ଅନୁଗୁଳ-ସମ୍ବଲପୁର-ତିଲେଇବଣି ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ, ବିଧାୟକ 

ଫେବ୍ରୁଆରି ସୁଦ୍ଧା ସାରିବାକୁ ଏନ୍‌ଏଚ୍‌ଏଆଇର ପ୍ରତିଶ୍ରୁତି

ସମ୍ବଲପୁର : ସମ୍ବଲପୁର-ଅନୁଗୁଳ ୫୫ ନମ୍ବର ଓ ସମ୍ବଲପୁର-ତିଲେଇବଣି ୫୩ ନମ୍ବର ଜାତୀୟ ରାଜପଥ ନବୀକରଣ କାର୍ଯ୍ୟର ସମୀକ୍ଷା ପାଇଁ ସମ୍ବଲପୁର ସାଂସଦ ନିତେଶ ଗଂଗଦେବ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଂଗାଲି ବିଧାୟକ ନାଉରୀ ନାୟକ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ସର୍କିଟ୍ ହାଉସ୍‌ଠାରେ ଜନ ପ୍ରତିନିଧିଗଣ ସମ୍ବଲପୁରକୁ ରାଜ୍ୟର ଅବଶିଷ୍ଟ ଅଞ୍ଚଳ ସହ ଯୋଡ଼ୁଥିବା ଏହି ପ୍ରମୁଖ ରାଜପଥ ଦ୍ବୟର ପୁନଃନିର୍ମାଣରେ ଅହେତୁକ ବିଳମ୍ବ ନେଇ ଉଦ୍‌ବେଗ ବ୍ୟକ୍ତ କରିଥିଲେ।

ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଡାକରାରେ ଜାତୀୟ ରାଜପଥ ପ୍ରାଧିକାରଣର ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ ଭେଙ୍କଟେଶ୍ୱର ରାଓ ଏବଂ ଅନ୍ୟ ଦୁଇଜଣ ଅଧିକାରୀ ସମ୍ବଲପୁର ସର୍କିଟ ହାଉସରେ ପହଞ୍ଚିଥିଲେ। ସେମାନେ ଜନପ୍ରତିନିଧିଙ୍କୁ ଚାଲିଥିବା କାର୍ଯ୍ୟ, ବକେୟା କାର୍ଯ୍ୟ, କାମ ଶେଷ ପାଇଁ ଆଉ କେତେ ସମୟ ଲାଗିବ, କାମ କରିବାରେ କଣ ସବୁ ସମସ୍ୟା ରହିଛି ‌ଏ ସମସ୍ତ ବିଷୟରେ ଅବଗତ କରାଇଥିଲେ। ରାଜପଥ ନିର୍ମାଣ ବେଳେ କେଉଁଠି ଫ୍ଲାଇଓଭର, କେଉଁଠି ଅଣ୍ଡରପାସ୍‌, କେଉଁଠି ବାଇପାସ୍‌, କେଉଁଠି ସର୍ଭିସ୍‌ ରୋଡ୍ ଆଦିର ଆବଶ୍ୟକତା ରହିଛି ସେ ସଂପର୍କରେ ଜଣାଇଥିଲେ। ରେଢ଼ାଖୋଲ ବାଇପାସ, ଦେବଗଡ଼ ବାଇପାସ, ସିନ୍ଦୁରପଙ୍କ ଫ୍ଲାଇଓଭର, ସରଲା ଫ୍ଲାଇଓଭର, ଅଇଁଠାପାଲି ଫ୍ଲାଇଓଭର ଭଳି ଅନେକ ପ୍ରମୁଖ ନିର୍ମାଣର ନକ୍ସାକୁ ନେଇ ଆଲୋଚନା ହୋଇଥିଲା। ଉଭୟ ରାଜପଥ ପ୍ରଶସ୍ତୀକରଣ ଓ ଉନ୍ନତି ସାଙ୍ଗକୁ ପୁରୁଣା ରାସ୍ତାର ମରାମତି କରି ଯାତାୟତ ଯୋଗ୍ୟ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ସୁଦ୍ଧା ସମ୍ବଲପୁର-ତିଲେଇବଣି ଓ ସମ୍ବଲପୁର-ଅନୁଗୁଳ ରାସ୍ତା କାମ ଶେଷ ହେବ ବୋଲି ଶ୍ରୀ ରାଓ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବଲପୁର ସହର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ, ଭାରୀ ଯାନ ଗତିବିଧି ନିୟନ୍ତ୍ରଣ ସହିତ ଦୁର୍ଘଟଣା ଏଡ଼ାଇବା ପାଇଁ ଗ୍ରେଟର ରିଙ୍ଗ ରୋଡ଼ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି। ତାକୁ ଯଥାଶୀଘ୍ର ଆରମ୍ଭ କରିବାକୁ ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର, କ୍ଷେତ୍ରୀୟ ପ୍ରବକ୍ତା ମାନସ ବକ୍ସି, ସାଂସଦ ପ୍ରତିନିଧି ଯୁଗଳ ଅଗ୍ରୱାଲ ଏବଂ ମୋହନ ଦାଶ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ବାବୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର