୟାପକଙ୍କୁ ୬ ମାସିଆ ନିଯୁକ୍ତ ଦେଇ ଶିକ୍ଷାଦାନ ଚାଲିଛି। ପୂର୍ବରୁ ଏହି କଲେଜରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୭ ହଜାରରୁ ଊର୍ଦ୍ଧ୍ବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ତେବେ ଆବଶ୍ୟକ ଅଧ୍ୟାପକ ଅଭାବରୁ ପାଠପଢ଼ା ଠିକ୍‌ରେ ହେଉନି। ‌ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ହଜାର ତଳକୁ ଖସିଆସିଛି। ବିଭାଗୀୟ କର୍ତ୍ତୃପକ୍ଷ ଏ ନେଇ ଅବଗତ ଥିଲେ ମଧ୍ୟ ଖାଲି ପଡ଼ିଥିବା ପଦବି ପୂରଣ ପ୍ରତି ଧ୍ୟାନ ଦେଉନାହାନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଅନେକ ଦିନର ଦାବି ଓ ଆନ୍ଦୋଳନ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଠାରେ ଯୁକ୍ତ ୩ ଓ ପିଜିରେ ସାନ୍ତାଳୀ ପାଠ୍ୟକ୍ରମ ଖୋଲିଲା। ହେଲେ ଆଜିଯାଏ ଉକ୍ତ ବିଭାଗରେ କେହି ଅଧ୍ୟାପକ ନିଯୁକ୍ତି ହୋଇନାହାନ୍ତି।

ସମ୍ବନ୍ଧିତ ଖବର